ଏଥର ପ୍ରାୟ 11ହଜାର 200 କୋଟିର ଅତିରିକ୍ତ ବଜେଟ

ଭୁବନେଶ୍ବର () ଗୁରୁବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ 2020-21 ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟକୁ ମଂଜୁରୀ ମିଳିଛି । କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ଜୀବନ ଜୀବିକାକୁ ସର୍ବାଧିକ ଗୁରୁତ୍ବ ଦେଉଥିବାରୁ ଅତିରିକ୍ତ ବ୍ୟୟବରାଦର ଏକ ସିଂହ ଭାଗ ସ୍ବାସ୍ଥ୍ୟ ଓ ଜୀବିକା ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡିଛି । ମିଳୁଥିବା ସୂଚନା ଅନୁଯାୟୀ ସରକାର ଆସନ୍ତା ଶୀତ ଅଧିବେଶନରେ ପ୍ରାୟ 11ହଜାର 200 କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିବେ ।

କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାରୀ ଜୀବନ ସହ ଜୀବିକାକୁ ମଧ୍ୟ ସମାନ ଗୁରୁତ୍ବ ଦେଉଛନ୍ତି । ତେଣୁ ଅତିରିକ୍ତ ବଜେଟରେ ଏହି କ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ କରାଯିବାର ସମ୍ଭାବନା ରହିଛି । ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ସମସ୍ତ ବିଭାଗକୁ ସେମାନଙ୍କର ଆବଶ୍ୟକ ପ୍ରସ୍ତାବ ଧାର୍ଯ୍ୟ ସମୟରେ ଦେବାପାଇଁ କୁହାଯାଇଛି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାକୁ ଥିବାରୁ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି ।

ଅର୍ଥ ବିଭାଗର ଅଧିକାରୀମାନେ ବିଭିନ୍ନ ବିଭାଗର ଗତ ୬ମାସର ଖର୍ଚ୍ଚକୁ ଦୃଷ୍ଟିରେ ରଖି ଅତିରିକ୍ତ ବଜେଟକୁ ଶେଷ ସ୍ପର୍ଶ ଦେଉଛନ୍ତି । ବଜେଟ ବ୍ୟବସ୍ଥା ଅନୁଯାୟୀ ଅକ୍ଟୋବର ଶେଷ ସୁଦ୍ଧା ମୋଟ ବ୍ୟୟ ବରାଦ ଅର୍ଥର ୫୦ ପ୍ରତିଶତ ବ୍ୟୟ ହେବାକଥା । କିନ୍ତୁ କରୋନା ଜନିତ ଲକଡାଉନ ଓ ସଟଡାଉନ ଯୋଗୁଁ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ୩୬ ପ୍ରତିଶତରୁ ସାମାନ୍ୟ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ଗତବର୍ଷ ଏହି ସମୟରେ ବଜେଟ୍‍ ଅର୍ଥର ପ୍ରାୟ ୫୦ ପ୍ରତିଶତ ଖର୍ଚ୍ଚହୋଇ ସାରିଥିଲା ।

କ୍ଷେତ୍ର ସ୍ତରରେ କୋଭିଡ-୧୯ ପାଇଁ ଜାରି ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ଅର୍ଥ ଖର୍ଚ୍ଚହୋଇ ପାରିନାହିଁ । କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ର ଗୁଡିକରେ ବଜେଟ୍‍ ବ୍ୟୟ ଅତ୍ୟନ୍ତ ଦୁର୍ବଳ ରହିଛି । ଏହି କ୍ଷେତ୍ର ଉପରେ ରାଜ୍ୟର ୬୦ ପ୍ରତିଶତ ବ୍ୟକ୍ତି ନିର୍ଭର କରୁଥିବାବେଳେ ବିଭାଗରେ କିନ୍ତୁ ୧୬ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷର ପ୍ରଥମ ୬ମାସରେ ସାମାଜିକ କ୍ଷେତ୍ରରେ ୪୫ ପ୍ରତିଶତରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି । ସ୍ବାସ୍ଥ୍ୟସେବା, ଜୀବିକା ପ୍ରକଳ୍ପ ଭଳି ସାମାଜିକ କ୍ଷେତ୍ର ଉପରେ ସରକାର ପ୍ରାଧାନ୍ୟ ଦେବାରୁ ବ୍ୟୟ ଅଧିକ ହୋଇଥିବା ଜଣାପଡିଛି।

