ବର୍ଦ୍ଧିତ ଖାଦ୍ୟ ଚାହିଦା ପୂରଣ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ

ଭୁବନେଶ୍ୱର () ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ଦିଗରେ କୃଷି କ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ । ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ପଦାର୍ଥ ଉତ୍ପାଦନର ଜ୍ଞାନ କୌଶଳ ପ୍ରୟୋଗ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ପରିବେଶ ଅନୁକୂଳ ଚାଷ କାର୍ଯ୍ୟ ନିମନ୍ତେ ଅଧିକ ଗବେଷଣା ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡଃ. ସାହୁ କହିଛନ୍ତି ପ୍ରତି ମୁହୂର୍ତ୍ତରେ ଯେତେବେଳେ ମଣିଷର ଜ୍ଞାନର ଭଣ୍ଡାରର ପରିସୀମା ବୃଦ୍ଧି ପାଉଛି, ଠିକ୍‌ ସେତିକିବେଳେ ମାନବ ସମାଜ ନୂତନ ଆହ୍ୱାନର ମଧ୍ୟ ସମ୍ମୁଖୀନ ହେଉଛି ।

ସଂପ୍ରତି ମଣିଷ ସମାଜ କୋଭିଡ-୧୯ ପରି ଏକ ଜଟିଳ ପରିସ୍ଥିତି ନେଇ ଗତି କରୁଥିବା ବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଜନସାଧାରଣଙ୍କ ମୌଳିକ ଚାହିଦା ମେଣ୍ଟାଇବା ସହିତ ସେମାନଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଥିଲା । ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡିତ ୭୦ ପ୍ରତିଶତରୁ ଅଧିକ ଲୋକଙ୍କର ଆୟ ବୃଦ୍ଧି କରିବା ଆବଶ୍ୟକ । କୃଷକମାନଙ୍କର ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ ଆଧୁନିକ ଜ୍ଞାନ କୌଶଳ ଉଦ୍ଭାବନ ଓ ଏହାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏଥିସହିତ କୃଷି କ୍ଷେତ୍ରରେ କୋଭିଡ୍‌-୧୯ ପୂର୍ବର ସ୍ଥିତି ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ କୃଷି ବିଶ୍ୱବିଦ୍ୟାଳୟ ଗବେଷଣା କରି ନିର୍ଯାସ ବାହାର କରିପାରିଲେ ଏହା ଭବିଷ୍ୟତରେ ନୀତି ନିର୍ଦ୍ଧାରଣ ନିମନ୍ତେ ସହାୟକ ହେବ ବୋଲି ମନ୍ତ୍ରୀ ଡଃ. ସାହୁ କହିଥିଲେ ।

ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡଃ. ପବନ କୁମାର ଅଗ୍ରୱାଲ ପୌରହିତ୍ୟ କରିବା ଅବସରରେ କୃଷି ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ରରେ ମାନବୃଦ୍ଧି ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ ।

ସାଂପ୍ରତିକ ସ୍ଥିତିର ଚାହିଦା ଅନୁଯାୟୀ ପାଠ୍ୟ ଖସଡା ଓ ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଛି । ଏଥିସହିତ ଛାତଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟୋଗାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଡଃ. ଅଗ୍ରୱାଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ନେବ୍ରାସ୍କା ଲିଙ୍କନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ପି.ଷ୍ଟିଫେନ ବେନଜିଗର ଏବଂ ପ୍ରଫେସର ଚିତ୍ତରଞ୍ଜନ ରାୟ ପ୍ରମୁଖ ଯୋଗଦେଇ ବିଶ୍ୱର ଖାଦ୍ୟ ସୁରକ୍ଷା ପୂରଣ ଦିଗରେ କୃଷିର ଭୂମିକା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଏ ଦିଗରେ ହାଇବି୍ରଡ୍‌ ଗହମ ଉତ୍ପାଦନ ଓ ଜଳସେଚନର ଉପଯୋଗିତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ।

ଉତ୍ସବ ପ୍ରାରମ୍ଭରେ କୃଷି ମହାବିଦ୍ୟାଳୟର ଡିନ ପ୍ରଫେସର ସଞ୍ଜୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ କୃଷି ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଶାଖାର ଡିନ ପ୍ରଫେସର ଲଳିତ ମୋହନ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରକାଶିତ ପୁସ୍ତକ, ନିଉଜ୍‌ଲେଟର, ସୂଚନା ପୁସ୍ତିକା ସହିତ ସିଡି ଆଦିର ଶୁଭ ଉନ୍ମୋଚନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × two =