ତାଲିମ କାର୍ଯ୍ୟକ୍ରମରେ କର୍ମଚାରୀଙ୍କ ଅନୁପସ୍ଥିତିରେ କୃଷି ମନ୍ତ୍ରୀ କ୍ଷୁବ୍ଧ

ଭୁବନେଶ୍ୱର () କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ମୋ ସରକାର ଓ ୫-ଟି ଲାଗୁ ପରେ ଏବେ ଆରମ୍ଭ ହୋଇଛି କର୍ମଚାରୀମାନଙ୍କୁ ଏ ସଂକ୍ରାନ୍ତରେ ପ୍ରଶିକ୍ଷଣ । ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କର୍ମଚାରୀଙ୍କୁ ତାଲିମ ଦେବାପାଇଁ ଗୁରୁବାରଦିନ ପ୍ରଶିକ୍ଷଣ ଶିବିରରେ ପହଞ୍ଚିଥିବାବେଳେ ଅଧିକାଂଶ କର୍ମଚାରୀଙ୍କ ଅନୁପସ୍ଥିତ ଦେଖି ହତ୍‍ବାକ ହୋଇଯାଇଥିଲେ । ଅନେକ କର୍ମଚାରୀ ଏହାକୁ ଏକ ଛୁଟି ମଉକା ଭାବି ଏଠାକୁ ନଆସି ଛୁ ମାରିଥିଲେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ଏହି ତାଲିମ ଶିବିରଟି ସ୍ଥାନୀୟ ରେଳବାଇ ଅଡିଟୋରିୟମରେ  ଆୟୋଜିତ ହୋଇଥିଲା । କର୍ମଚାରୀମାନଙ୍କୁ ଉପସ୍ଥିତ ପାଇଁ କୁହାଯାଇଥିବାବେଳେ ତାଲିମ ଦେବାକୁ ଅନେକ ବି ବିଶେଷଜ୍ଞ ଆସିଥିଲେ । ହେଲେ ମନ୍ତ୍ରୀ ଡକ୍ଟର ସାହୁ ପହଞ୍ଚିଲା ବେଳକୁ କେତେକ କର୍ମଚାରୀ ଅନୁପସ୍ଥିତ । ମନ୍ତ୍ରୀ ଭାବିଥିଲେ ଏମାନେ ବିଳମ୍ବରେ ଆସିବେ । ହେଲେ କାହାର ଦେଖା ଦର୍ଶନ ନମିଳିବାରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କ ପାଖକୁ ଫୋନ୍‍ ଗଲା । ଫୋନ୍‍ ପାଇ କିଛି କର୍ମଚାରୀ ଧଡପଡ ହୋଇ ଆସି ପହଞ୍ଚିଲେ । ହେଲେ ଆଉ କିଛି କର୍ମଚାରୀ ଗାଲୁ ପେଲି ରହିଗଲେ । ତାଲିମ ଶିବିରକୁ ଛୁଟି ମଉକା ଭାବି ଖସିଗଲେ ।

ତାଲିମ ଶିବିରରେ କର୍ମଚାରୀଙ୍କ ଏଭଳି କାରବାର ଦେଖି ମନ୍ତ୍ରୀ ଅନୁପସ୍ଥିତ ଥିବା କିଛି କର୍ମଚାରୀଙ୍କ ତାଲିକା ଧରି ଫେରିଥିଲେ । ଏବେ ଏହି ତାଲିକା ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ନେଇ କର୍ମଚାରୀଙ୍କ ଭିତରେ ଭାଳେଣି ପଡିଛି । କେବଳ ଏହି ତାଲିମ ଶିବିର ନୁହେଁ, କୃଷି ବିଭାଗର ନୂଆ ଦପ୍ତର ଠାରୁ ଆରମ୍ଭ କରି ରାଜଧାନୀରେ ବିଭାଗ ଅଧିନରେ ଥିବା ବହୁ ଦପ୍ତରରେ ଏଭଳି ଅବସ୍ଥା । କିଛି ଠକ କର୍ମଚାରୀ ଏଭଳି ସ୍ତରକୁ ଆସିଛନ୍ତି ଯେ ଏମାନଙ୍କ ପାଇଁ ଟିପ ମରା ଯନ୍ତ୍ର କିମ୍ବା ସିସି ଟିଭି କିଛି କାମ କରୁନାହିଁ । ଏମାନେ ସଅଳ ଆସି ଯନ୍ତ୍ରରେ ଟିପ ମାରି ପଳାଉଛନ୍ତି । ମଝିରେ ଇଚ୍ଛା ହେଲେ ଦପ୍ତରକୁ ଆସୁଛନ୍ତି ନହେଲେ ଛୁଟି ସମୟରେ ଆସି ପୁଣି ଟିପ ଦେଇ ପଳାଉଛନ୍ତି ।

