ଠିକା ଡାକ୍ତରଙ୍କ ବୟସସୀମା ୭୦କୁ ବୃଦ୍ଧି

ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ଉପରେ କଟକଣା

ସିଡିଏମ୍‍ଓମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ

ଭୁବନେଶ୍ବର () ଅବସର ଗ୍ରହଣ କରିଥିବା ଡାକ୍ତରମାନେ ଏଣିକି ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି ସିଡିଏମ୍‍ଓ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେବା ସହିତ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଅବସରପ୍ରାପ୍ତ ଡାକ୍ତର ରହିଛନ୍ତି ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ତାହାର ତାଲିକା ପ୍ରସ୍ତୁତ ପାଇଁ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମିଳନୀରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ବାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଜିଲ୍ଲାୱାରୀ ସମୀକ୍ଷା କରିବା ସହିତ କେଉଁଠାରେ କି ପ୍ରକାର ଆବଶ୍ୟକତା ରହିଛି ତାହା ଉଲ୍ଲେଖ କରିବା ସହିତ ବିହିତ ପଦକ୍ଷେପ ନେବାକୁ ସିଡିଏମ୍‍ଓମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଅବସରପ୍ରାପ୍ତ ଡାକ୍ତରଙ୍କ ବୟସସୀମାକୁ ଦୁଇବର୍ଷ ବଢାଇବା ସହିତ ୭୦ବର୍ଷ ବୟସ ହୋଇନଥିବା ଅବସରପ୍ରାପ୍ତ ଡାକ୍ତରମାନଙ୍କ ତଥ୍ୟ ଟ୍ରେଜେରୀରୁ ସଂଗ୍ରହକରି ଆସନ୍ତା ଜୁଲାଇ ୧୫ ସୁଦ୍ଧା ସରକାରଙ୍କୁ ତାଲିକା ଦେବା ପାଇଁ ସିଡିଏମ୍‍ଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ସଂକ୍ରାନ୍ତରେ ସିଡିଏମ୍‍ଓ ସମ୍ମିଳନୀରେ ସମୀକ୍ଷା କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ମଞ୍ଜୁରୀପ୍ରାପ୍ତ ମୋଟ୍‍ ୬୭୧୯ଟି ପଦବୀ ଥିବାବେଳେ ସେଥିରୁ ମାତ୍ର ୫୧୩ଟି ଖାଲି ପଡିଛି । ଡାକ୍ତରଙ୍କ ସଂଖ୍ୟା କମ୍‍ ରହିଥିବାବେଳେ କେତେକ ସ୍ଥାନରେ ବିନା ଅନୁମତିରେ ଡାକ୍ତରମାନେ ଅନୁପସ୍ଥିତ ରହିଯାଉଛନ୍ତି । ଏଭଳି ଘଟଣାକୁ ଆଉ ବରାଦାସ୍ତ କରାଯିବନାହିଁ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।

ସେହିଭଳି ରାଜ୍ୟ ସରକାର ନିଦାନ ଯୋଜନାରେ ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବିନା ମୂଲ୍ୟରେ ଯୋଗାଉଛନ୍ତି । ହେଲେ କିଛି ରୋଗୀ ଡାକ୍ତରଙ୍କ ପରାମର୍ଶ ନମାନି ଘରୋଇ ସଂସ୍ଥାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ରୋକିବା ଲାଗି ବେସରକାରୀ ସଂସ୍ଥାର ରିପୋର୍ଟକୁ ସରକାରୀ ଡାକ୍ତରମାନେ ଗ୍ରହଣ ନକରିବାକୁ କୁହାଯାଇଛି । ସମସ୍ତ ପରୀକ୍ଷା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେଉଥିବାରୁ ଡାକ୍ତରମାନେ ରୋଗୀଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବାକୁ କୁହାଯାଇଛି ।

ସେହିଭଳି ଡାକ୍ତରଖାନାରେ ରୋଗୀମାନଙ୍କର ହେଉଥିବା ବିଭିନ୍ନ ପରୀକ୍ଷାର ରିପୋର୍ଟକୁ ତୁରନ୍ତ ସମ୍ପୃକ୍ତ ରୋଗୀଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରତ ଡାକ୍ତରମାନଙ୍କର ତାଲିକା ପ୍ରସ୍ତୁତ ସହିତ କେଉଁ ସମୟରେ କେଉଁ ଡାକ୍ତର ଚିକିତ୍ସାଳୟରେ ଉପସ୍ଥିତ ରହିବେ ସେ ସଂକ୍ରାନ୍ତୀୟ ‘ଡ୍ୟୁଟି ଚାର୍ଟ’ ସମ୍ପୃକ୍ତ ଡାକ୍ତରଙ୍କୁ ଦିଆଯିବା ସହିତ ଡାକ୍ତରଖାନାରେ ଲଗାଯିବା ପାଇଁ ସ୍ଥିର ହୋଇଛି । ଜିଲ୍ଲା ସ୍ତରରେ ଡାକ୍ତରଖାନା ପରିଚାଳନା କ୍ଷେତ୍ରରେ ସିଡିଏମ୍‍ଓମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କର ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।

ଜିଲ୍ଲା ସ୍ତରରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁସଂଗଠିତ କରିବାପାଇଁ ଜିଲ୍ଲା ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ବିଭାଗର ନୋଡାଲ ଅଫିସରମାନେ ଏଣିକି ପ୍ରତି ମାସରେ ଜିଲ୍ଲା ଗସ୍ତ କରିବେ । ସେଠାରେ ସ୍ବାସ୍ଥ୍ୟସେବା ପାଇଁ କି ପ୍ରକାର ଆବଶ୍ୟକତା ରହିଛି ଓ କିଭଳି ତାହା ପୂରଣ ହେବ ସେ ସଂକ୍ରନ୍ତୀୟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । ସିଡିଏମ୍‍ଓମାନଙ୍କୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଅର୍ଥ ପ୍ରଦାନ କରୁଥିବାବେଳେ ତାହାର ଉପଯୁକ୍ତ ବିନିଯୋଗ ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । କୌଣସି ଡାକ୍ତରଖାନାରେ ଜରୁରୀ ଆବଶ୍ୟକତା ଦେଖାଦେଲେ କାଳବିଳମ୍ବ ନକରି ସିଡିଏମ୍‍ଓମାନେ ‘ଫ୍ଲେକ୍ସି ପୁଲ୍‍’ ରେ ଥିବା ଅର୍ଥରୁ ବ୍ୟୟ କରିବାପାଇଁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତି ଆଦିର ଯେଭଳି ସଠିକ୍‍ ବିନିଯୋଗ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଏମ୍‍ଓମାନଙ୍କୁ କୁହାଯାଇଛି ।

ଦାନ ମାଝି ଘଟଣାର ଆଉ ଯେଭଳି ପୁନରାବୃତ୍ତି ନହୁଏ ତାହା ଉପରେ ସିଡିଏମ୍‍ଓ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଛି । ଏଣିକି କୌଣସି ମୃତ ରୋଗୀଙ୍କୁ ଡାକ୍ତର ସାର୍ଟିଫିକେଟ ପ୍ରଦାନ ପୂର୍ବରୁ ମୃତକଙ୍କ ସମ୍ପର୍କୀୟ ଚାହିଁଲେ ସେମାନଙ୍କୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ମହାପ୍ରୟାଣ ଗାଡି ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ସିଡିଏମ୍‍ଓମାନେ ନିଜ ସ୍ତରରେ ହ୍ବାଟସଆପ୍‍ ଗ୍ରୁପ ଗଠନ ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କୁ ଯୋଡିବାପାଇଁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

4 − 3 =