ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ :ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର() ଶିକ୍ଷା ଦ୍ୱାରା ସମାଜର ନୂତନ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇପାରିବ । ତେଣୁ ଶିକ୍ଷକତାକୁ ଏକ ବୃତ୍ତି ନଭାବି ବ୍ରତ ଭାବରେ ଗ୍ରହଣ କରିବାକୁ ପଡିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ।

ଆଜି କୃଷି ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ଚୟନ କରାଯାଇଥିବା ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କର ନିଯୁକ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କହିଥିଲେ ଶିକ୍ଷକମାନେ ଛାତ୍ରମାନଙ୍କର ମାର୍ଗଦର୍ଶନ । ତେଣୁ ଶିକ୍ଷକମାନେ ପ୍ରଭାବଶାଳୀ ହେବା ଆବଶ୍ୟକ । ବ୍ୟକ୍ତିଗତ ସଫଳତାକୁ ସମାଜର ବୃହତ୍ତର ସ୍ୱାର୍ଥ ନିମନ୍ତେ ଉପଯୋଗ କରିବାରେ ମାନସିକତା ରହିଲେ ସଫଳତାର ଶୀର୍ଷରେ ପହଂଚି ହେବ ବୋଲି ମନ୍ତ୍ରୀ କହିଥିଲେ । ଏହି ନିଯୁକ୍ତିକୁ ନୂତନ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରଥମ ଭେଟି ବୋଲି ମନ୍ତ୍ରୀ କହିଥିଲେ ।

ଉଚ୍ଚଶିକ୍ଷାକୁ ଏକ ଉଚ୍ଚତର ସୋପାନରେ ପହଂଚାଇବା ପାଇଁ ବିଭାଗ ତରଫରୁ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ନିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ଟିକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଇ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ ।

ଏହି ନିଯୁକ୍ତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୧୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ଏମାନଙ୍କ ମଧ୍ୟରେ ୧୪ ଜଣ ଦିବ୍ୟାଙ୍ଗ ଅଧ୍ୟାପକ/ଅଧ୍ୟାପିକା ଥିବାବେଳେ ଜଣେ ଖେଳାଳୀ, ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ବୋଟାନିରେ ୨ ଜଣ, ବାଣିଜ୍ୟରେ ଜଣେ, ରସାୟନରେ ଜଣେ,ଇଂରାଜୀରେ ୪ଜଣ, ଲଜିକ ଓ ଫିଲୋସଫିରେ ୨ଜଣ, ପଦାର୍ଥ ବିଜ୍ଞାନରେ ଜଣେ, ରାଜନୀତି ବିଜ୍ଞାନରେ ୩ଜଣ, ଗଣିତରେ ଜଣେ,ଜୁଲୋଜିରେ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

twenty − two =