ମଧ୍ୟରାତ୍ରୀରୁ ଭୁବନେଶ୍ୱରରେ ସବୁ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ

ବାତ୍ୟା ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି

ଭୁବନେଶ୍ୱର () ବାତ୍ୟା ଫନିରେ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୯ଜଣଙ୍କର, କଟକରେ ୬ଜଣ, ମୟୁରଭଞ୍ଜରେ ୪ଜଣ ଏବଂ କେନ୍ଦ୍ରାପଡା ଓ ଯାଜପୁରରେ ୩ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବାତ୍ୟାରେ ଘର ବାହାରେ ଥିବା ସମୟରେ ଗଛପଡି କିମ୍ବା ବିଦ୍ୟୁତ ଖୁଣ୍ଟି ପଡି କିମ୍ବା ହୋଡିଂ ପଡି ୨୦ଜଣଙ୍କ ମୃତ୍ୟୁ ହୋଇଛି । ଘର କାନ୍ଥ ପଡି ୨୫ଜଣ ଏବଂ ଘରର ଛାତ କିମ୍ବା ଆଜବେଷ୍ଟସ ପଡି ୬ଜଣଙ୍କ ମୃତ୍ୟୁ ହୋଇଛି ।

ବାତ୍ୟାରେ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକ, ୧୮ହଜାର ୧୬୮ଟି ଗାଁର ମୋଟ ୧ କୋଟି ୬୫ ଲକ୍ଷ ୩୦ହଜାର ୯୦୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟା ପରଠାରୁ ରାଜ୍ୟ ସରକାର ରିଲିଫ ଓ ପୁର୍ନଗଠନ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ରବିବାର ମଧ୍ୟରାତ୍ରୀରୁ ଭୁବନେଶ୍ୱରରେ ବିଦ୍ୟୁତ ସଂଯୋଗ ଶତ ପ୍ରତିଶତ ପୁନଃସ୍ଥାପିତ ହୋଇଛି ।

ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ସୁଧାର ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ସବୁମନ୍ତେ ଉଦ୍ୟମ ଅବ୍ୟାହତ ରହିଛି । ରିଲିଫ୍‌ ସହାୟତା ପ୍ରଦାନ, ବିଦ୍ୟୁତ ସେବା, ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହୋଇପାରିଛି ବୋଲି ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧୧୪ଟିକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯାଇପାରିଛି । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶତପ୍ରତିଶତ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଛି । ଯାଜପୁର, ଜଗତସିଂହପୁର ଜିଲ୍ଲାରେ ୯୮ ପ୍ରତିଶତ ଜଳଯୋଗାଣ ସ୍ୱାଭାବିକ ହୋଇଛି । ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଇଛି । ଖୋର୍ଦ୍ଧାରେ ୭୯.୫୮% ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୨୪୩ଟି ପାଇପ ଜଳଯୋଗାଣ କାର୍ଯ୍ୟକାରୀ ହୋଇଛି । କଟକ, ଖୋର୍ଦ୍ଧା, ଜଟଣୀ, ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ ନିମାପଡ଼ା ପୌରାଞ୍ଚଳରେ ଶତପ୍ରତିଶତ ଜଳଯୋଗାଣ ହୋଇପାରିଛି ।

ରାଜ୍ୟ ସରକାର ସମସ୍ତ ବିଦୁ୍ୟତ ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବା ନିମନ୍ତେ ସବୁପ୍ରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । କଟକ ସହରରେ ସିଡିଡି-୧, ସିଡିଡି-୨ ଏବଂ ସିଇଡି ଆଦି ୩ଟି ବିଦ୍ୟୁତ ଡିଭିଜନ ଅଧୀନରେ ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କଟକ ଜିଲ୍ଲାର ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସିଡିଡି-୧ ଡିଭିଜନରେ ସମସ୍ତ ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୭୨ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୭୦ ହଜାର ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ ସଂଯୋଗ ସ୍ୱାଭାବିକ କରାଯାଇଛି । ସିଡିଡି-୨ରେ ସବୁ ଗ୍ରାମୀଣ ଫିଡରକୁ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଡିଭିଜନ୍‌ର ୪୪ଟି ଫିଡର ମଧ୍ୟରୁ ୨୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏହା ଦ୍ୱାରା ୭୦ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ଆଉ ୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯିବା ଫଳରେ ମୋଟ ୪୫ ହଜାର ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇପାରିଛି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଦୁଇଦିନ ମଧ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରାଯିବ ।

