ଇନ୍‌କମିଂ କଲ୍‌ ସେବା ପାଇଁ କେନ୍ଦ୍ର ଟେଲିକମ୍‌ ସଚିବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି

ଭୁବନେଶ୍ୱର () କରୋନା ବିପତ୍ତି ଯୋଗୁଁ ସାରା ରାଜ୍ୟ ଏବେ ସଙ୍କଟରେ । ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ନାନାଦି ସମସ୍ୟା ସାମ୍ନା କରୁଛନ୍ତି । ଏପରିସ୍ଥଳେ କୌଣସି ଟେଲି ସେବା ଯୋଗାଉଥିବା ସଂସ୍ଥା କୌଣସି ମୋବାଇଲ ନମ୍ବରରୁ ଇନ୍‌କମିଂ କଲ୍‌ ବନ୍ଦ ନକରୁ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଆଜି କେନ୍ଦ୍ରକୁ ଏହି ଅନୁରୋଧ କରିଛନ୍ତି ।

ଶ୍ରୀ ତ୍ରିପାଠୀ ଏନେଇ କେନ୍ଦ୍ର ଟେଲିକମ୍‌ ସଚିବ ଅଶୁଂ ପ୍ରକାଶଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି, ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ପ୍ରାୟ ସମସ୍ତ ସେବା ବନ୍ଦ ରହିଛି । କେବଳ ନିତିଦିନିଆ ସାମଗ୍ରୀ ଯୋଗାଉଥିବା ଦୋକାନ ଓ ଅତ୍ୟାବଶ୍ୟକୀୟ ସେବା ଖୋଲା ଅଛି । ଏଥିଯୋଗୁଁ ଲୋକମାନେ ବଜାରକୁ ଯାଇ ରିଚାର୍ଜ କରିବା ସମ୍ଭବ ହେଉନାହିଁ । ସେପଟେ ଏଭଲି ଘଡିସନ୍ଧି ମୁହୂର୍ତ୍ତରେ ମୋବାଇଲ୍‌ ସେବା ବନ୍ଦ ହେଲେ, ନିଜ ପରିବାରବର୍ଗ ଓ ବନ୍ଧୁଜନଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ମାସ ଯାଏଁ ନିରନ୍ତର ମୋବାଇଲ୍‌ ସେବା ମିଳିବା ନିହାତି ଜରୁରୀ । କୌଣସି ମୋବାଇଲ୍‌ ନମ୍ବରରୁ ଇନ୍‌କମିଂ କଲ୍‌ ନ କାଟିବା ପାଇଁ ସମସ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ସେ ଟେଲିକମ୍‌ ସଚିବଙ୍କୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 12 =