ଏଣିକି ୧୦୮କୁ କଲ କଲେ ଆସିବ ୧୦୨

ଭୁବନେଶ୍ୱର () ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରେ ଚାଲୁଥିବା ସମସ୍ତ ପୁରୁଣା ୧୦୮ ଆମ୍ବୁଲାନ୍ସ ବଦଳିବ । ଏଥିପାଇଁ ନୂତନ ଆମ୍ବୁଲାନ୍ସ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ ରାଜ୍ୟରେ ଚାଲୁଥିବା ସମସ୍ତ ୧୦୮ ଆମ୍ବୁଲାନ୍ସ ନୂଆ ରୂପ ପାଇପାରିବ । ଅପରପକ୍ଷରେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଗୋଟିଏ ନମ୍ବରରେ ଯୋଡ଼ା ଯାଇଛି । ଯାହାଫଳରେ ଗୋଟିଏ ନମ୍ବରକୁ କଲ୍ କରି ଲୋକମାନେ ଦୁଇଟି ଆମ୍ବୁଲାନ୍ସ ସେବା ପାଇପାରିବେ ।

ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଚଳାଚଳ କରୁଛି । ତହିଁରୁ ୪୨୦ଟି ପୁରୁଣା ହୋଇଥିବା ବେଳେ ୯୨ଟି ନୂତନ ଆମ୍ବୁଲାନ୍ସ ରହିଛି । ତେବେ ସମସ୍ତ ପୁରୁଣା ଆମ୍ବୁଲାନ୍ସ ବଦଳରେ ନୂତନ ଆମ୍ବୁଲାନ୍ସ ଚଳାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଏହାଭିତରେ ୪୮ଟି ୧୦୮ ଆମ୍ବୁଲାନ୍ସ ବଦଳା ଯାଇଛି । ଚଳିତମାସ ଶେଷସୁଦ୍ଧା ପ୍ରାୟ ୮୦ରୁ ୧୦୦ ନୂଆ ଆମ୍ବୁଲାନ୍ସ ଏଥିରେ ସାମିଲ ହେବ । ଆସନ୍ତା ଜାନୁଆରିରେ ୧୦୦ରୁ ୨୦୦ ଓ ଫେବ୍ରୁଆରିରେ ବଳକା ପୁରୁଣା ଆମ୍ବୁଲାନ୍ସ ବଦଳରେ ନୂଆ ଆମ୍ବୁଲାନ୍ସ୍ ଚାଲିବ । ରାଜ୍ୟରେ ଏବେ ୫୨୦ଟି ୧୦୨ ଆମ୍ବୁଲାନ୍ସ କାର୍ୟ୍ୟ କରୁଛି । ମାତ୍ର ଏହି ଆମ୍ବୁଲାନ୍ସରେ ଏବେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଯୋଜନା ନ ଥିବା ଜଣାପଡ଼ିଛି ।

ଅପରପକ୍ଷରେ ପୂର୍ବରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସର ସ୍ୱତନ୍ତ୍ର କଲ୍ ସେଣ୍ଟର ରହିଥିବା ବେଳେ ଏବେ ଦୁଇଟି କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ରରୁ ଆମ୍ବୁଲାନ୍ସ ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି । ଫଳରେ ୧୦୮ ନମ୍ବରକୁ ଯୋଗାଯୋଗ କଲେ ଲୋକମାନେ ଉଭୟ ଆମ୍ବୁଲାନ୍ସ ସେବା ପାଇପାରିବେ । ଏହାସତ୍ତ୍ୱେ ମଧ୍ୟ ୧୦୨ କଲ୍ ସେଣ୍ଟର ସ୍ୱତନ୍ତ୍ର ଭାବେ କାର୍ୟ୍ୟ କରିବ । ଏହି ନମ୍ବରକୁ କଲ୍ କଲେ ରୋଗୀମାନେ ପୂର୍ବଭଳି ଆମ୍ବୁଲାନ୍ସ ସେବା ପାଇପାରିବେ ।

ଆଗାମୀ ଦିନରେ କେନ୍ଦ୍ର ସରକାର ୧୧୨ ନମ୍ବରରେ ଆମ୍ବୁଲାନ୍ସକୁ ଯୋଡ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନମ୍ବରରେ ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଭଳି ସେବା ପ୍ରଦାନ କରିବା ପାଇଁ ଯୋଜନା ହୋଇଛି । ତେବେ ଏହା କାର୍ୟ୍ୟକ୍ଷମ ହେବା ପରେ ହିଁ ରାଜ୍ୟବାସୀ ଏହାର ସୁବିଧା ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଉଲ୍ଲେଖ ଯେ, ରାଜ୍ୟରେ ୨୦୧୩ ମସିହାରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିବା ବେଳେ ୨୦୧୪ ମସିହାରେ ସ୍ତ୍ରୀ ଓ ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × four =