5ଲକ୍ଷ ପରିବାରକୁ ମିଳିବ ‘ଭୂମିହୀନ କୃଷି ପରିବାରର ଜୀବିକା ସହାୟତା’

ଭୁବନେଶ୍ୱର (): କାଳିଆ ଯୋଜନାର ଦ୍ଵିତୀୟ ଭାଗ “ଭୂମିହୀନ କୃଷି ପରିବାରର ଜୀବିକା ସହାୟତା”କୁ କାର୍ଯ୍ୟକାରୀ କରିବାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ଭୂମିହୀନ କୃଷି ପରିବାରଙ୍କୁ ଜୀବନ ଜୀବିକା ସହାୟତା ମାଧ୍ୟମରେ ପଶୁପାଳନ ଓ ଉଦ୍ୟାନ କୃଷି ଫସଲ କରି କୃଷି ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରାଯାଇ ପାରିବ । ଏବଂ ଏହାଦ୍ୱାରା ଭୂମିହୀନ କୃଷି ପରିବାରକୁ ଏକ ପରିବର୍ତ୍ତିତ ଜୀବନଜୀବିକା ପ୍ରଦାନ କରାଯାଇପାରିବ ।
ଏହି ଭାଗରେ ଭୂମିହୀନ ଚାଷୀଙ୍କର ନିଜ ପସନ୍ଦ ଭିତ୍ତିରେ କ୍ଷୁଦ୍ର ଛେଳି ଚାଷ ୟୁନିଟ / କ୍ଷୁଦ୍ର ଅଣ୍ଡା ଦିଆ କୁକୁଡ଼ା ୟୁନିଟ / ଦ୍ଵିମୁଖୀ ସ୍ୱଳ୍ପ ସାମଗ୍ରୀ ବୈଷୟିକ ପକ୍ଷୀ ୟୁନିଟ / ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟ ଉପକରଣ ଯୋଗାଣ / ମହୁ ଚାଷ ଏବଂ ଛତୁ ଚାଷ ପ୍ରଭୃତି ପାଇଁ ସହାୟତା ପ୍ରଦାନ କରାଯିବ । ଚଳିତ ବର୍ଷ ଏହି ସହାୟତା ଗ୍ରହଣ କରିବାକୁ ଥିବା ଭୂମିହୀନ ଚାଷୀ ପରିବାର ସଂଖ୍ୟା 5 ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ହିତାଧିକାରୀଙ୍କ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ବଳକା ସହାୟତା ରାଶିକୁ ଦୁଇଟି କିସ୍ତିରେ ପରବର୍ତ୍ତି ସମୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସହାୟତା ପ୍ରଦାନ ସମୟକୁ ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଖରିଫ ଫସଲର ସହାୟତା ଅକ୍ଷୟ ତୃତୀୟା ଏବଂ ରବି ଫସଲ ସହାୟତା ପାଇଁ ନୂଆଖାଇ ଦିନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଯାହାଦ୍ୱାରା ଚାଷୀମାନେ ଏହି ସହାୟତା ରାଶିରେ ସେମାନଙ୍କର କୃଷିକ୍ଷେତ୍ର ପାଇଁ ଆବଶ୍ୟକ ଦ୍ରବ୍ୟ କିଣାକିଣି ତଥା କୃଷିକାର୍ଯ୍ୟ ପ୍ରସ୍ତୁତିରେ ଅଧିକ ସମୟ ଦେଇପାରିବେ । ଏହି ଯୋଜନାରେ ୧୬୩୩କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ପାଢ଼ୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ।
ସାମ୍ବାଦିକମାନଙ୍କର ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ୧୩.୩ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରେରଣ କରାଯାଇଛି । ଏହି ଯୋଜନା ବାବଦରେ ଅଧିକ ଜାଣିବା ପାଇଁ ପ୍ରାୟ ୮ଲକ୍ଷ ଚାଷୀ କାଳିଆ ବାର୍ତାରେ ଯୋଗାଯୋଗ କରିଛନ୍ତି । ୬୭ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ, ଭୂମିହୀନ, କୃଷକ ପରିବାର ଏବଂ ଭାଗଚାଷୀ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

16 − 11 =