ମୋତେ କାହିଁକି ସବୁବେଳେ ସମ୍ବର୍ଦ୍ଧନା ଦେଉଛ ? ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ

ନୟାଗଡ଼ () ମୋତେ କାହିଁକି ସବୁବେଳେ ସବୁଠାରେ ସମ୍ବର୍ଦ୍ଧନା ଦେଉଛ ? ମୋତେ ସମସ୍ତେ କାହିଁକି ଫୁଲ ତୋଡ଼ା ଦେଉଛ ? ବାଣ ଫୁଟାଇ ବାଜା ବଜାଇ ସ୍ୱାଗତ କରୁଛ ? ଭଗବାନ ତୁମକୁ ଯେପରି ଆଖି, କାନ, ମୁଣ୍ଡ, ହାତ, ଗୋଡ଼ ଓ ହୃଦୟ ଦେଇ ଏ ପୃଥିବୀରେ ମଣିଷ ଋପ ଦେଇଛନ୍ତି, ମୁଁ ସେହିଭଳି ତୁମ ମାନଙ୍କ ଭଳି ଜଣେ ସାଧାରଣ ମଣିଷ । ଏସବୁକୁ ପରିତ୍ୟାଗ କରି ମୋତେ ‘କମନମ୍ୟାନ’ ହେବାକୁ ସୁଯୋଗ ଦିଅ । ବ୍ରିଟିସ ଶାସନ ଯାଇଛି, ରାଜତନ୍ତ୍ର ଶାସନ ଥିଲା । ଏବେ ଗଣତନ୍ତ୍ର ଶାସନ ।

ଗଣତନ୍ତ୍ର ଶାସନରେ ମନ୍ତ୍ରୀ ଏକ କ୍ଷମତାଶୀଳ ପଦବୀ ବୋଲି ସମସ୍ତେ ଭାବନ୍ତି । ହେଲେ ମୋ ମତରେ ଏକ ମନ୍ତ୍ରୀତ୍ୱ କ୍ଷମତା ନୁହେଁ, ଦାୟିତ୍ୱ । ଗୁରୁ ଦାୟିତ୍ୱ । ନୟାଗଡ଼ ବାସୀଙ୍କ ଭଲପାଇବା ପାଇବା ସହ ନିର୍ବାଚିତ ହୋଇ ବିଧାନସଭା ଯାଇଛି । ଏହି ବିଧାୟକ ପଦବୀ ନୟାଗଡ଼ ବାସୀ ମୋତେ ଦେଇଛନ୍ତି । ମୁଁ ଯେଉଁ ଦାୟିତ୍ୱ, ଗୁରୁ ଦାୟିତ୍ୱ ନେଇ ଓଡ଼ିଶା ବାସୀଙ୍କ ପାଇଁ କାମ କରୁଛି ତାହା ହେଉଛି ମୋ କର୍ତ୍ତବ୍ୟ । ସାଧାରଣ ମଣିଷ ଯେପରି ପ୍ରତ୍ୟେକ ଦିନ ନିତ୍ୟକର୍ମ କରିବା ସହ ତା କର୍ମ କରି ଚାଲିଛି, ମୁଁ ସେଭଳି ମୋ କର୍ମକୁ ଗୁରୁତ୍ୱ ଦେଉଛି । ସକାଳ ୬ରୁ ରାତି ୧୨ ମୁଁ କର୍ମ ଉପରେ ବିଶ୍ୱାସ ରଖୁଛି । ବେଳେବେଳେ ରାତି ଅନିଦ୍ରା ହୋଇ କର୍ମ କରୁଛି । କଷ୍ଟ ହେଉଛି ତଥାପି ମୁଁ ସମୟ ସହ ତାଳ ଦେଉଛି । ମୋତେ ଅସାଧାରଣ ମନେ କରିବା କିନ୍ତୁ ମୋତେ ଅଧିକ କଷ୍ଟ ଦେଉଛି । ଆପଣମାନଙ୍କ ଭଳି ମୁଁ ସାଧାରଣ ଭାବେ ସମସ୍ତଙ୍କ ପାଇଁ, ସମସ୍ତଙ୍କର ଦ୍ୱାରା ଦିଆ ଯାଉଥିବା କାମ କରିବା ଦ୍ୱାରା ସେ କଷ୍ଟ ଲାଘବ ହେଉଛି । ଛାତ୍ର ଜୀବନରୁ ରାଜନୀତିକୁ ଆସି, ରାଜନୀତି ଦ୍ୱାରା ସମାଜସେବା କରିବା ମୋର ମୂଳ ଉଦ୍ଦେଶ୍ୟ । ଛାତ୍ର ଓ ଯୁବକମାନଙ୍କୁ ସମାଜସଂସ୍କାର ପ୍ରତି ଆକୃଷ୍ଟ କରିବା ।

କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ସର୍ବୋପରି ସମସ୍ତ ଉତ୍ସବରେ ଲୋକଙ୍କୁ ବାନ୍ଧି ରଖି ଏକ ଶାନ୍ତ ଓ ପ୍ରଗତୀଶୀଳ ସମାଜ ଗଠନ ପାଇଁ ମୁଁ ଅବିରତ ଚେଷ୍ଟା କରୁଛି । ଶାନ୍ତି ଓ ଅହିଂସାର ମାର୍ଗ ଅନୁସରଣ କରି ସମାଜର ପରିବର୍ତ୍ତନ ପାଇଁ ଚେଷ୍ଟା କରୁଛି । ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପରିବାରକୁ ମୋ ଦୃହୟରେ ବସାଇଛି । ସବୁ ଲୋକଙ୍କୁ ମୋ ନିଜର ବୋଲି ସ୍ୱୀକାର କରିଛି । ଭେଦ, ଭାବ ଠାରୁ ଦୂରେଇ ସମାଜକୁ ବିକାଶ ପଥରେ ଆଗେଇ ନେବାକୁ ଚେଷ୍ଟା କରିଛି । ଯିଏ ଯେଉଁ କାମରେ ମୋତେ ଲୋଡ଼ିଛି, ଚେଷ୍ଟା କରିଛି ସେଠି ପଂହଚିବା ପାଇଁ । ପ୍ରତ୍ୟେକ ଗ୍ରାମକୁ ଯାଇଛି । ଗାଁର ପୋଖରୀଠାରୁ ଆରମ୍ଭ କରି ସ୍ମଶାନ ପର୍ୟ୍ୟନ୍ତ ସବୁକୁ ଟିକନିଖ କରି ଦେଖିଛି । ୨୦୦୪ ମସିହାରୁ ଅଦ୍ୟାବଧି ନୟାଗଡ଼ ମାଟି ମାଆର ସେବକ ଭାବେ ମୁଁ ଅନୁଭବ କରିଛି । ମୁଁ ଆପଣଙ୍କର ଅରୁଣ । ନୟାଗଡ଼ର ଜଣେ କମନମ୍ୟାନ । ଆମ ପାଇଁ ବଡ଼, ଆମ ନୟାଗଡ଼ ।

Share

Leave a Reply

Your email address will not be published. Required fields are marked *

2 × three =