ସଶସ୍ତ୍ର ସେନାବାହିନୀ ଓ ସେନାବାୟୁ ପ୍ରତିରକ୍ଷା ବାହିନୀର ଗୌରବମୟ ପରମ୍ପରା

ଗୋପାଳପୁର () ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନାବାୟୁ ପ୍ରତିରକ୍ଷା ବାହିନୀର ପରମ୍ପରା ଅତ୍ୟନ୍ତ ଗୌରବଶାଳୀ । ଗୋପାଳପୁର ସେନା ଷ୍ଟେସନ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନ ପ୍ରଦାନ ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବାଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଭାରତୀୟ ସ୍ଥଳସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଂଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁସୈନ୍ୟ ଦଳ ବିଭିନ୍ନ ସୈନ୍ୟ ଅଭିଯାନରେ ଭାଗ ନେଇଥିଲେ ।

ଏଥି ମଧ୍ୟରେ ବର୍ମା ଅଭିଯାନ, ଇମ୍ଫାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ ପୁନଃଦଖଲ, ଆରାକାନ ମାୟିତକିୟିନା, ହଂକଂ, ସିଙ୍ଗାପୁର, ମଲାୟା, ବାହାରିନ, ଇରାକ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ । ଏଥିପାଇଁ ବହୁ ବୀରତ୍ୱ ସମ୍ମାନ ମଧ୍ୟ ମିଳିଛି । ଏସବୁ ସମ୍ମାନ ମଧ୍ୟରେ ୪ଟି ମିଲିଟାରୀ କ୍ରସ, ବ୍ରିଟିଶ ସାମ୍ରାଜ୍ୟର ଏକ ପଦକ, ୭ଟି ଭାରତୀୟ ବିଶିଷ୍ଟ ସେବା ପଦକ ଏବଂ ବ୍ରିଟିଶ ସାମ୍ରାଜ୍ୟର ଦୁଇଟି ସମ୍ମାନ ପତ୍ର ସାମିଲ ରହିଛି ।

ସେନାବାୟୁ ପ୍ରତିରକ୍ଷା ବାହିନୀ ୧୯୪୦ ପରଠାରୁ ଆର୍ଟିଲାରୀର ଏକ ଅଂଶବିଶେଷ ରୂପେ କାର୍ଯ୍ୟ କରିଆସୁଛି । ଏହାକୁ ୧୯୯୪ରେ ଏକ ସ୍ୱତନ୍ତ୍ର ସଶସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନାବାୟୁ ପ୍ରତିରକ୍ଷା ବାହିନୀକୁ ୨ଟି ଅଶୋକଚକ୍ର, ୨ଟି କୀର୍ତିଚକ୍ର, ୨୦ଟି ବୀରଚକ୍ର, ୯ଟି ଶୌର୍ଯ୍ୟଚକ୍ର, ୧୧୩ଟି ସେନା ପଦକ ଏବଂ ୫୫ଟି ମ୍ୟାନସନ ଇନ ଡେସପ୍ୟାଚ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ଟି ସମ୍ମାନଜନକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

ପୂର୍ବସୂରୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଉଚ୍ଚ ମାନକକୁ ବଜାୟ ରଖିବା ଲାଗିଏହା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଥାଏ ଯଦ୍ଦ୍ୱାରା ରାଷ୍ଟ୍ରସେବାସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇରହିବ । ଏହି ଅବସରରେ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ପରେଡ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରାଯାଇଥିଲା ।

ସେନାବାୟୁ ପ୍ରତିରକ୍ଷା ବାହିନୀର ସୈନିକମାନଙ୍କୁ ସମ୍ମାନ ପ୍ରଦାନ କରାଯିବା ନେଇ ରାଷ୍ଟ୍ରପତି ସନ୍ତୋଷବ୍ୟକ୍ତ କରିଥିଲେ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନାବାୟୁ ପ୍ରତିରକ୍ଷା ବାହିନୀର ଗୌରବଶାଳୀ ପରମ୍ପରାକୁ ସ୍ମରଣ କରିଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ସେନାବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

20 − twenty =