କୃଷି କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଅଧ୍ୟାୟ

ଭୁବନେଶ୍ୱର () ରାଜ୍ୟରେ କୃଷି ଓ କୃଷକଙ୍କ ପ୍ରତି ରାଜ୍ୟ ସରକାର ଉଦାସୀନ ସମ୍ପର୍କିତ ମୁଲତବୀ ନୋଟିସକୁ ଅଗ୍ରାହ୍ୟ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଜୀବନ ଜୀବିକାର ମାନ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହାଭିନ୍ନ ବିଭିନ୍ନ ଆୟ ବୃଦ୍ଧି ଯୋଜନା, ଜଳସେଚନ ଯୋଜନା ଏବଂ ଆନୁସଙ୍ଗିକ କ୍ଷେତ୍ରର ବିକାଶ ଦ୍ୱାରା ଓଡିଶା ଏକ କୃଷି ସଂବୃଦ୍ଧ ରାଜ୍ୟ ହୋଇଛି ।

କାଳିଆ ଯୋଜନାରେ 2018-19 ଆର୍ଥିକ ବର୍ଷରେ 50 ଲକ୍ଷ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା ହୋଇଥିଲା । ସେ ମଧ୍ୟରୁ ଜୁନ 24 ତାରିଖ ସୁଦ୍ଧା 36 ଲକ୍ଷ 74 ହଜାର 710 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ 5 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି । ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତାରେ ଆନୁସଙ୍ଗିକ କୃଷି ପାଇଁ ତିନୋଟି କିସ୍ତିରେ 25 ଲକ୍ଷ ପରିବାରକୁ 12 ହଜାର 500 ଟଙ୍କା ଦିଆଯିବ । ସେମଧ୍ୟରୁ ଆଜି ସୁଦ୍ଧା 14 ଲକ୍ଷ 70 ହଜାର 580 ଜଣଙ୍କୁ ପ୍ରଥମ କିସ୍ତିରେ 5000 ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।

କାଳିଆ ଯୋଜନାରେ ଏବେସୁଦ୍ଧା 51 ଲକ୍ଷ 45 ହଜାର 290 ଜଣ ଚାଷୀ ପରିବାରକୁ ସହାୟତା ଦିଆଯାଇଛି । ଖୁବଶୀଘ୍ର ଆଉ 23 ଲକ୍ଷ 54 ହଜାର 710 ଜଣ ପରିବାରକୁ ସହାୟତା ଦିଆଯିବ । କାଳିଆକୁ ଅନୁକରଣ କରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଓଡିଶା କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । 200ରୁ 2018 ମଧ୍ୟରେ 8ଥର ମରୁଡି, 9ଥର ବନ୍ୟା, 3 ଥର ବାତ୍ୟା ଓ 3 ଥର ରୋଗ ପୋକ ଆକ୍ରମଣରେ ଫସଲ ନଷ୍ଟ ହୋଇଛି । ତଥାପି ରାଜ୍ୟ ସରକାରଙ୍କ ନିୟମିତ ପ୍ରଚେଷ୍ଟା ଓ ସହଯୋଗ ଯୋଗୁ କୃଷି କ୍ଷେତ୍ରର ବିକାଶ ସହ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି ।

2000 ମସିହାରେ ରାଜ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ 55 ଲକ୍ଷ ଟନ ଥିବା ବେଳେ 2014-15ରେ ସର୍ବାଧିକ 118 ଲକ୍ଷ ଟନକୁ ବୃଦ୍ଧି ପାଇଥିଲା । 2018-19ରେ ଉତ୍ପାଦନ 91.57 ଲକ୍ଷ ଟନରେ ପହଂଚିଛି । ଅନ୍ତିମ ପର୍ଯ୍ୟାୟରେ ଏହା ଆହୁରି ବଢିବ ବକି କୃଷିମନ୍ତ୍ରୀ କହିଛନ୍ତି । କେବଳ ଧାନ ନୁହେଁ, ଅଣ୍ଡା, ମାଛ, ଦୁଗ୍ଧ ଉତ୍ପାଦନ ମଧ୍ୟ ଦ୍ବିଗୁଣିତ ହୋଇଛି । ଚାଷୀଙ୍କ ବାର୍ଷିକ ଆୟ 2002-03ରେ 23 ହଜାର 277ରୁ 2012-13ରେ 53 ହଜାର 540 ଟଙ୍କାକୁ ବୃଦ୍ଧି ପାଇଛି ।

କୃଷି କ୍ଷେତ୍ର ପାଇଁ ଅଧିକ ପାଣ୍ଠି ଯୋଗାଣ ପାଇଁ 2013ରୁ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେଉଛି । କୃଷି ବଜେଟର ଆକାର 7162 କୋଟିରୁ 20 ହଜାର 714 କୋଟି ଅର୍ଥାତ 3 ଗୁଣା ବଢ଼ିଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ 2016ରେ କୃଷି କ୍ୟାବିନେଟ ଗଠନ କରାଯାଇଛି । କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ନିଯୁକ୍ତି, ଆଧୁନିକ ଜ୍ଞାନକୌଶଳର ବୃଦ୍ଧି ପାଇଁ ରାଜ୍ୟ କୃଷି ନୀତି କାର୍ଯ୍ୟକାରୀ ହେଉଛି । ଜଳନିଧି ଯୋଜନାରେ ସେଚକୂପ ଓ ଉଠା ଜଳସେଚନ ପାଇଁ 50ରୁ 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ବିଜୁ କୃଷକ ବିକାଶ ଯୋଜନାରେ ସୌର ଜଳନିଧି ପାଇଁ 90 ପ୍ରତିଶତ ରିହାତି ଦିଆଯାଉଛି ।

ଅମଳକ୍ଷମ ବିହନ ଯୋଗାଣରେ ଡିବିଟି ଜରିଆରେ 50 ପ୍ରତିଶତ ରିହାତି ଦିଆଯାଉଛି । କୃଷି ଯାନ୍ତ୍ରିକକରଣରେ କୃଷି ଯନ୍ତ୍ରପାତିରେ ମଧ୍ୟ 50ରୁ 75 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଫସଲର ସ୍ଥିରତା ଓ ମୂର୍ତ୍ତିକା ଉର୍ବରତା ବୃଦ୍ଧି ପାଇଁ ଜୈବ କୃଷି ନୀତି ପ୍ରଣୟନ କରାଯାଇଛି । ଫସଲକୁ ରୋଗ ପୋକ ଆକ୍ରମଣରୁ ରକ୍ଷା କରିବାକୁ କୀଟନାଶକ ଔଷଧ ସିଞ୍ଚନ ଓ ବିହନ ବିଶୋଧନକୁ ବ୍ୟାପକ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

ସେହିଭଳି ଏକ ଲକ୍ଷରୁ କମ୍ ଋଣ ନେଇଥିବା ଓ ନିୟମିତ ଋଣ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ ସୁଧ ମୁକ୍ତ କରାଯାଇଛି । କୃଷି ପରିବାରକୁ ସ୍ୱାସ୍ଥ୍ୟ ବୀମା ଯୋଗାଇଦେବାକୁ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଫଳ ଚାଷ, ଆଳୁ ଚାଷ, ପିଆଜ, ଫୁଲ, ନଡ଼ିଆ, ମହୁ, ପାନବରଜ ଆଦି ଉଦ୍ୟାନ କୃଷି ପାଇଁ ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା ସହ ଅମଳ ପରବର୍ତ୍ତୀ ପରିଚାଳନା ଓ ବଜାର ସୁଯୋଗ ସୃଷ୍ଟି କରାଯାଉଛି ବୋଲି କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × one =