ଆକ୍ସନ ମୋଡରେ 5-ଟି : ଗୋଟିଏ ଛାତ ତଳେ ସମୟ ସୀମା ମଧ୍ୟରେ ମିଳିବ ସେବା

ଭୁବନେଶ୍ବର () ରାଜ୍ୟ ମୂଳ ପ୍ରଶାସନିକ ବିଭାଗରେ ନିର୍ଦ୍ଦେଶାଳୟର ବିଲୟ ପାଇଁ ନିଆଯାଇଥିବା ନିଷ୍ପତ୍ତି ଆଗାମୀ ଦିନରେ ପ୍ରଶାସନରୁ ଅଧିକ ଶୃଙ୍ଖଳିତ କରିବା ସହ ଏହାର ସୂଦୂରପ୍ରସାରୀ ପ୍ରଭାବ ରହିଛି । ସାଧାରଣ ପ୍ରଶାସନ ବିଭାଗ ଏ ସଂପର୍କରେ ଏକ ନିର୍ଦ୍ଦେଶାବଳୀ ଜାରି କରିଥିବା ବେଳେ ଏହାଦ୍ବାରା ନିଷ୍ପତ୍ତି ନେବା ପ୍ରକ୍ରିୟା ତ୍ବରିତ ହେବ । ଏହି ପ୍ରକ୍ରିୟାରେ ରାଜ୍ୟର 66ଟି ନିର୍ଦ୍ଦେଶାଳୟ ମୂଳ ବିଭାଗରେ ବିଲୟ ହୋଇ ଏକୀକରଣ ହୋଇଛନ୍ତି ।

ରାଜ୍ୟ ସରକାର ଏବେ ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଦୃଢ ନିଶ୍ଚିତ ଥିବା ବେଳେ ପ୍ରଶାସନିକ ବିଭାଗରେ ନିର୍ଦ୍ଦେଶାଳୟର ମିଶ୍ରଣ ବିଭିନ୍ନ ଭାବେ ପ୍ରଶାସନକୁ ସହାୟକ ହେବ । ଏହାଦ୍ବାରା ନିଷ୍ପତ୍ତି ନେବା ପ୍ରକ୍ରିୟା ତ୍ବରାନ୍ବିତ ହୋଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହେବ। ନିର୍ଦ୍ଦେଶାଳୟ ଓ ମୂଳ ବିଭାଗ ମଧ୍ୟରେ ସମନ୍ବୟ ମଧ୍ୟ ବୃଦ୍ଧି ପାଇବ । ଏହାଦ୍ବାରା ସ୍ବାଭାବିକ ଭାବେ ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ବୃଦ୍ଧି ପାଇବ । ପ୍ରଶାସନିକ କାର୍ଯ୍ୟରେ ସବୁବେଳେ ରେଡ ଟ୍ୟାପିଜିମ ବା ସରକାରୀ ନାଲି ଫିତା ତଳେ ସରକାରୀ ନିଷ୍ପତ୍ତି ଚାପି ହୋଇ ରହିଯାଏ । ଏହାଦ୍ବାରା ବିକାଶ ମୂଳକ କାର୍ଯ୍ୟ ବି ପ୍ରଭାବିତ ହୁଏ । ଏବେ ନିର୍ଦ୍ଦେଶାଳୟ ଓ ବିଭାଗର ଏକୀକରଣ ପରେ ଏହି ସମସ୍ୟାର ବୁହ ମାତ୍ରାରେ ସମାଧାନ ହୋଇପାରିବ । ଏକୀକରଣ ପରେ ବିଭିନ୍ନ ସ୍ତରରେ ସରକାରୀ ଫାଇଲରେ ହେଉଥିବା ସ୍କ୍ରୁଟିନି ହ୍ରାସ ପାଇବ । ଫଳରେ ନିଷ୍ପତ୍ତି ଗ୍ରହଣ କାର୍ଯ୍ୟ ମଧ୍ୟ ତ୍ବରିତ ହୋଇପାରିବ ।

ଉଭୟ ନିର୍ଦ୍ଦେଶାଳୟ ଓ ମୂଳ ବିଭାଗରେ ରହୁଥିବା ସୁପର ଅଥୋରିଟି ବ୍ୟବସ୍ଥା ଏହାଦ୍ବାରା ସରଳିକୃତ ହୋଇପାରିବ । ଫଳରେ ଅଯଥା ସମୟ ଅପଚୟ ହେବନାହିଁ । ଉଦାହାରଣ ସ୍ବରୂପ ପୂର୍ବରୁ ନିର୍ଦ୍ଦେଶାଳୟରୁ ଏକ ପ୍ରସ୍ତାବ ଆସିଲେ, ବିଭାଗର ବିଭିନ୍ନ ସ୍ତରରେ ଏହି ପ୍ରସ୍ତାବର ଯାଂଚ କରାଯାଇଥାଏ । ଏହାଦ୍ବାରା ଗୁଡାଏ ସମୟ ଅଯଥା ଅପଚୟ ହୋଇଥାଏ ଏବଂ ବିକାଶ ମୂଳକ କାର୍ଯ୍ୟର କାର୍ଯ୍ୟକାରିତା ବିଳମ୍ବ ହୋଇଥାଏ । ନୂଆ ବ୍ୟବସ୍ଥା ଦ୍ବାରା ଏଭଳି ସମୟ ଅପଚୟ ଓ ବିଳମ୍ବକୁ ଦୂର କରାଯାଇପାରିବ ।

ସାଧାରଣ ପ୍ରଶାସନ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏକୀକରଣ ପରେ ସମସ୍ତ ପ୍ରଶାସନିକ କାର୍ଯ୍ୟ ଏବେ ସଚିବାଳୟ ୱାର୍କଫ୍ଲୋ ଅଟୋମେଟିକ ସିଷ୍ଟମ ବା ଓସୱାସ ମଧ୍ୟକୁ ଚଲିଆସିବ । ଏହାଦ୍ବାରା ପ୍ରଶାସନିକ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ଯାହାକି 5-ଟି ମନ୍ତ୍ରର ଏକ ଅଂଶ ତାହା କାର୍ଯ୍ୟକାରୀ ହୋଇପାରିବ । ଏଭଳି ଏକ ନିଷ୍ପତ୍ତି ପ୍ରମାଣିତ କରୁଛି ଯେ, ରାଜ୍ୟ ସରକାର ଏବେ ପ୍ରଶାସନିକ ସ୍ତରରେ ସଂସ୍କାର ପାଇଁ ପୂରା ଆକ୍ସନ ମୋଡକୁ ଆସିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ 5-ଟି ସଚିବ ଭାବେ ଭାବେ ଦାୟିତ୍ବ ନେବା ପରେ ଏହି ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × five =