ପୁଣି ଥରେ ମହିଳାଙ୍କ ଦାବିକୁ ସମ୍ମାନ ଜଣାଇଲେ ମୁଖ୍ୟମନ୍ତ୍ରୀ

ସବୁ ପଂଚାୟତରେ ହେବ ମିଶନ ଶକ୍ତି ଗୃହ

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ଜିଲ୍ଲାର 7ଟି ବ୍ଲକ ପାଇଁ 26.86 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି, ଜଗତସିଂହପୁର ଜିଲ୍ଲାର ଏରସମା, ମୟୁରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ଓ ରରୁଆଁ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଏବଂ କନ୍ଧମାଳ ଜିଲ୍ଲାର ଚକାପାଦ ଓ ଜି.ଉଦୟଗିରି ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ପାପଡାହାଣ୍ଡି ବ୍ଲକର23ଟି ପଂଚାୟତ ପାଇଁ 5.75 କୋଟି ଟଙ୍କାର 245ଟି ପ୍ରକଳ୍ପ, ଏରସମା ବ୍ଲକର 24ଟି ପଂଚାୟତ ପାଇଁ 5.50 କୋଟି ଟଙ୍କାର 387ଟି ପ୍ରକଳ୍ପ, ରାସଗୋବିନ୍ଦପୁର ବ୍ଲକର 16ଟି ପଂଚାୟତ ପାଇଁ 3.59 କୋଟି ଟଙ୍କାର 152ଟି ପ୍ରକଳ୍ପ, ରରୁଆଁ ବ୍ଲକର 12ଟି ପଂଚାୟତ ପାଇଁ 2.76 କୋଟି ଟଙ୍କାର 104ଟି ପ୍ରକଳ୍ପ, ଚମ୍ପୁଆ ବ୍ଲକର 22ଟି ପଂଚାୟତ ପାଇଁ 4.86 କୋଟି ଟଙ୍କାର 132ଟି ପ୍ରକଳ୍ପ, ଚକାପାଦ ବ୍ଲକର 12ଟି ପଂଚାୟତ ପାଇଁ 2.40 କୋଟି ଟଙ୍କାର 89 ପ୍ରକଳ୍ପ, ଜି.ଉଦୟଗିରି ବ୍ଲକର 8ଟି ପଂଚାୟତ ପାଇଁ 2 କୋଟି ଟଙ୍କାର 47ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ସମୁଦାୟ 7ଟି ବ୍ଲକର 117ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ 26.86 କୋଟି ଟଙ୍କାର 1156ଟି ପ୍ରକଳ୍ପକୁ ମଂଜୁରି ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ କନ୍ଧମାଳ ଜିଲ୍ଲା ଚକାପାଦ ଓ କେନ୍ଦୁଝର ଚମ୍ପୁଆ ବ୍ଲକର ଦୁଇ ଜଣ ମହିଳା ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରି ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ ।

ଆଜିର 7ଟି ବ୍ଲକକୁ ମିଶାଇ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ 255ଟି ବ୍ଲକରେ ପହଁଚିଛି । ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ସହ ସ୍ବଚ୍ଛତା ଓ ସଚେତନତା ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ପିଠା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ 255ଟି ବ୍ଲକର 5538ଟି ପଂଚାୟତ ସହ ସିଧାସଳଖ କଥା ହୋଇ ସେମାନଙ୍କ ଆବଶ୍ୟକତା ଅନୁୟାୟୀ ପ୍ରକଳ୍ପ ମଂଜୁର କରିଛନ୍ତି । ଏପର୍ଯ୍ୟନ୍ତ 51ହଜାର 229ଟି ପ୍ରକଳ୍ପ ପାଇଁ 1161.20 କୋଟି ଟଙ୍କା ମଂଜୁର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 17 =