ପୁରୀ ବଡ଼ଦାଣ୍ଡରେ ଭଜନ ଓ ଝୋଟି, ରୂପାନ୍ତରଣର ଅଭିନବ ପ୍ରୟାସ

ପୁରୀ () ପୁରୀକୁ ବିଶ୍ବସ୍ତରୀୟ ଧର୍ମୀୟ ସହରରେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କରିଥିବା ଘୋଷଣା ଏବେ ଧିରେ ଧିରେ ପ୍ରତିଫଳିତ ହେଉଛି । ପୂର୍ବରୁ କେବେ ହୋଇନଥିବା କିଛି ମନଲୋଭା ପରିବର୍ତ୍ତନ ହୋଇଛି, ଯାହା ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଜଗନ୍ନାଥ ଭକ୍ତଙ୍କୁ ଏକ ଆଲ୍ହାଦିତ କରୁଥିବା ବେଳେ ଏକ ପୁରୀରେ ଏକ ନୈଷ୍ଟିକ ପରିବେଶ ସୃଷ୍ଟି କରୁଛି ।

ଫନି ବାତ୍ୟାରେ ଧ୍ଵସ୍ତ ବିଧ୍ୱସ୍ତ ପୁରୀକୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ ଏହି ପବିତ୍ର ପୀଠର ପୁନାରୁଦ୍ଧର ସହ ଏହାକୁ ବିଶ୍ୱ ସ୍ତରୀୟ ଧର୍ମୀୟ ସ୍ଥଳୀରେ ରୂପାନ୍ତରିତ କରିବାକୁ ଘୋଷଣା କରିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକୁ ନିୟମିତ ସମୀକ୍ଷା କରୁଥିବା ବେଳେ କିଛି ବରିଷ୍ଠ ଓ କର୍ତ୍ତବ୍ୟନିଷ୍ଠ ଅଫିସରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ରିୟଲ ଟାଇମରେ ଏହି ରୂପାନ୍ତରଣ କାର୍ଯ୍ୟକୁ ମନିଟର କରାଯାଉଛି ।

ନିକଟରେ ପୁରୀ ଜିଲ୍ଲା ପ୍ରଶାସନ ସିଂହଦ୍ୱାର ନିକଟବର୍ତ୍ତୀ ବଡ଼ଦାଣ୍ଡର କିଛି ଅଞ୍ଚଳକୁ ନୋ ପାର୍କିଂ ଓ ନୋ ଭେଣ୍ଡିଂ ଯୋନ ଭାବେ ଘୋଷଣା କରାଯାଇଛି । ଏହି ଅଂଚଳରେ ବେଆଇନ ଜବରଦଖଳକୁ ଉଚ୍ଛେଦ କରାଯାଇଥିବା ବେଳେ ଏଠାରେ ଭିକ୍ଷାବୃତ୍ତିକୁ ବାରଣ କରାଯାଇଛି । ଉଦେଶ୍ୟ ଭକ୍ତଙ୍କୁ ଏକ ଶୃଙ୍ଖଳିତ ଦର୍ଶନ ସୁନିଶ୍ଚିତ କରିବା ।

ରୂପାନ୍ତରଣର ଏକ ଅଂଶ ଭାବେ ପ୍ରତି ରବିବାର ବଡଦାଣ୍ଡ ଉତ୍ସବର ଆୟୋଜନ ହେଉଛି । ଏକ ଧର୍ମୀୟ ପରିବେଶ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉତ୍ସବର ଆୟୋଜନ କରାଯାଉଛି । ଏଥିରେ ସ୍ଥାନୀୟ ବାସିନ୍ଦା ଓ ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ବହୁ ସଂଖ୍ୟାରେ ସାମିଲ ହେଉଛନ୍ତି । ବଡଦାଣ୍ଡ ଉତ୍ସବରେ ଭଜନ କୀର୍ତ୍ତନ ସହ ଝୋଟି ପ୍ରତିଯୋଗିତାର ଆୟୋଜନ ହେଉଛି ।

ପୁରୀକୁ ବିଶ୍ବସ୍ତରୀୟ ଧର୍ମୀୟ କ୍ଷେତ୍ରରେ ରୂପାନ୍ତରିତ କରିବାର ବର୍ଦ୍ଧିତ ଯୋଜନାର ଏହା ଏକ ଅଂଶ ବିଶେଷ ହୋଇଥିବା ବେଳେ ଆଗାମୀ ଦିନରେ ସମ୍ପୂର୍ଣ ବଡଦାଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏଭଳି ଧର୍ମୀୟ ପରିବେଶ ସୃଷ୍ଟି କରାଯିବାକୁ ଚିନ୍ତା କରାଯାଉଛି । ଏଥିସହ ମୋ ବେଳାଭୂମି ଅଭିଯାନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଏକ ସ୍ୱଚ୍ଛ ଓ ସଫା ବେଳାଭୂମିର ଆନନ୍ଦ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି ।

ପୁରୀ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ପର୍ଯ୍ୟଟକମାନେ ବି ସ୍ୱାଗତ କରିଛନ୍ତି । ପୂର୍ବ ଅପେକ୍ଷା ଅଧିକ ଶୃଙ୍ଖଳିତ ଓ କ୍ଲିନ ପୁରୀ ସେମାନଙ୍କୁ ଉତ୍ସାହିତ କରିଛି ।

Share

Leave a Reply

Your email address will not be published. Required fields are marked *

three × five =