ସଙ୍କଟରେ ଭର୍ତ୍ତୃହରିଙ୍କ ରାଜନୈତିକ ଭବିଷ୍ୟତ

ଭୁବନେଶ୍ୱର: ବଢ଼ୁଛି ଭର୍ତ୍ତୃହରିଙ୍କ ବିବାଦ । ବୋହୂ ସାକ୍ଷୀ ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି ହେବାରେ ଲାଗିଛି । ଏପରିକି ବିଜେଡିରୁ ବହିଷ୍କାର ହୋଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ରଘୁନାଥ ମହାନ୍ତି ଯେଭଳି ବୋହୂ ବର୍ଷା ସୋନି ମାମଲାରେ ଛନ୍ଦି ହୋଇ ଦଳରୁ ତଡା ଖାଇଥିଲେ ଭର୍ତ୍ତୃହରି ମଧ୍ୟ ସେଭଳି ଦଳରୁ ବିତାଡିତ ହେବେ ବୋଲି ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋ ମହିଳାଙ୍କୁ ସମ୍ମାନ ସହ ଅଗ୍ରାଧିକାର ଦେଉଛନ୍ତି । ଏଣୁ ଯୌତୁକ ନିର୍ଯାତନା ଭଳି ଅଭିଯୋଗ ଆସିଥିବାରୁ ଭର୍ତ୍ତୁହରିଙ୍କ ବିରୋଧରେ ନବୀନ କାର୍ଯାନୁଷ୍ଠାନ ନେବେ ବୋଲି କୁହାଯାଉଛି ।

ସେପଟେ ଦୀର୍ଘ ୨ ବର୍ଷ ହେବ ଭର୍ତ୍ତୃହରିଙ୍କ ବିଜେଡି ସହ ସମୀକରଣ ଠିକଠାକ ନାହିଁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ମଧ୍ୟ ସେ ଗଣମାଧ୍ୟମ ସମ୍ମୁଖରେ ନିଜର ବିବୃତି ଦେଇ ଆସୁଥିଲେ । ସେ ବିଜେପିରେ ଯୋଗଦେବେ ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସେପଟେ ବିଜେପି ମଧ୍ୟ ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରୁଥିବା କଥା କୁହାଯାଉଛି । ସେପଟେ ମହତାବ ଏବଂ ବିଜୁଙ୍କୁ ନେଇ କଟକ ରାଜନୀତି ପ୍ରୟୋଗ ଶାଳା ହେବ ବୋଲି ରାଜନୈତିକ ପଣ୍ଡିତମାନେ ପୂର୍ବାନୁମାନ କରିଛନ୍ତି ।

ମହିଳାଙ୍କୁ ସବୁବେଳେ ସମ୍ମାନ ଦେଉଥିବା ମୁଖ୍ୟମନ୍ତ୍ରୀ ମହତାବଙ୍କ ନାମରେ ଉଠିଥିବା ଅଭିଯୋଗକୁ ସହଜରେ ହଜମ କରିପାରିବେ ନାହିଁ ବୋଲି କୁହାଯାଉଛି । ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ସେ ମହତାବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଦଳରୁ ବହିଷ୍କାର କରିବେ ବୋଲି ବିଜେଡିରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଭର୍ତ୍ତୁହରିଙ୍କ ବିରୋଧରେ ସୋସିଆଲ ମିଡିଆରେ ୟୁଜର୍ସ ଏବଂ ବିଜେଡି କର୍ମୀମାନେ ମଧ୍ୟ ନିଜର କମେଣ୍ଟ ଦେବା ଆରମ୍ଭ କରି ଦେଲେଣି ।

ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ଅନେକ ସଫଳତା ଅର୍ଜନ କରିଥିବା ଭର୍ତ୍ତୁହରିଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଏବେ ହାଟ ବାଟ ସବୁଠି ଚର୍ଚ୍ଚା । କେହି କେହି କହୁଛନ୍ତି କି, ତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବ । କାରଣ ବିଜେଡି ଛାଡି ଯାଇଥିବା ଅନେକ ନେତାଙ୍କ ରାଜନୈତିକ କ୍ୟାରିୟର ଅନ୍ଧକାର ହୋଇଛି । ଏଣୁ ବିଜେଡିରୁ ତଡା ଖାଇବା ପରେ ମହତାବଙ୍କ କ୍ୟାରିୟର ମଧ୍ୟ ଅନ୍ଧକାରକୁ ଠେଲି ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

କୁହାଯାଉଛି କି, ବିଜେପିରେ ଯୋଗ ଦେଇ ପାରନ୍ତି ମହତାବ । ଯଦିଓ ବିଜେପିରେ ସେ ଯୋଗ ଦେବେ ତାହେଲେ ବିଜେଡି ଭଳି ତାଙ୍କ ଏତେ ସଫଳତା ମିଳିବ ନାହିଁ । ଦାମ ରାଉତ, ବୈଜୟନ୍ତ ପଣ୍ଡାଙ୍କ ଭଳି ବରିଷ୍ଠ ନେତା ବିଜେଡିରୁ ତଡା ଖାଇବା ପରେ ବଜେପିରେ ଯୋଗ ଦେଇଥିଲେ । କିନ୍ତୁ ସେମାନେ କିଛି ସଫଳତା ପାଇପାରିନାହାନ୍ତି । ନିର୍ବାଚନରେ ଜନତା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ଏଣୁ ସେହି ରାସ୍ତାରେ ଯିବାକୁ ଥିବା ଭର୍ତ୍ତୃହରିଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ଏବେ ପ୍ରଶ୍ନବାଚୀ । ତେବେ ତାଙ୍କ ନାମରେ ଉଠିଥିବା ସଙ୍ଗୀନ ଅଭିଯୋଗ ଜାଣିବା ପରେ ବିଜେଡି ସୁପ୍ରିମୋ କଣ ନିଷ୍ପତି ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

Share

Leave a Reply

Your email address will not be published. Required fields are marked *

13 + 13 =