ଖରିଫ ଚାଷର ଅଗ୍ରଗତି ସଂପର୍କରେ କୃଷିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର() କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି ଉଲ୍ଲେଖନୀୟ ଅବଦାନ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂବାର୍ହ୍ନରେ ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ ଆୟୋଜିତ ବୈଠକରେ କୃଷି ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ତଥା ଖରିଫ ଚାଷର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ଼ଃ ସାହୁ କହିଲେ କୋଭିଡ୍‌-୧୯ ପରିସ୍ଥିତି ଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ କୃଷି ତାର ଗୁରୁତ୍ୱପୁର୍ଣ୍ଣ ଭୂମିକା ପ୍ରତିପାଦନ କରିବା ଦିଗରେ ଏକ ସୁଯୋଗ ଆଣିଦେଇଛି ।

କୃଷିକୁ ସର୍ବଦା ପ୍ରାଥମିକତା ପ୍ରଦାନ କରିବା ସହିତ ପରିସ୍ଥିତିକୁ ସୁଧାରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିୟମିତଭାବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ଜୀବିକାଅର୍ଜନ ଦିଗରେ ୨୦୦ କୋଟିର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସ୍ୱତନ୍ତ୍ର ପ୍ୟାକେଜ
ଫଳରେ ୨୫ ଲକ୍ଷ ଚାଷୀ ଉପକୃତ ହୋଇପାରିବେ । ଏଥି ନିମନ୍ତେ ତୁରନ୍ତ ଯୋଗ୍ୟ ହିତାଧିକାରୀ ଚୟନକରି ପ୍ୟାକେଜ ବଂଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମନ୍ତ୍ରୀ ଡ଼ଃ ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷାକରି ସମୟ ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ
ଚାଷୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଓ ଜ୍ଞାନକୌଶଳ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ ।

ଏଥିସହି କୃଷିଜାତ ଦ୍ରବ୍ୟର ସୁବିଧାରେ ବିକ୍ରିବଟା ଉପରେ ଅଧିକ ଦୃଷ୍ଟି ଦେବାପାଇଁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ସୌରଭ ଗର୍ଗ ‘ମୋ ପୋଖରୀ’ (ୠବକ୍ସଜ୍ଞ ଚକ୍ଟଦ୍ଭୟ) ଯୋଜନାର ହିତାଧିକାରୀ ଚୟନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଅଧିକ ପ୍ରକଳ୍ପ ନିମନ୍ତେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

‘ମୋ ପୋଖରୀ’ ଖନନ ମାଧ୍ୟମରେ ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ସହିତ ଜଳସେଚନର ସୁବିଧା ନିମନ୍ତେ ୧,୦୩,୦୦୦ ଗୋଟି ‘ମୋ ପୋଖରୀ’ ଖୋଳାଯିବାର ଲକ୍ଷ୍ୟ ରଖାଯାଇଛି ।
ବୈଠକରେ ପ୍ରତି ସୋମବାର ଦିନ ପଂଚାୟତ ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀଙ୍କ ଦ୍ୱାରା ବୈଠକ ଆୟୋଜନ କରି ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ପ୍ରତି ୧୫ ଦିନରେ ବ୍ଲକସ୍ତରର ବିଭିନ୍ନ ବିଭାଗର ପ୍ରତିନିଧିଙ୍କୁ ନେଇ ଗଠିତ ବ୍ଲକସ୍ତରୀୟ \0 ବୈଷୟିକ ଟିମ୍‌ର ବୈଠକର ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତୃଣମୂଳ ସ୍ତରରେ ଉପରୋକ୍ତ ବୈଠକ ଗୁଡ଼ିକର ନିୟମିତ ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ପ୍ରତିମାସରେ ଜିଲ୍ଲାସ୍ତରରେ ସମନ୍ୱୟ ବୈଠକ ଆୟୋଜନ କରି ଚାଷୀମାନଙ୍କର ସମସ୍ୟାର ସମାଧାନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ  ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିସହିତ ବୈଠକରେ ଖରିଫ ଚାଷ ନିମନ୍ତେ ଆବଶ୍ୟକ ଉନ୍ନତମାନର ବିହନ, ସାର ଆଦି ଯୋଗାଣ ବିଷୟରେ ସମୀକ୍ଷା କରାଯାଇଥିଲା । ଚଳିତ ବର୍ଷ ଫସଲବୀମା ଯୋଜନାରେ ଅଧିକରୁ ଅଧିକ ଅଣଋଣୀ ଚାଷୀମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । କୃଷି ବିଭାଗ ପକ୍ଷରୁ ପ୍ରଚଳନ କରାଯାଇଥିବା ‘ଆମ କୃଷି’ ଟୋଲ୍ ଫ୍ରି ହେଲ୍ପ୍ ଲାଇନ ଜରିଆରେ ଚାଷୀମାନଙ୍କୁ ଚାଷକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକ ସେବା ଯୋଗାଇ ଦିଆଯାଉଥିବା କ୍ଷେତ୍ରରେ ଏହାର ବହୁଳ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏଥି ସହିତ ପଂଚାୟତ ସ୍ତରରେ ହ୍ୱାଟ୍ସଆପ୍ ଗ୍ରୁପ ଗଠନ କରି ଚାଷୀମାନଙ୍କ ପାଇଁ ଆବଶ୍ୟକ ଚାଷ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା
ଉପଯୋଗୀ ହୋଇପାରୁଛି ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏତଦ୍ ବ୍ୟତୀତ ବୈଠକରେ ଫସଲର ବିବିଧକରଣ, ବୃକ୍ଷରୋପଣ, ଚାରା ପ୍ରସ୍ତୁତି, କୋଭିଡ଼-୧୯ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର, କୃଷି ଓ ଖାଦ୍ୟ  ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷିର ନିର୍ଦ୍ଦେଶକ, ଶ୍ରୀ ରୋହିତ କୁମାର ଲେଙ୍କା, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିବାବେଳେ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକର କୃଷି ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ବୈଠକରେ ଯୋଗଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

twenty − fifteen =