ଖର୍ଚ୍ଚ ହେଉଛି ଲକ୍ଷାଧିକ, ଚାଲିପାରୁନି ବିଧାନସଭା

ଭୁବନେଶ୍ୱର () ଆଜିବି ଚାଲିପାରିଲାଣି ବିଧାନସଭା । ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇ ଗୃହ ବନ୍ଦ ହେଉଛି । ଦୈନିକ ବିଧାନସଭା ପରିଚାଳନା ପାଇଁ 66 ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି । ବିଧାୟକଙ୍କ ଦୈନିକ ଭତ୍ତା ସହ ସୁରକ୍ଷାକର୍ମୀଙ୍କ ଖର୍ଚ୍ଚ, ବିଦ୍ୟୁତ ଶୁଳ୍କ ବିଧାନସଭା ସଚିବାଳୟ ଖର୍ଚ୍ଚ ଏମିତି ସବୁ ମିଶିଲେ ଦୈନିକ 66 ଲକ୍ଷରୁ ଅଧିକ ଖର୍ଚ୍ଚ ହେଉଛି । କିନ୍ତୁ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ କୌଣସି ପ୍ରସଙ୍ଗରେ ଆଲୋଚନା ହୋଇପାରୁନି ।

ଚାଷୀ ଓ ନିଯୁକ୍ତି ପ୍ରସଙ୍ଗକୁ ନେଇ ଆଜିବି ଅଚଳ ହେଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ଚାଷୀ ଓ ନିଯୁକ୍ତି ସମସ୍ୟାକୁ ନେଇ ନାରାବାଜି କରିଥିବା ବେଳେ ବିଜେପି ବେକାରୀ ସମସ୍ୟାକୁ ନେଇ ହଟ୍ଟଗୋଳ କରିଥିଲା ।

କଂଗ୍ରେସ ବିଧାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2600 ଟଙ୍କା କରିବା ସହ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି କିମ୍ବା 3500 ଟଙ୍କା ବେକାରୀ ଭତ୍ତା ଦେବାକୁ ଦାବି କରିଛି । ଏଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ସେହିଭଳି ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟ ସରକାର 2009ରୁ ଏଯାଏଁ ମାତ୍ର 26 ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ବିଦେଶୀ କମ୍ପାନୀ ପୁଞ୍ଜିନିବେଶ କରୁଥିଲେ ବି ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି ।
ସେପଟେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ପାଖରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସଙ୍ଗ ନାହିଁ । ରାଜ୍ୟପାଳଙ୍କ ଅଭିଭାଷଣ ଓ ମୁଲତବୀ ନୋଟିସ ଆଲୋଚନା ମାଧ୍ୟମରେ ଚାଷୀ ଓ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନାର ସୁଯୋଗ ଥିଲା । କିନ୍ତୁ ଦୁଇ କେନ୍ଦ୍ରୀୟ ଦଳ ରାଜ୍ୟ ସ୍ୱାର୍ଥ ପାଇଁ ଆଗ୍ରହୀ ନୁହଁନ୍ତି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

3 + 1 =