କାଳିଆ ପ୍ରେମରେ କ୍ରିଷନ କୁମାର

ପୁରୀ: ଭାବର ଠାକୁର ସେ ଭାବ ବିନୋଦିଆ । ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ । ମଙ୍ଗଳବାର ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚି ସାରିଥାଏ । ହଠାତ ମାଡ଼ିଆସିଲା ବର୍ଷା । ବର୍ଷାକୁ ଖାତିର ନକରି ସେବାୟତମାନେ ରଥ ଟାଣିନେଉଥାନ୍ତି, ମୁଖ୍ୟ ପ୍ରଶାସକ ମଧ୍ୟ ମୁଣ୍ଡରେ ଗାମୁଛା ଓ ମୁହଁରେ ମାସ୍କ ବାନ୍ଧି ବଡ଼ଦାଣ୍ଡରେ ରଥ ଆଗେ ଆଗେ ଖାଲି ପାଦରେ ଚାଲିଥାନ୍ତି ।

ରଥଯାତ୍ରାରେ ଶୃଙ୍ଖଳିତ ରୀତିନୀତି ତାଙ୍କ ଦାୟିତ୍ୱ । ତେଣୁ ବିନା କୌଣସି ବିଘ୍ନରେ କେମିତି ଏ ନବଦିନାତ୍ମକ ଯାତ୍ର ସମାପନ ହେବ ସେଥିପାଇଁ ସେ ମହାପ୍ରଭୁଙ୍କ ନିକଟରେ ନିଜକୁ ପୂର୍ଣ୍ଣମାତ୍ରାରେ ସମର୍ପଣ କରିଦେଇଛନ୍ତି । ବର୍ଷାରେ କାଳେ ରଥଟଣା ବିଳମ୍ବିତ ହେବ କିମ୍ବା କାଳେ କୌଣସି ବିଘ୍ନ ଘଟିବ, ସେଥିପାଇଁ ମୁଖ୍ୟ ପ୍ରଶାସକ ବିଚଳିତ ହୋଇପଡିଥିଲେ । ହେଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ ସୁରୁଖୁରରେ ହେଇଗଲା । ତେବେ ଜଣେ ପ୍ରଶାସକଙ୍କ ନିକଟରେ ଏଭଳି ଭାବ କେବେ ଦେଖିବାକୁ ମିଳିନଥିଲା । ଢୁ ଢୁ ବର୍ଷାକୁ ଖାତିର ନକରି ବଡଦାଣ୍ଡରେ ବିଶ୍ଵନିଅନ୍ତାଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି । ବୋଧହୁଏ ତାଙ୍କର ଏଇ ଭକ୍ତି ଭାବ ଓ ସମର୍ପଣ ପାଇଁ ଗତ ଦୁଇବର୍ଷ ହେଲା ବିନା ଭକ୍ତରେ ରଥଯାତ୍ରା ହେଉଥିଲେ ବି କୌଣସି ବିଘ୍ନ ଘଟିନି । ମହାପ୍ରଭୁ ବି ନିଜ ଭକ୍ତର ଭାବାବେଗକୁ ବୁଝିଛନ୍ତି । ରଥଯାତ୍ରାରୁ ବାହୁଡା ଯାତ୍ରା ସବୁ ନୀତିକାନ୍ତି ଶୃଙ୍ଖଳିତ ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି । ଏମିତିବି ଜଣେ ପ୍ରଶାସକ ହୋଇବି ସେ ସେବାୟତଙ୍କ ସହ ମିଶି ବଡଦାଣ୍ଡରେ ଗୀତଗୋବିନ୍ଦ ଗାନ କରିବା ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତିଭାବର ପରିଚୟ । ସେହିଭଳି ସେବାୟତଙ୍କ ସହ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସୁଖଦୁଃଖର ସାଥି ହୋଇଥିବାରୁ ସେବାୟତମାନେବି ତାଙ୍କୁ ସବୁକ୍ଷେତ୍ରରେ ସହଯୋଗ କରିଥାନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =