ନୂତନ ଚାଷୀ ଓ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯାଇଛି

ଭୁବନେଶ୍ୱର () ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ ଖରିଫ୍‌ ଚାଷ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଯୁକ୍ତ ସମନ୍ୱୟରେ ଠିକଣା ସମୟରେ ଚାଷୀମାନଙ୍କୁ ଆବଶ୍ୟକ ବିହନ, ସାର ଓ ଅନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଫସଲ ଋଣ ଯୋଗାଣ କ୍ଷେତ୍ରରେ ନୂତନ ଚାଷୀ ଏବଂ ଯୁଗ୍ମଦେୟ ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଚଳିତ ଖରିଫ୍‌ ଫସଲରେ ବିବିଧିକାରଣ କରାଯାଇ ଅଧିକ ଅଣଧାନ ଫସଲ ଯଥା-ଡାଲି, ତୈଳବୀଜ, ପନିପରିବା ଆଦି ଅର୍ଥକରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଉଲ୍ଲେଖ କରିଛନ୍ତି ।

ଆଜି କୃଷି ଭବନରେ ଆୟୋଜିତ କୃଷି ଓ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମନ୍ୱୟ ବୈଠକରେ ଉଭୟ ବିଭାଗର ସମନ୍ୱୟ ଉପରେ ଉଭୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏବଂ ଡ. ସାହୁ ଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ପ୍ରତି ମାସର ପ୍ରଥମ ଶନିବାର ଓ ତୃତୀୟ ଶନିବାର ଦିନ ବ୍ଲକ୍‌ସ୍ତରରେ ଅନୁଷ୍ଠିତ ହେଉଥିବା ବ୍ଲକ୍‌ସ୍ତରୀୟ ଟେକ୍ନିକାଲ ଟିମ୍‌ର ବୈଠକ ଅଧିକ ଉପଯୋଗୀ ହୋଇପାରିବ । ସମବାୟ, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଆଦି ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ମିଳିତ ଭାବେ କାର୍ଯ୍ୟକରି ତୃଣମୂଳ ସ୍ତରରେ ଚାଷୀମାନଙ୍କର ସମସ୍ୟାର ସମାଧାନ କରିବେ ବୋଲି ଆଜି ଏହି ସମନ୍ୱୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ସୌରଭ ଗର୍ଗ, ସ୍ୱତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଟ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ରହି ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ଉନ୍ନତମାନର ବିହନ, ସାର, ଖରିଫ ଫସଲ ଋଣ ଯୋଗାଣ, ଫସଲ ବୀମା ଏବଂ କୃଷିଜାତ ଦ୍ରବ୍ୟର ବିକି୍ରବଟା, ରବି ଫସଲ ସଂଗ୍ରହ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଫସଲ ଋଣ ଯୋଗାଣ କ୍ଷେତ୍ରରେ ନୂତନ ଚାଷୀମାନଙ୍କୁ ଅଗ୍ରାଧିକାର ଦେବା ସହିତ ମୋଟ ଫସଲ ଋଣର ଅନ୍ତତଃପକ୍ଷେ ୧୦ ପ୍ରତିଶତ ଋଣ ଯୋଗାଇ ଦେବା ପାଇଁ ସମବାୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ସମବାୟ ମନ୍ତ୍ରୀ କହିଥିଲେ । ଏଥିସହିତ ବାଣିଜି୍ୟକ ବ୍ୟାଙ୍କମାନେ କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବାର ଆବଶ୍ୟକତା ଦୃଷ୍ଟିରୁ ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା ।

କୋଭିଡ-୧୯ ସ୍ଥିତିରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପ୍ରବାସୀମାନେ ଓଡ଼ିଶାକୁ ଫେରିଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ ଜରିଆରେ କୃଷି କ୍ଷେତ୍ରରେ ନିୟୋଜିତ କରି କୃଷିଋଣ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏ ଦିଗରେ କୃଷକ ସୂଚନା ଏବଂ ପରାମର୍ଶଦାତା ବୈଠକ (ଏଫ୍‌ଆଇଏସି) ଏବଂ କୃଷକ ସାଥୀ ଓ ସମବାୟ ସଂପ୍ରସାରଣ ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ଚଳିତ ଖରିଫରେ ଚାଷୀମାନଙ୍କୁ ୯୦୦୦ କୋଟି ଟଙ୍କାର ଫସଲ ଋଣ ସମବାୟ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

ବୈଠକରେ ଚଳିତ ରବିଧାନ ସଂଗ୍ରହ ସହିତ ମକା, ଡାଲି ଓ ତୈଳବୀଜ, ରାଶି, କପା ଆଦି ସଂଗ୍ରହ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଚାଷୀମାନେ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ୍‌ ମୂଲ୍ୟ ପାଇ ପାରିବେ ସେ ଦିଗରେ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଭିତ୍ତିଭୂମିର ଉପଯୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଫସଲବୀମା ଯୋଜନାରେ ଚଳିତ ବର୍ଷ ଅଧିକରୁ ଅଧିକ ଫସଲ ଋଣ କରି ନଥିବା ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରାୟ ୩୦ ଲକ୍ଷ ଚାଷୀ ଫସଲବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ସମବାୟ ସମିତି ସମୁହର ନିବନ୍ଧକ, ମାର୍କଫେଡ୍‌ର ଓଡ଼ିଶା ରାଜ୍ୟ ବିହନ ନିଗମ ଏବଂ ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

3 + 17 =