ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ବିଫଳ

ଭୁବନେଶ୍ୱର () ତିନୋଟି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଆଜି ବିଧାନସଭାରେ ସରକାରଙ୍କ ଖମଖିଆଲ ମନୋବୃତିକୁ ନେଇ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ଆଜି ପୂର୍ବାହ୍ନ ଅଧିବେଶନ ଚାଲିପାରିନଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ଆଲୋଚନା ବିଫଳ ହୋଇଛି ।

ଦୁଇଦିନ ଧରି କଂଗ୍ରେସ ଚାଷୀ ଆନ୍ଦୋଳନ ଓ ବଲାଙ୍ଗୀର ବନ୍ଦକୁ ନେଇ ବିଧାନସଭାରେ ସତର୍କ କରାଯାଇଥିଲା । ବଲାଙ୍ଗୀର ବାଇପାସ ପାଇଁ ୨୦୦୧ରୁ ଶୁଭ ଦିଆଯାଇଥିଲା । ଏଯାଏଁ କାମ ଆରମ୍ଭ ହୋଇନି । ଲୋୟର ସୁକତେଲ ୨୦ ବର୍ଷ ହେଲା ଆରମ୍ଭ ହେଲାଣି, ସରୁନି । ସେହିଭଳି ଟୋକନ ବ୍ୟବସ୍ଥା ଏବଂ ଧାନ ସଂଗ୍ରହ ପାଇଁ ସୀମା ନିର୍ଦ୍ଧାରଣକୁ ଉଚ୍ଛେଦ କରିବାକୁ କଂଗ୍ରେସ ଦାବି କରିଛି । ମିଲ ମାଲିକମାନେ ଏହାଦ୍ୱାରା ଲାଭବାନ ହେବେ । ଏନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସରକାରୀ ଦଳ ସମାଧାନ ନୁହଁ, ବିରୋଧୀଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି । ତେଣୁ ଆଲୋଚନା ବିଫଳ ହେଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ବିଜେପି ମଧ୍ୟ ଚାଷୀ ଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରକାର ସମାଧାନ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛି । ତେବେ ସରକାରୀ ମୁଖ୍ୟ ସଚେତକ କହିଛନ୍ତି ଯେ, ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇଛି । ସେ ଆଲୋଚନାରେ ବିଜେପି ଭାଗ ନେଇନଥିଲା । ଆସନ୍ତାକାଲି ଗୃହ ବିଭାଗ ଖର୍ଚ୍ଚଦାବୀ ଆଲୋଚନରେ ଏହି ପ୍ରସଙ୍ଗରେ ବିଜେପି ପୁଣି ଆଲୋଚନା କରିପାରିବେ । ସେହିଭଳି ଚାଷୀ ଆନ୍ଦୋଳନର ସମାଧାନ ପାଇଁ ଜଣେ ମନ୍ତ୍ରୀ ଓ ଉପମୁଖ୍ୟ ସଚେତକଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

Share

Leave a Reply

Your email address will not be published. Required fields are marked *

twelve − 8 =