ପଢ଼ନ୍ତୁ ଅପରାଜିତାଙ୍କ ରିପୋର୍ଟ କାର୍ଡ଼ରେ କଣ ପ୍ରକାଶ କରିଛନ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଛି । ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଇଁ ରାଜନୀତି ଅର୍ଥ ହେଉଛି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କର ସହଭାଗିତା ନିଶ୍ଚିତ କରିବା । ସେ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କ ନିମନ୍ତେ ଗୋଟିଏ ମଂଚ ତଥା ପୃଷ୍ଠଭୂମି ପ୍ରସ୍ତୁତ କରି ଏକ ସଶକ୍ତ ସମାଜ ଗଠନ ଦିଗରେ ପ୍ରୟାସ ଜାରି ରଖିଛନ୍ତି । ଦଳ ତାଙ୍କୁ ନ୍ୟସ୍ତ କରିଥିବା ସମସ୍ତ କାର୍ଯ୍ୟକୁ ସେ ଆଗ୍ରହର ସହିତ ସମାପନ କରୁଛନ୍ତି ଏବଂ ତାଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଏଥିରେ ନିୟୋଜିତ କରୁଛନ୍ତି । ଦଳର ସଂଗଠନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଏବଂ ତାଙ୍କ ସଂସଦୀୟ କ୍ଷେତ୍ରରେ ମଜଭୁତ କରିପାରିଛନ୍ତି । ଏକ କର୍ମଠ ଟିମ୍ କୁ ସହିତ ସେ ତାଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।

ଏହି ରିପୋର୍ଟ କାର୍ଡେ ଅପରାଜିତା ଦର୍ଶାଇଛନ୍ତି ଯେ ସେ ତାଙ୍କର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସମସ୍ୟା ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ସଂସଦୀୟ ପାଣ୍ଠି ବିନିଯୋଗରେ ସୌରଚାଳିତ ରାସ୍ତାକଡ ଆଲୋକିକରଣ, ରାସ୍ତା ନିର୍ମାଣ, ଗୋଷ୍ଠୀକେନ୍ଦ୍ର ନିର୍ମାଣ, ପୋଖରୀ ଖନନ ଓ ପୁନରୁଦ୍ଧାର, ନଳକୂପ ଖନନ, ପାନୀୟଜଳ ପ୍ରକଳ୍ପ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଉପକରଣ ପ୍ରଦାନ ଏବଂ ଶ୍ମଶାନର ପୁନରୁଦ୍ଧାର ଆତି କାର୍ଯ୍ୟକ୍ରମ କରିଛନ୍ତି । ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବିଭିନ୍ନ କର୍ପୋରେଟ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଶିଳ୍ପ ସଂସ୍ଥା ସହିତ ଯୋଗାଯୋଗ କରି ସେହିସବୁ ସଂସ୍ଥାର ପାଣ୍ଠିକୁ ସାଧାରଣ ଜନତାଙ୍କ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ କରିବା ଦିଗରେ ପଦକ୍ଷେପ ନେଇଛନ୍ତି ।

ତାଙ୍କ ସଂସଦୀ କ୍ଷେତ୍ରରେ ଆବଶ୍ୟକ ହେଉଥିବା ଫ୍ଲାଇଓଭର ବ୍ରିଜ ଏବଂ ଫୁଟ ଓଭର ବ୍ରିଜ ତାଙ୍କ ପ୍ରସ୍ତାବ ଏବଂ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇପାରିଛି । ବହୁ ଗରିବ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ସେ ସୁପାରିଶ କରିଛନ୍ତି ଏବଂ ଅଟଳ ଜ୍ୟୋତି ଯୋଜନାରେ ତାଙ୍କ ସଂସଦୀ ପାଣ୍ଠିରୁ ଗତବର୍ଷ ୧ହଜାର ସୌରଚାଳିତ ଲାଇଟ ବ୍ୟବସ୍ଥା ସେ କରିଛନ୍ତି । ଏସବୁ ସହିତ ବରିଷ୍ଠ ନାଗରିକ, ବିଧବା, କଳାକାର ଭତ୍ତା ସହିତ ପଡିକାର୍ଡ ଯୋଗାଣ ଦିଗରେ ମଧ୍ୟ ସେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି ।

ମୋଟ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ସେ ପ୍ରୟାସରତ ଅଛନ୍ତି । ତାଙ୍କ ନିକଟକୁ ଆସିଥିବା ୨୧୫୦ ଅଭିଯୋଗ ମଧ୍ୟରୁ ସେ ୨୧୦୬ଟି ଅଭିଯୋଗର ସମାଧାନ କରିପାରିଛନ୍ତି । ସଂସଦୀୟ କାର୍ଯ୍ୟରେ ଅଂଶଗ୍ରହଣ ସହିତ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ ସାଂସଦ ଭାବରେ ମନୋନୀତ କରାଯାଇଥିଲା । ସଂସଦରେ ସେ ଅନେକ ଜନସ୍ୱାର୍ଥ ସମ୍ବଳିତ ସମସ୍ୟା ଓ ପ୍ରସଙ୍ଗ ଉତ୍ଥାପନ କରି ସେସବୁର ସମାଧାନ ଦିଗରେ ସରକାରୀ ବ୍ୟବସ୍ଥାକୁ କ୍ରିୟାଶୀଳ କରିପାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven − 4 =