ରୂପାନ୍ତରଣର ଝଲକ : ଯାହା ବର୍ଷ ବର୍ଷ ଧରି ହୋଇପାରୁନଥିଲା, ତାହା ବାସ୍ତବ ରୂପ ନେଇଛି

ଭୁବନେଶ୍ବର () ଚାଲିଛି ରୂପାନ୍ତରଣ କାର୍ଯ୍ୟ । ସୁଉଚ୍ଚ ମେଘନାଦ ପ୍ରାଚୀର ଚାରିପଟ ହୋଇଛି ଜବରଦଖଲ ମୁକ୍ତ । ସିଂହଦ୍ବାର ସମ୍ମୁଖରୁ ମଧ୍ୟ ହଟିଛି କିଛି କିଛି ଜବରଦଖଲ ଏବଂ ବେଆଇନ ନିର୍ମାଣ । ନୂଆ ରୂପରେ ଛିଡା ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟ । ଆଖି ଝଲସେଇ ଦେଉଛି ଏବେର ଶ୍ରୀମନ୍ଦିରକୁ ଦେଖିଲେ । ଲାଗୁଛି ଏତେ ବର୍ଷ ଧରି ଯାହା ହୋଇପାରୁନଥିଲା, ତାହା ଏବେ ବାସ୍ତବ ରୂପ ନେଉଛି ।

ଆସନ୍ତା ରଥଯାତ୍ରା ପୂର୍ବରୁ ନୂଆ ରୂପରେ ଐତିହ୍ୟ ସହର ଭାବେ ଛିଡା ହେବ ପୂରୀ । ଏହି ଲକ୍ଷ୍ୟ ପୂରଣ ପାଇଁ ଜିଲ୍ଲା ପ୍ରଶାସନ ବେଶ ତପତ୍ରତାର ସହ କାର୍ଯ୍ୟ ଚାଲିଛି । ଉଚ୍ଛେଦ କାମ ସହ ତାଳ ଦେଇ ଆଗେଇ ଚାଲିଛି ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଫନିରେ ଧ୍ବସ୍ତ ବିଧ୍ବସ୍ତ ପୁରୀକୁ ଐତିହ୍ୟ ସହରରେ ରୂପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ସରକାର ଓ ପ୍ରଶାସନ ସମ୍ପୁର୍ଣ୍ଣ ଏକାଗ୍ରତା ଓ ନିଷ୍ଠାର ସହ କାମ କରୁଛନ୍ତି । ବର୍ଷ ବର୍ଷ ଧରି ପୁରୀ ଓ ଶ୍ରୀମନ୍ଦିରକୁ ଯେଉଁ ଅବହେଳା କରାଯାଇଥିଲା ଏବେ ତାର ସଂଶୋଧନ କରାଯାଉଛି ।

ଶ୍ରୀମନ୍ଦିରର ବିରାଟକାୟ ରୂପ ଏହାର ଚାରିପଟେ ଏବଂ ସମ୍ମୁଖ ଭାଗରେ ବେଆଇନ ନିର୍ମାଣ ଓ ଜବରଦଖଲ ଯୋଗୁଁ ଲୁଚି ଯାଉଥିଲା । ଶ୍ରୀମନ୍ଦିର ଚାରିପଟେ ବହୁ ପୂର୍ବରୁ କିଛି କିଛି ବିପଦଶଙ୍କୁଳ ନିର୍ମାଣକୁ ମଧ୍ୟ ଚିହ୍ନଟ କରାଯାଇଥିଲା । କିନ୍ତୁ ତାର ଉଚ୍ଛେଦ ହୋଇପାରୁନଥିଲା । ଏହିସବୁ ବେଆଇନ ନିର୍ମାଣ ବ୍ୟବସାୟିକ କାର୍ଯ୍ୟ କିମ୍ବା ବାସଗୃହ ଭାବେ ବ୍ୟବହାର କରାଯାଉଥିଲା । ଏହାର ଉଚ୍ଛେଦ ପରେ ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କ ପାଇଁ ବିରାଟ ଖାଲିସ୍ଥାନ ସୃଷ୍ଟି ହୋଇପାରିଛି ।

ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ତିନ ସପ୍ତାହ ମଧ୍ୟରେ ଚାରୋଟି ମଠ ଏବଂ ଉଠାଦୋକାନୀଗୁଡିକୁ ଉଚ୍ଛେଦ କରାଯାଇଛି । ପ୍ରଥମେ ଲଙ୍ଗୁଳି ମଠ, ତାପରେ ଏମାର ମଠ, ବଡ ଆଖଡା ଓ ସାନଛତା ମଠ ଉଚ୍ଛେଦ ହୋଇଛି । ଏହିସବୁ ମଠରେ ଥିବା ମନ୍ଦିର ଏବଂ ଗାଦିକୁ ଛାଡି ବ୍ୟବସାୟୀକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବେଆଇନ ନିର୍ମାଣକୁ ହଟେଇ ଦିଆଯାଇଛି । ମଠର ବେଆଇନ ନିର୍ମାଣକୁ ହଟାଯିବା ପରେ ମୂଳ ମଠକୁ ଐତିହ୍ୟର ରୂପ ଦିଆଯିବ । ସେହିପରି ଏମାର ମଠରେ ମଧ୍ୟ ନିର୍ମାଣ ହେବ ରଘୁନନ୍ଦ ପାଠାଗାର ।

ବେଆଇନ ନିର୍ମାଣଗୁଡିକୁ ଭାଙ୍ଗି ଦିଆଯିବା ପରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ବଷ୍ଟ ଦିଶୁଥିବାରୁ ଏହା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ପୂର୍ବରୁ ବେଆଇନ ଦଖଲ ଯୋଗୁ ମେଘନାଦ ପାଚେରୀ ଦେଖାଯାଉନଥିଲା । ଏବେ କିନ୍ତୁ ବିଶାଳକାୟ ମେଘନାଦ ପାଚେରୀ ସମ୍ପୁର୍ଣ୍ଣ ଭାବେ ମୁକ୍ତ । କାହିଁ କେତେ ଦୂରରୁ ନିଳଚକ୍ର, ପତିତପାବନ ବାନା, ଆନନ୍ଦ ବଜାର, ରୋଷଘର ସବୁ କିଛି ଦେଖାଯାଉଛି । ସମ୍ପୁର୍ଣ୍ଣ ଭାବେ ନୂଆ ରୂପରେ ରୂପାନ୍ତରିତ ହେଉଥିବା ପୁରୀକୁ ଦେଖି ସ୍ଥାନାୟ ଲୋକେ ଯେତିକି ଉତ୍ସାହିତ ହେଉଛନ୍ତି, ପର୍ଯ୍ୟଟକ ଓ ଭକ୍ତ ବି ସେତିକି ଆକର୍ଷିତ ହେଉଛନ୍ତି ।

ଏବେ ଉଚ୍ଛେଦ ସ୍ଥଳକୁ ସମତୁଳ କରିବା ସହ ସୌନ୍ଦର୍ଯ୍ୟକରଣ ପାଇଁ କାମ ଚାଲିଛି । ଏମାର ମଠର ରଘୁନନ୍ଦନ ପାଠାଗାରଠାରୁ ବଣିପଟି ଅଂଚଳରେ ଟାଇଲ ବିଛା କାମ ଚାଲିଥିବା ବେଳେ ପଥଚାରୀଙ୍କ ପାଇଁ କରାଯାଇଛି ମୋବାଇଲ ଟଏଲେଟର ବ୍ୟବସ୍ଥା । ଲଙ୍ଗୁଳି ମଠ ଓ ଅଖଡା ମଠ ଉଚ୍ଛେଦ ସ୍ଥଳରେ ବି ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଆଗକୁ ମଙ୍ଗୁମଠର ଉଚ୍ଛେଦ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରୁଛି ।

Share

Leave a Reply

Your email address will not be published. Required fields are marked *

4 × three =