କୃଷି ବିଭାଗ ଓ ଦପ୍ତର ନୂଆ ଦପ୍ତରକୁ ଆସିବାପରେ ଏଭଳି ଅବସ୍ଥା ଉକ୍ରଟ ହୋଇଥିବା ଲକ୍ଷ୍ୟ କରାଯାଉଛି । କିଛି କର୍ମଚାରୀ ଠିକଣା ସମୟରେ ଆସି ଦପ୍ତରରେ ପହଞ୍ଚୁଥିବାବେଳେ ଆଉ କିଛି ଧରାଛୁଆଁ ଦେଉ ନାହାନ୍ତି । କିଏ ପିଲାଙ୍କୁ ସ୍କୁଲରେ ଛାଡି ଆସୁଛି ତ ଆଉ କିଏ କାମ ମଝିରୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ପଳାଉଛି । ଆଉ କିଛି କର୍ମଚାରୀ ତ ବର୍ଷ ସାରା ଡ୍ରାମା, ଖେଳ ବାହାନାରେ ଚଉକିରେ ବସୁନାହାନ୍ତି । ଅବଶ୍ୟ ଯେଉଁଦିନ ମନ୍ତ୍ରୀ କିମ୍ବା ଅନ୍ୟ ଅଧିକାରୀ ଦପ୍ତରକୁ ଆସିବାର ଆଗୁଆ ଖବର ପାଉଛନ୍ତି ସେଦିନ ଠିକଣା ସମୟରେ ଆସି ଉପସ୍ଥିତ ହୋଇଯାଉଛନ୍ତି ।

ଉଲ୍ଲେଖନୀୟ ଯେ ସରକାରଙ୍କ ୫-ଟି ରେ ଗୋଟିଏ ଟି ହେଉଛି ଟାଇମ ବା ସମୟାନୁବର୍ତ୍ତିତା । ସେହି ଅନୁଯାୟୀ କର୍ମଚାରୀମାନେ ଦିନ ୧୦ଟା ସୁଦ୍ଧା ଦପ୍ତରରେ ପହଞ୍ଚି କାମ କରିବା ସହିତ ୫ଟା ୩୦ରେ ଦପ୍ତର ଛାଡିବା କଥା । କାରଣ ନୂଆ ନିୟମ ଅନୁଯାୟୀ ଚତୁର୍ଥ ଶନିବାରଟି କର୍ମଚାରୀମାନେ ଛୁଟି ପାଉଛନ୍ତି । ଏଥିପାଇଁ ଦପ୍ତର ଛୁଟି ସମୟ ଅପରାହ୍ନ ୫ଟାରୁ ୫ଟା ୩୦କୁ ବୃଦ୍ଧି ପାଇଛି । ତେବେ କର୍ମଚାରୀମାନେ କିଭଳି ଠିକଣା ସମୟରେ ଆସି ୫-ଟିକୁ କଡାକଡି ପାଳନ କରୁଛନ୍ତି ତାହା ଖୋଦ୍‍ ବିଭାଗୀୟ ମନ୍ତ୍ରୀ ତାଲିମ ଶିବିରରେ ଦେଖିବାକୁ ପାଇଛନ୍ତି । ମନ୍ତ୍ରୀ ନେଇଥିବା ତାଲିକା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି  ତାହାକୁ ନେଇ ଏବେ ବିଭାଗରେ ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

13 − nine =