ଅମିତାଭଙ୍କୁ ନିୟନ୍ତ୍ରଣ କକ୍ଷ ଦାୟିତ୍ୱ

ଭୁବନେଶ୍ବର()   କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗୃହ ବିଭାଗରେ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି । ଏହି ନିୟନ୍ତ୍ରଣ କକ୍ଷ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଦେବ । ନିୟନ୍ତ୍ରଣ କକ୍ଷର ଟେଲିଫୋନ୍‍ ନମ୍ବର ଦୁଇଟି ହେଲା ୦୬୭୪-୨୩୯୨୧୧୫ ଏବଂ ୯୪୩୮୯୧୫୯୮୬ । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ୧୯୯୮ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅମିତାଭ ଠାକୁର ରହିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‍ଡାଉନ ରାଜ୍ୟରେ କିଭଳି କାର୍ଯ୍ୟକାରୀ ହେଉଛି ତାହାକୁ ଏହି ନିୟନ୍ତ୍ରଣ କକ୍ଷ ଅନୁଧ୍ୟାନ କରିବ । ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଓଡିଆମାନେ ମଧ୍ୟ ଏହି ନିୟନ୍ତ୍ରଣକକ୍ଷ ସହିତ ଯୋଗାଯୋଗ କରିପାରିବେ ।

ଉଲ୍ଲେଖନୀୟ ଯେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆସନ୍ତା ୨୯ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‍ ଡାଉନ୍‍ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ଏପ୍ରିଲ୍‍ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ୍‍ ଡାଉନ୍‍ ଘୋଷଣା କରିଛନ୍ତି । ଏଥିପାଇଁ ରେଳ, ବିମାନ ସହିତ ବସ୍‍ ଚଳାଚଳ ବି ବନ୍ଦ ରହିଛି ।

ଲକ୍‍ଡାଉନ୍‍ ସମୟରେ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସହିତ ଲୋକେ ଏହାକୁ ମାନୁ ନାହାନ୍ତି । ତେଣୁ ପୁଲିସ୍‍ କିଭଳି ଏହାକୁ ନିୟନ୍ତ୍ରଣ କରିବ ତାହା ଚିନ୍ତାର କାରଣ ହୋଇଛି । ସେହିଭଳି ପରିବହନ ଯୋଗାଯୋଗ ବିଚ୍ଛିନ୍ନ ଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଓଡିଆମାନେ ମଧ୍ୟ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି ।

ରାଜ୍ୟ ସରକାର ଗୃହ ବିଭାଗରେ ଖୋଲିଥିବା ନିୟନ୍ତ୍ରଣ କକ୍ଷ ବର୍ତ୍ତମାନ ଏହି ପରିସ୍ଥିତି ଉପରେ ବିଶେଷଧ୍ୟାନ ଦେବ । ପୂର୍ବରୁ କରୋନା ପାଇଁ ରାଜ୍ୟ ସରକାର ୧୦୪ ନମ୍ବର ବଶିଷ୍ଟ ନିୟନ୍ତ୍ରଣକକ୍ଷ କାର୍ଯ୍ୟକାରୀ କରୁଥିବାବେଳେ ଏହା ଦାୟିତ୍ୱରେ ୨୦୦୨ ବ୍ୟାଚ୍‍ ଆଇଏଏସ୍‍ ଅଫିସର ଡକ୍ଟର କ୍ରିଷନ କୁମାର ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + fourteen =