ନୂଆ ରୂପରେ ରୂପାନ୍ତରିତ ହେଉଛି ରାଜଧାନୀ

ଭୁବନେଶ୍ୱର,୬ା୯(ନି.ପ୍ର.): ଆସନ୍ତା ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ଵର ନୂଆ ରୂପରେ ସଜେଇ ହେଉଛି । ମୁଖ୍ୟ ରାସ୍ତାର ନବୀକରଣ ଓ ପ୍ରଶାସ୍ତିକରଣ ସାଙ୍ଗକୁ ରାଜଧାନୀକୁ ଏକ ହାଇଟେକ ଓ କୀର୍ତ୍ତିମାନ ସହରର ରୂପ ଦିଆଯାଉଛି । ସୁନ୍ଦର ଚିକ୍କଣ ରାସ୍ତା, ରାସ୍ତାର ଦୁଇପାର୍ଶ୍ବରେ ସବୁଜିମା, ଗୁରୁତ୍ୱପୂର୍ଣ ଅଂଚଳରେ ୱାଇଫାଇ ସେବା ସହ ପ୍ରଶସ୍ତ ଫୁଟପାଥ ନିର୍ମାଣ କରାଯାଉଛି । ଏସବୁ କାର୍ଯ୍ୟ ଭୁବନେଶ୍ବର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରତକ୍ଷ ତତ୍ୱବାଧାନରେ କରାଯାଉଛି ।

ବିଶ୍ୱକପ ପାଇଁ ଦେଶ ବିଦେଶରୁ ବହୁ କ୍ରୀଡ଼ାବିତ ଓ କ୍ରୀଡ଼ାପ୍ରେମୀ ଭୁବନେଶ୍ୱର ଆସିବେ । ହକି ପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସଂସ୍କୃତି ବିଭାଗ ବି ବିଡିଏ ସହ ହାତ ମିଳାଇଛି। ରାଜଧାନୀ ରାସ୍ତାର ଉଭୟ ପାର୍ଶ୍ବର କାନ୍ଥରେ ତିଆରି ହେବ କଳିଙ୍ଗର କୀର୍ତ୍ତିମାନ କଳାକୃତୀ । ଓଡ଼ିଆ ସାଧବ ପୁଅର ବିରତ୍ୱ ଗାଥା ଠାରୁ ଆରମ୍ଭ କରି ଓଡିଶି ନୃତ୍ୟ, ବିଭିନ୍ନ ପର୍ବ ପର୍ବାଣୀ, ଓଡ଼ିଆ ସଂସ୍କୃତି, ପରମ୍ପରା, ଆଦିବାସୀ ସମ୍ପ୍ରଦାୟର ପୂଜା ଶୈଳୀ ଓ ପର୍ବାଣି, ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଏବଂ ଓଡ଼ିଶାର ସଂବୃଦ୍ଧ ତଥା ଗୌରବମୟ ଐତିହ୍ୟ ଓ ପରମ୍ପରାକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯିବ ।

ଓଡିଶାକୁ ବୁଲିବାକୁ ଆସୁଥିବା ହକି ପ୍ରେମୀ ଓ ପର୍ଯ୍ୟଟକ ଏହିସବୁ ଚିତ୍ରକଳାରୁ ଓଡିଶା ସମ୍ପର୍କରେ ଜାଣି ପାରିବ । ଏମିତି ଚିତକଳା ପାଖାପାଖି ୬୦ କିମି ପର୍ଯନ୍ତ ରାସ୍ତାର ଦୁଇପାର୍ଶ୍ଵରେ କରିବାର ଯୋଜନା ରହିଛି । ଏଥିପାଇଁ ରାଜଧାନୀର ବିଶେଷ ରାସ୍ତା ଯେମିତିକି ଏୟାରପୋର୍ଟ ଠାରୁ କିଟ ଛକ ଓ ନନ୍ଦନକାନନ, ଶିଶୁଭବନଠାରୁ ବାଣିବିହାର ପର୍ଯନ୍ତ, ଏଜି ଛକରୁ ଆଚାର୍ଯ୍ୟବିହାର ପର୍ଯନ୍ତ, ରାଜଭବନ ଛକରୁ ଜୟଦେବ ବିହାର, ରସୁଲଗଡ ଛକରୁ ଖଣ୍ଡଗିରି ପର୍ଯନ୍ତ ରାସ୍ତାର ଉଭୟ ପାର୍ଶକୁ ଚିତ୍ରକଳା ଜରିଆରେ ପ୍ରଦର୍ଶିତ କରାଯିବ । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କୁ ନିୟୋଜିତ କରାଯିବ।

ସହରକୁ କେବଳ ରଙ୍ଗୀନ କି ଚକ୍କଣ କରାଯିବନି । ରାଜଧାନୀର ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥାର ମଧ୍ୟ ଉନ୍ନତିକରଣ କରାଯାଉଛି । ଏଥିପାଇଁ ସବୁ ଅଂଚଳରେ ସ୍ବେରେଜ ଓ ଡ୍ରେନେଜ ବ୍ୟବସ୍ଥାର ଉନ୍ନତିକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ରାସ୍ତାଗୁଡିକୁ ଅବରୋଧମୁକ୍ତ କରାଯାଉଛି । ଜଳ ନିଷ୍କାସନକୁ ସୁଗମ କରିବାକୁ ସହରର 9ଟି ଯାକ ପ୍ରାକୃତିକ ଡ୍ରେନକୁ ମଧ୍ୟ ଏଭିରେ ଜବରଦଖଳମୁକ୍ତ କରାଯାଇଛି। ଯାହାର ସୁଫଳ ଏଇ ତିନି ଦିନର ଲଗାଣ ବର୍ଷରୁ ମିଳିଛି । ରାଜଧାନୀର କୌଣସି ଅଂଚଳ ଏପରିକି ତଳି ଅଂଚଳ ବି ଜଳମଗ୍ନ ହୋଇନି। ସେହିଭଳି ହାଇଟେକ ସହରରେ ଆଉ ବିଦ୍ୟୁତ ତାର ରାସ୍ତା ମଝିରେ ବିପଜ୍ଜନକ ସ୍ଥିତିରେ ଝୁଲିବନି। ଏଥିପାଇଁ ମୁଖ୍ୟ ରାସ୍ତାଗୁଡିକରେ ମାଟିତଳେ ବିଦ୍ୟୁତ ତାର ବିଛାଯାଉଛି ।

Share

Leave a Reply

Your email address will not be published. Required fields are marked *

one × two =