35ଟି ନୂଆ ଆଦର୍ଶ ପୋଲିସ ଥାନା ଉଦଘାଟିତ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ଏୟାରପୋର୍ଟ ଠାରେ ଆଦର୍ଶ ପୋଲିସ ଷ୍ଟେସନର ଉଦଘାଟନ କରିଛନ୍ତି । ସେହିପରି  ସଚିବାଳୟରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଅନ୍ୟ ୩୪ଟି ଆଦର୍ଶ ପୋଲିସ ଷ୍ଟେସନ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୧୨ଟି ପିସିଆର ମୋବାଇଲର ଶୁଭାରମ୍ଭ କରିଛନ୍ତି । ଏହି ସମସ୍ତ ଆଦର୍ଶ ପୋଲିସ ଥାନାକୁ ଯୋଗାଇ ଦିଆଯାଇଥିବା ୩୫ଟି ବୋଲେରୋ ଓ ୭୦ଟି ନୂଆ ମୋଟର ସାଇକେଲର ମଧ୍ୟ ଶୁଭାରମ୍ଭ କରିଥିଲେ ।
ପୋଲିସର କାର୍ଯ୍ୟକୁ ଆହୁରି ଅଧିକ ତ୍ୱରିତ କରିବା ପାଇଁ ଅଧିକ ଯାନ ଯୋଗାଇ ଦିଆଯାଇଛି ।ଏହି ସବୁ ପୋଲିସ ଷ୍ଟେସନ ମାନଙ୍କରେ ପିସିଆର ଭ୍ୟାନ ରହିବ । ଅଧିକା ଦୁଇଟି ମୋଟର ସାଇକେଲ, ଶିଶୁ କକ୍ଷ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସରଞ୍ଜାମ ରହିବ । ପୋଲିସମାନେ ପିପୁଲସ ଫ୍ରେଣ୍ଡଲି ହେବେ ବୋଲି ଡିଜି କହିଛନ୍ତି । କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା, ବ୍ରହ୍ମପୁରର ବଡ଼ ବଜାର, ଅନୁଗୋଳର ନାଲକୋ ଥାନା, ପୁରୀ ଟାଉନ ଥାନା, ବାଲେଶ୍ୱରର ସହଦେବ ଖୁଂଟା ଥାନା, ସମ୍ବଲପୁରର କ୍ଷେତରାଜପୁର ଏବଂ ରାଉରକେଲା ପୋଲିସ ଜିଲ୍ଲାର ପ୍ଲାଂଟ ସାଇଡ଼ ଥାନା କର୍ତୃପକ୍ଷ ମାନଙ୍କ ସହିତ ଏହି ଭିଡ଼ିଓ କନଫରେନସିହ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଆଦାନ ପ୍ରଦାନ ସମୟରେ ସାଧାରଣ ଲୋକେ ଖୁସି ବ୍ୟକ୍ତ କରିଥିଲେ ।
ଏହି ସବୁ ଆଦର୍ଶ ପୋଲିସ ଷ୍ଟେସନକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହାଦ୍ୱାରା ପୋଲିସର ଆତ୍ମବିଶ୍ୱାସ ସୃଷ୍ଟି କରିବ । ଏହି ଉତ୍ସବରେ ଉନ୍ନୟନ କମିଶନର ଆର. ବାଲ କ୍ରିଷ୍ଣନ ଯୋଗଦେଇ ଆଇନ ଶୃଙ୍ଖଳାର ମୁକାବିଲା, ଅପରାଧ ନିୟନ୍ତ୍ରଣ ଏବଂ ମାଓବାଦୀ ମାନଙ୍କୁ ସଫଳତାର ସହିତ ମୁକାବିଲା କରିଥିବାରୁ ସେ ମଧ୍ୟ ପ୍ରଶଂସା କରିଥିଲେ । ଏହି ଆଦର୍ଶ ପୋଲିସ ଷ୍ଟେସନ ହେବା ଦ୍ୱାରା ସାଧାରଣ ଲୋକେ ପୋଲିସ ଷ୍ଟେସନକୁ ଆସିବାକୁ ଭୟ କରିବେ ନାହିଁ । ପୋଲିସ ସାଧାରଣ ଜନତାଙ୍କୁ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ । ପୋଲିସ ମହାନିର୍ଦ୍ଦେଶକ ଡ. ଆର.