ସେ କହିଛନ୍ତି ଯେ, ଭୁବନେଶ୍ୱର ସହରାଞ୍ଚଳର ବିଦ୍ୟୁତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ପ୍ରତିଦିନ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ ସଂପୂର୍ଣ କରାଯାଉଛି । ଭୁବନେଶ୍ୱର ଅଧୀନରେ ତିନୋଟି ଡିଭିଜନ୍‌ ବିସିଡିଡି-୧, ବିସିଡିଡି-୨ ଏବଂ ବିଇଡି କାର୍ଯ୍ୟ କରୁଛି । ବିସିଡିଡି-୧ ଅନ୍ତର୍ଗତ ୪୪ଟି ଫିଡରରୁ ସମସ୍ତ ଫିଡର ୯ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରାଯାଇଛି । ଏହି ଡିଭିଜନ ଅନ୍ତର୍ଗତ ୫୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୫୧ ହଜାର ଉପଭୋକ୍ତାଙ୍କୁ ଗତକାଲି ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆଯାଇଥିବାବେଳେ ଆଜି ସୁଦ୍ଧା ଆଉ ୪ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ କରାଯିବା ଫଳରେ ମୋଟ ୫୫ ହଜାର ଉପଭୋକ୍ତା ଉପକୃତ ହୋଇଛନ୍ତି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍‌ଶୀଘ୍ର ବିଦ୍ୟୁତ ସଂଯୋଗ ଦିଆଯିବ । ବିସିଡିଡି-୨ ଅନ୍ତର୍ଗତ ୬୬ ଫିଡରରୁ ଆଜି ସୁଦ୍ଧା ୬୬ଟି ଫିଡ଼ର କାର୍ଯ୍ୟକ୍ଷମ ହୋଇଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୯୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୯୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଆଜି ରାତି ସୁଦ୍ଧା ଅବଶିଷ୍ଟ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ । ବିସିଡିଡି-୨ର ଗ୍ରାମୀଣ ଫିଡର ପୁନଃସଂସ୍ଥାପନ ପାଇ କାର୍ଯ୍ୟ ଚାଲିଛି । ଏଡି ଡିଭିଜନରେ ଥିବା ୧୬ଟି ଗ୍ରାମୀଣ ଫିଡରରୁ ୬ଟି କାର୍ଯ୍ୟକ୍ଷମ ହୋଇଛି ଓ ଆଜି ଆଉ ୪ଟି କାର୍ଯ୍ୟକ୍ଷମ ହେବ । ଆଗାମୀ ୧୫ ତାରିଖ ସୁଦ୍ଧା ସମସ୍ତ ଫିଡର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଇଡି ଅଧୀନସ୍ଥ ସମସ୍ତ ୨୮ଟି ୧୧ କେଭି ଫିଡରକୁ କାର୍ଯ୍ୟକ୍ଷମ କରାଯାଇଛି । ବିଇଡି ଅଞ୍ଚଳରେ ଥିବା ୮୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୮୨ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଆଜି ରାତି ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦିଆଯିବ ।

ସେ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ରିଲିଫ୍‌ ସହାୟତା କାର୍ଯ୍ୟକ୍ରମକୁ ସଶକ୍ତ କରାଯାଇଛି । ନଗଦ ଅର୍ଥ ଆକାରରେ ପୁରୀ ଜିଲ୍ଲାରେ ୨୩.୪%, ଖୋର୍ଦ୍ଧା ଜିଲ୍ଲାରେ ୭୩.୪%, ଜଗତସିଂହପୁର ଜିଲ୍ଲାରେ ୭୫.୨%, କେନ୍ଦ୍ରାପଡ଼ା ଜିଲ୍ଲାରେ ୮୭.୪%, କଟକ ଜିଲ୍ଲାରେ ୭୩.୨%, ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରେ ୭୭.୬% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରିଲିଫ୍‌ ଆକାରରେ ପୁରୀ ଜିଲ୍ଲାରେ ଚାଉଳ ବଣ୍ଟନ କରାଯାଇଛି । ପୁରୀ ଜିଲ୍ଲାରେ ୬୦%, ଜଗତସିଂହପୁରରେ ୮୫.୦୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୨.୦୯%, କଟକ ଜିଲ୍ଲାରେ ୬୭.୦୨%, ବିଏମ୍‌ସି ଅଞ୍ଚଳରେ ୧୭.୫%, ଖୋର୍ଦ୍ଧା ଜିଲ୍ଲାରେ ୫୩.୩% ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nine + 15 =