ତୃତୀୟ ଲହର ସୂଚନା ନେଇ ଲୋକେ ଦ୍ୱନ୍ଦରେ, କେନ୍ଦ୍ର ଓ ରାଜ୍ୟର ଭିନ୍ନ ମତ

ଭୁବନେଶ୍ୱର : କରୋନାର ତୃତୀୟ ଲହରକୁ ନେଇ ରାଜ୍ୟବାସୀ ବାଉଳା । ଆଉ ଏହି ବାଉଳା କରୁଛି ଖୋଦ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ ଲହର ନେଇ ଚେତାବନୀ ଦେଉଥିବାବେଳେ ରାଜ୍ୟ ଡିଏମଇଟି କିନ୍ତୁ ତୃତୀୟ ଲହରର କୌଣସି ଲକ୍ଷଣ ନଥିବା କହୁଛନ୍ତି । ଫଳରେ ଲୋକେ ଏବେ ତୃତୀୟ ଲହରର ଆଶା ଓ ଆଶଙ୍କାକୁ ନେଇ ଦ୍ୱନ୍ଦରେ ପଡିଲେଣି ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ଏବେ ବି ରାଜଧାନୀର ସଂକ୍ରମଣ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର ପାଲିଟିଛି । ଏବେ ବି ରାଜ୍ୟରେ ଦେଢ ହଜାର ଉପରେ କରୋନା ରହୁଛି । ଖୋଦ୍ ରାଜଧାନୀରେ କରୋନା ପ୍ଲାଟୁ ସ୍ଥିତିରେ ଥିବା କର୍ତ୍ତୃପକ୍ଷ କହିବା ସହିତ କିଭଳି କମାଇବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି । ଅନ୍ୟ ପକ୍ଷରେ ମୃତ୍ୟୁସଂଖ୍ୟା ଲଗାତାର ଭାବ ୬୦ ଉପର ରହୁଛି ।

ସେହିଭଳି କରୋନାର ତୃତୀୟ ଲହର ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସତର୍କ କରିବା ସହିତ କୌଣସି ସ୍ଥିତିରେ କୋଭିଡ ନିୟମ ଅମାନ୍ୟ ନକରିବାକୁ ନିବେଦନ କରିଛନ୍ତି । ରାଜ୍ୟ ସରକାର ମଧ୍ୟ କରେନାର ତୃତୀୟ ଲହର ମୁକାବିଲା ପାଇଁ ସବଡିଭିଜନ ସ୍ତରରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଜରୁରୀକାଳୀନ ଔଷଧ ମହଜୁଦ ରଖାଯାଉଛି । କେନ୍ଦ୍ର ସରକାର କୋଭିଡ ପ୍ୟାକେଜରେ ଯୋଗାଇଥିବା ୮୬୧ କୋଟି ଟଙ୍କାରେ ମୁଖ୍ୟତଃ ତୃତୀୟ ଲହର ପାଇଁ ଭିତ୍ତଭୂମି ବିକାଶ ଚାଲିଛି ।

କରୋନର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇବାଫଳରେ ଶିଶୁଙ୍କୁ କିଭଳି ଟିକା ଦିଆଯିବ ତାହା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଇତି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଆମେରିକା, ଇଂଲଣ୍ଡ, ସ୍ପେନ୍ ଭଳି ଦେଶରେ କରୋନା ପୁଣି କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡିବ । ବିଶେଷକରି ବର୍ଷାଦିନରେ ଯେଭଳି ଲୋକେ କରୋନା ସହିତ ଅନ୍ୟ ରୋଗରେ ନପଡନ୍ତି ତାହା ଉପରେ ନଜର ଦେବାକୁ ହେବ । କେନ୍ଦ୍ର ସରକାର ବି ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟମାନଙ୍କୁ ସତର୍କ କରିବାରେ ଲାଗିଛନ୍ତି ।

ହେଲେ ଆମ ରାଜ୍ୟର ଡିଏମଇଟି ଡାକ୍ତର ସିବିକେ ମହାନ୍ତି କରୋନାର କୌଣସି ଲକ୍ଷଣ ନଥିବା କହିଛନ୍ତି । ବିଶ୍ୱରେ ତୃତୀୟ ଲହର କାୟା ବିସ୍ତାର କରୁଥିବାବେଳେ ଓ କେନ୍ଦ୍ର ସରକାର ସତର୍କ କରୁଥିବାବେଳେ ଡିଏମ୍‍ଇଟିଙ୍କର ଏଭଳି ମନ୍ତବ୍ୟ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାଦ୍ୱାରା ଲୋକେ ଅଧିକ ବେପରୁଆ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ସୂଚନା ଦେବାପାଇଁ କେନ୍ଦ୍ର ସରକାରଙ୍କ ଭଳି ନିର୍ଦ୍ଦିଷ୍ଟ ଅଧିକାରୀ ନଥିବାରୁ ଯିଏ ଯେତେବେଳେ ଯେମିତି ପାରୁଛି ସୂଚନା ଦେଉଥିବା ଲକ୍ଷ୍ୟ କରାଯାଉଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡିଏମଇଟି ଆଦି ସମସ୍ତେ ପ୍ରତିଦିନ କିଛି ନା କିଛି ସୂଚନା ଦେଉଛନ୍ତି । ଅନେକ ସମୟରେ ଏହା ମଧ୍ୟରେ କିଛି ତାଳ ମେଳ ରହୁନଥିବାରୁ କେନ୍ଦ୍ର ସରକାରଙ୍କ ଭଳି ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ସୂଚନା ଦେବାପାଇଁ ନିୟୋଜିତ କରିବାକୁ ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

two × three =