ଖରିଫ୍‌ ଚାଷ ନିମନ୍ତେ ବିହନ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି

ଭୁବନେଶ୍ୱର () କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚାଷ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଜିଲ୍ଲାର ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ବିହନ ଯୋଗାଣ ଦିଗରେ ଅଧିକ ତତ୍ପରତା ପ୍ରକାଶ କରିବା ଦିଗରେ ମନ୍ତ୍ରୀ ଡ.ସାହୁ ଗୁରୁତ୍ୱାରୋପ କରିଛନ୍ତି ।

ଆଜି ପୂର୍ବାହ୍ନରେ ଡ. ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମ ପରିଚାଳିତ ସାମନ୍ତପୁରସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିବା ସହିତ ରାଜ୍ୟ ବିହନ ପରୀକ୍ଷାଗାର, ଜିନ୍‌ ବ୍ୟାଙ୍କ୍‌ ଏବଂ ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିଥିଲେ । ସାମନ୍ତପୁରର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ମନ୍ତ୍ରୀ ଡ. ସାହୁ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ପ୍ୟାକିଂ ଆଦି ହେଉଥିବା କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ବିହନ ପରୀକ୍ଷାଗାରରେ ବିହନର ଗୁଣାତ୍ମକ ମାନ କିପରି ପରୀକ୍ଷା କରାଯାଇଛି ସେ ସଂପର୍କରେ ପଚାରି ବୁଝିଥିଲେ ଏବଂ ସର୍ବଦା ବିହନର ଗୁଣାତ୍ମକ ମାନ ବଜାୟ ରଖିବା ଦିଗରେ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସେଠାରେ ଥିବା ବିହନର ଏକ ଜିନ୍‌ବ୍ୟାଙ୍କ ମଧ୍ୟ ବୁଲି ଦେଖିଥିଲେ । ଏହି ଜିନ୍‌ ବ୍ୟାଙ୍କରେ ପ୍ରାୟ ୧୨୦୦ରୁ ୧୩୦୦ ପ୍ରକାରର ବିହନ ସାଇତି ରଖାଯାଇଥିବା ମନ୍ତ୍ରୀ ଡ. ସାହୁ ଦେଖିଥିଲେ ।

ଏହାପରେ ମନ୍ତ୍ରୀ ଡ. ସାହୁ ଓଡ଼ିଶା ରାଜ୍ୟ ବିହନ ନିଗମର ଚନ୍ଦକାସ୍ଥିତ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ବିହନର ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଏବଂ ଗୋଦାମରେ ବିହନ କିପରି ସୁରକ୍ଷିତ ଭାବେ ରଖାଯାଉଛି ସେ ସବୁକୁ ବୁଲି ଦେଖିଥିଲେ । ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର ଏବଂ ଉପସ୍ଥିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ରାଜ୍ୟରେ କୋଭିଡ୍‌-୧୯ ପରିସ୍ଥିତିରେ ଚାଷୀମାନଙ୍କୁ ବିହନ ଯୋଗାଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପଚାରି ବୁଝିଥିଲେ । ଚାଷୀମାନେ ଯେପରି ଠିକଣା ସମୟରେ ଉନ୍ନତ ମାନର ବିହନ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରିବା ନିମନ୍ତେ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × two =