ଆମ ଗାଁ ଆମ ବିକାଶରେ ନୂଆ ଦିଗନ୍ତ ସୃଷ୍ଟି କଲେ ନବୀନ

ସାଧାରଣ ଲୋକଙ୍କ ସହ ମୁହାଁମୁହିଁ କଥା ହେଲେ

ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଭିତ୍ତିପ୍ରସ୍ତର

ବ୍ରହ୍ମପୁର () ଦିନିକିଆ ଗଂଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ କିଛି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୂର୍ବାହ୍ନ 11ଟାରେ ମୁଖ୍ୟମନ୍ତ୍ରୀ ଶେରଗଡରେ ପହଁଚି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଶେରଗଡରେ ମୁଖ୍ୟମନ୍ତ୍ରୀ ଏକ ଆଇଟିଆଇର ଉଦଘାଟନ କରିଥିଲେ । ଏହା 8 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ସେହିପରି 1.90 କୋଟି ଟଙ୍କା ବ୍ୟୟରେ ନିର୍ମିତ ଓଡିଶା ଆଦର୍ଶ ବିଦ୍ୟାଳୟର 100 ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସକୁ ମଧ୍ୟ ଉଦଘାଟନ କରିଛନ୍ତି । ଶେରଗଡରେ ଏକ ଦକ୍ଷତା ବିକାଶ କେନ୍ଦ୍ର, ନନ୍ଦିନୀ ନଳା ଉପରେ ବ୍ରିଜ, ନୂଆ ପଂଚାୟତ ଭବନ, ମୁଖ୍ୟ ରାସ୍ତାରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଏବଂ ଋଷିକୂଲ୍ୟା ନଦୀର ଝଗଡାଲ-ଜହଡା ମଧ୍ୟରେ ଏକ ହାଇଲେବୁଲ ବ୍ରିଜକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶେରଗଡବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ, ଏକ ଅଭିନବ କାର୍ଯ୍ୟକ୍ରମ ଯେଉଁଥିରେ ତୃଣମୂଳ ସ୍ତରର ସାଧାରଣ ଲୋକ ବି ସଂପୃକ୍ତ ହୁଅନ୍ତି, ତାହା ଏକ ନୂଆ ଦିଗନ୍ତ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟତଃ ଭିଡିଓ କନଫରେନସିଂ ଜରିଆରେ ସାଧାରଣ ଲୋକଙ୍କ ସହ କଥା ହୁଅନ୍ତି । କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ସିଧାସଳଖ ଲୋକଙ୍କ ସହ ମୁହାଁମୁହିଁ କଥା ହୋଇ ସେମାନଙ୍କ ଦାବି ଶୁଣିଛନ୍ତି । ସେମାନଙ୍କ ଦାବି ମୁତାବକ ଶେରଗଡ ପାଇଁ ମୁଖ୍ୟମନ୍ତ୍ରୀ 25 ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି ।

ଏହି ଅବସରରେ ଉପସ୍ଥିତ ଶେରଗଡବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଏତେ ସଂଖ୍ୟାର ଲୋକଙ୍କୁ ଦେଖି ବେଶ ଉତ୍ସାହିତ । ଏହି ଅଂଚଳର ବିକାଶ ପାଇଁ ଆମ ସରକାର ଚେଷ୍ଟା କରୁଛନ୍ତି । ସେ ଶେରଗଡବାସୀ ଓ ସେମାନଙ୍କ ଜନପ୍ରତିନିଧିଙ୍କୁ ପ୍ରସ୍ତାବିତ ପ୍ରକଳ୍ପର ମାନ ଓ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ସୁନିଶ୍ଚିତ କରିବାକୁ ଆହ୍ବାନ ଦେଇଥିଲେ ।

ହିଂଜିଳିକାଟୁରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ଢଙ୍ଗରେ ସାଧାରଣ ଲୋକଙ୍କ ସହ ମୁହାଁମୁହିଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ କଥା ହୋଇ ସେମାନଙ୍କ ଦାବି ମୁତାବକ ପ୍ରକଳ୍ପକୁ ମଂଜୁର କରିଛନ୍ତି । ହିଂଜିଳିରେ ନବୀନ ନୂଆ ଆରଏମସି ଗୃହର ଉଦଘାଟନ କରିବା ସହ 132/33 କେଭି ଗ୍ରୀଡ ସବଷ୍ଟେସନ ଓ ଘୋଡାହାଡ ନଦୀରେ ହାଇଲେବୁଲ ବ୍ରିଜ ପାଇଁ ଶିଳାନ୍ୟାସ କରିଥିଲେ ।

ସେହିପରି ଛତ୍ରପୁରରେ ମୁଖ୍ୟମନ୍ତ୍ରୀ ନୂଆ ଜିଲ୍ଲା ପରିଷଦ ଭବନର ଉଦଘାଟନ କରିଥିଲେ । ଏହି ଭବନର ସ୍ବତନ୍ତ୍ରତା ଏବଂ ଅତ୍ୟାଧୁନିକ ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ 250 ସିଟ ବିଶିଷ୍ଟ ବୈଠକଖାନାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ଛତ୍ରପୁରରେ ନୂଆ ପଂଚାୟତ ରିସୋର୍ସ ସେଣ୍ଟର, ନୂଆ ସ୍ବିମିଂପୁଲ, ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନୂଆ କାର୍ଯ୍ୟାଳୟ ଓ ପୁରୁଷୋତ୍ତମପୁର ପୋଲିସ ଷ୍ଟେସନର ନୂଆ କାର୍ଯ୍ୟାଳୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ଗସ୍ତ ଅବସରରେ ହୁମ୍ମାଠାରେ ରାଜ୍ୟର ସର୍ବବୃହତ ଶୁଖିଲା ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ତଥା ଜିଲ୍ଲାର ସବୁ ବିଧାୟକ ଉପସ୍ଥିତ ଥିଲେ  ।

Share

Leave a Reply

Your email address will not be published. Required fields are marked *

3 × four =