ନିର୍ଦ୍ଦେଶ ନଆସିଲା ପର୍ଯ୍ୟନ୍ତ ଘର ସୀମାରେଖା ଆଦୌ ଡେଇଁବା ଉଚିତ ନୁହେଁ

ଭୁବନେଶ୍ୱର : କିଛି ଦିନ ତଳେ ଇଟାଲୀ, ଫ୍ରାନ୍ସ, ଚୀନ୍‌ ଆଦି କରୋନା ସଂକ୍ରମଣରେ ଆଗରେ ଥିଲେ । ହେଲେ ଆଜି ଏଥିରେ ଶୀର୍ଷକୁ ଯାଇଛି ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଯାହା ପାଖରେ ସବୁ କିଛି ସାଧନ ଥାଇ ମଧ୍ୟ ଏଠାରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି । ତେଣୁ ଆମେରିକା ଭଳି ଦେଶର ଯଦି ଏ ଅବସ୍ଥା ସେଠି ଆମେ ଯଦି ସତର୍କ ନରହିବା ଭାରତ ତଥା ଓଡ଼ିଶାରେ ମଧ୍ୟ କରୋନା ତାର କାୟା ମେଲାଇ ବଢ଼ି ଚାଲିବ ବୋଲି ସତର୍କ କରାଇଛନ୍ତି ଓଡ଼ିଶା କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ତେଣୁ ‘୧୦୪ ହେଲପ୍‌ ଲାଇନ ନ କହିବା ଯାଏ ଘରୁ ଗୋଡ଼ କାଢନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ତୃତୀୟ ପଜେଟିଭ୍‌ଙ୍କ ସଂସ୍ପର୍ଶରେ କେତେ ?

ତାଙ୍କ ସୂଚନା ଅନୁସାରେ ଆଜି ଦିନ ୧ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୨୫୬ଟି ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା। ସେଥିରୁ ୧୮୯ଟିର ରିପୋର୍ଟ ଆସିଛି । ଏଯାଏ ୩ଟି ପଜେଟିଭ୍‌ ବାହାରିଥିବା ବେଳେ ବାକି ସବୁ ନେଗେଟିଭ୍‌ ରହିଛି । ତିନି ଜଣ ଯାକ ପଜେଟିଭ୍‌ ଭୁବନେଶ୍ୱରର । ପ୍ରଥମ ଦୁଇଜଣ ସୁସ୍ଥ ଅଛନ୍ତି । ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ବ୍ୟକ୍ତିଙ୍କୁ ଅବଜର୍ଭେସନ୍‌ରେ ରଖାଯାଇଛି । ତାଙ୍କ ଠାରେ ଜ୍ୱର ଓ କାଶର ଲକ୍ଷଣ ରହିଛି । ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଛନ୍ତି ତା ସ୍ପଷ୍ଟ ହାଇନାହିଁ । ଏ ନେଇ ଅନୁସନ୍ଧାନ ଚାଲିଛି ବୋଲି ସେ କହିଛନ୍ତି ।
ତୃତୀୟ ସଂକ୍ରମିତ ତିନିଟି ହସପିଟାଲ ବୁଲିଛନ୍ତି । ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ଦୁଇରୁ ତିନି କିମ୍ବା ଚାରି ଜଣଙ୍କୁ ସଂକ୍ରମିତ କରି ପାରେ । ଆଉ କିଛି ଲୋକଙ୍କ ଠାରୁ ଅଧିକ ବେଗରେ ସଂକ୍ରମଣ ହୁଏ । ଯାହା ଦକ୍ଷିଣ କୋରିଅରରେ ଘଟିଛି । ଜଣେ ମହିଳା ୧୧୬୦ ଜଣଙ୍କୁ ସଂକ୍ରମିତ କରିଥିଲେ । ତେଣୁ ଏଭଳି ଲକ୍ଷଣ ଥିବା ବ୍ୟକ୍ତିମାନେ ୧୦୪ ହେଲପଲାଇନ୍‌ର ନିର୍ଦ୍ଦେଶ ନଆସିଲା ପର୍ଯ୍ୟନ୍ତ ଘର ସୀମାରେଖା ଆଦୌ ଡେଇଁବା ଉଚିତ ନୁହେଁ ବୋଲି ବାଗଚୀ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ସାରା ରାଜ୍ୟରେ ଶହେଟି ଟିମ୍‌ ଆସି କାମ କରୁଥିବା ନେଇ ସୂଚନା ଦେବା ସହ ଏପର୍ଯ୍ୟନ୍ତ ରାଜ୍ୟ ବାହାରୁ ଫେରିଥିବା ୪୪୯୫ ଜଣ ପଞ୍ଜୀକରଣ କରିଥିବା ବେଳେ ଏବେ ୩୭ ଜଣ ଆଇସୋଲେସନ୍‌ରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

6 − 1 =