ସେହିଭଳି କୋଭିଡ ସମୟରେ ଖାଦ୍ୟ ସୁରକ୍ଷା ଏବଂ ସାମାଜିକ ସୁରକ୍ଷା ଆଦି କ୍ଷେତ୍ରରେ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥ ପଠାଯାଉଥିବାରୁ ଅର୍ଥ ବ୍ୟୟ ବୃଦ୍ଧି ପାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଦେଢ ଲକ୍ଷ କୋଟିର ବଜେଟ୍‍ ହୋଇଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ମାତ୍ର ୫୧ହଜାର କୋଟି ଟଙ୍କା ବ୍ୟୟ ହୋଇଛି । ତେବେ ଏଥି ମଧ୍ୟରୁ ସାମାଜିକ କ୍ଷେତ୍ରରେ ସର୍ବାଧିକ ୨୬ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ଲୋକଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ସାମାଜିକ କ୍ଷେତ୍ର ଲାଗି ଅଧିକରୁ ଅଧିକ ଅର୍ଥ ଆବଶ୍ୟକ ହେଉଛି । ତେବେ ଅତିରିକ୍ତ ଅର୍ଥ ବରାଦ ପୂର୍ବରୁ ଯୋଜନା ଖର୍ଚ୍ଚ ସଂକ୍ରାନ୍ତରେ ଅଧିକାରୀମାନେ ଟିକିନିଖି ଅନୁଧ୍ୟାନ କରିବା ସହିତ ଅଧିକ ଅର୍ଥ ବ୍ୟୟ କରିଥିବା ବିଭାଗକୁ ଗୁରୁତ୍ବ ଦେଉଥିବା ସୂଚନା ମିଳିଛି । 

୨୦୨୦-୨୧ ଆର୍ଥିକ ବର୍ଷର ମୂଳ ବଜେଟ ଦେଢ଼ ଲକ୍ଷ କୋଟି ଟଙ୍କା ଥିବାବେଳେ ଅକ୍ଟୋବର ଶେଷ ସୁଦ୍ଧା ମାତ୍ର ୫୧ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଏହା ସତ୍ତ୍ବେ ସରକାର ପୁଣି 11 ହଜାର 200 କୋଟି ଟଙ୍କା ଅତିରିକ୍ତ ବଜେଟରେ ବ୍ୟୟବରାଦ କରିଛନ୍ତି। ରାଜସ୍ବ ସଂଗ୍ରହ ଓ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବାବେଳେ ବଜେଟ ଅର୍ଥ ଭରଣା କରିବା ସରକାରଙ୍କ ପକ୍ଷେ ଏକପ୍ରକାର ଚ୍ୟାଲେଞ୍ଜ ହୋଇଥିବାରୁ ଅର୍ଥ ବିଭାଗ କେବଳ ଚଳିତ ଆର୍ଥିକ ବର୍ଷର ମୂଳ ବଜେଟରେ ଆବଣ୍ଟିତ ଅର୍ଥକୁ ଏଥର ପୁର୍ନଗଠିତ କରି ଅତିରିକ୍ତ ବଜେଟ ମାଧ୍ୟମରେ ବିଧାନସଭାରେ ଅନୁମୋଦନ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ୨୦୧୯-୨୦ ଆର୍ଥିକ ବର୍ଷର ମୂଳ ବଜେଟ ୧.୩୯ ଲକ୍ଷ କୋଟି ଟଙ୍କା ଥିବାବେଳେ ଅତିରିକ୍ତ ବଜେଟ ୮୧୨୬ କୋଟି ଟଙ୍କା ଥିଲା। ଚଳିତବର୍ଷ କରୋନା କଟକଣା ଯୋଗୁ ଆର୍ଥିକ କ୍ଷେତ୍ର ବହୁ ପରିମାଣରେ ପ୍ରଭାବିତ ହୋଇଥିବାରୁ ସରକାର ନିଜର ବଜେଟ ପ୍ରସ୍ତୁତ ନୀତିରେ ମଧ୍ୟ କେତେକ ପରିବର୍ତ୍ତନ କରିଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

three × 4 =