ପି. ଶର୍ମା ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ପୋଲିସର କାର୍ଯ୍ୟଭାର ଏବଂ ଆହ୍ୱାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେହି ଆହ୍ୱାନକୁ ମୁକାବିଲା କରିବା ପାଇଁ ପୋଲିସର ଦକ୍ଷତା ବୃଦ୍ଧି କରିବାକୁ ହେବ । ସେଥିପାଇଁ ଆନୁସଂଗିକ ସୁବିଧା ସୁଯୋଗ, ଭିତିଭୂମିର ବିକାଶ ସହ  ତାଲିମ ଯୋଗାଇ ଦେବାରେ ଗୁରୁତ୍ୱ ଦିଆଯାଇଛି । ସମାଜରେ ଥିବା ଆର୍ଥିକ ଦୁର୍ବଳ ଶ୍ରେଣୀ ଗରିବ ଲୋକ ମାନଙ୍କୁ ସାମାଜିକ ନ୍ୟାୟ ଯେପରି ଦେଇପାରିବେ ସେଥିପାଇଁ ତତ୍ପରତା ପ୍ରକାଶ କରିବା ଆବଶ୍ୟକତା ରହିଛି । ପୋଲିସ ମହାନିର୍ଦ୍ଦେଶକ ଡ. ଶର୍ମା ଆହୁରି କହିଥିଲେ ଯେ, ରାଜ୍ୟରେ ଥିବା ୫୩୭ ଟି ପୋଲିସ ଷ୍ଟେସନର ଭିତିଭୂମିର ବିକାଶ ନିମନ୍ତେ ଆବଶ୍ୟକ ପଡ଼ୁଥିବା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । କମିଶନର ପୋଲିସ ସତ୍ୟଜିତ ମହାନ୍ତି ଧନ୍ୟବାଦ ଦେଇଥିଲେ ।
ଉଦଘାଟିତ ହୋଇଥିବା ଆଦର୍ଶ ପୋଲିସ ଥାନା ମଧ୍ୟରେ ରହିଛି  ଭୁବନେଶ୍ୱରର ନନ୍ଦନକାନନ ପୋଲିସ ଥାନା, ସିଡ଼ିଏ ଫେଜ-୨ ପୋଲିସ ଥାନା, କଟକର ସାଲେପୁର, ଜଗତସିଂହପୁରର ପାରାଦ୍ୱୀପ, ଯାଜପୁରର ଯାଯପୁର ରୋଡ଼, କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ପୁରୀର ଟାଉନ ପୋଲିସ, ନୟାଗଡ଼ରେ ଓଡ଼ଗାଁ, ଖୋର୍ଦ୍ଧାରେ ଖୋର୍ଦ୍ଧା ଟାଉନ ପୋଲିସ, ବାଲେଶ୍ୱରର ସହଦେବ ଖୁଂଟା, ଭଦ୍ରକର ଭଦ୍ରକ ଟାଉନ, ମୟୁରଭଂଜର ରାଇରଙ୍ଗପୁର ଟାଉନ, ଗଂଜାମର ଆସ୍କା, ଗଜପତିର ପାରଳାଖେମୁଣ୍ଡି, ବ୍ରହ୍ମପୁରର ବଡ଼ବଜାର, କନ୍ଧମାଳର ଫୁଲବାଣୀ ଟାଉନ ପୋଲସ, କୋରାପୁଟର ସିମିଳିଗୁଡ଼ା, ରାୟଗଡ଼ାର ଗୁଣୁପୁର, ମାଲକାନଗିରିର ମାଲକାନଗିରି, ନବରଙ୍ଗପୁରର ନବରଙ୍ଗପୁର, କଳାହାଣ୍ଡିର କେସିଙ୍ଗା, ନୂଆପଡ଼ାର ଜଙ୍ଗ ପୋଲିସ, ସମ୍ବଲପୁରର କ୍ଷେତରାଜପୁର, ଝାରସୁଗୁଡ଼ାର ବଡ଼ମାଳ, ବରଗଡ଼ର ପଦ୍ମପୁର, ବଲାଙ୍ଗୀରର ଟାଉନ ପୋଲିସ, ସୁବର୍ଣ୍ଣପୁରର ବୀର ମହାରାଜପୁର, ଅନୁଗୋଳର ନାଲକୋ, ଢ଼େଙ୍କାନାଳନର କାମାକ୍ଷା ନଗର, ଦେଓଗଡ଼ର ଦେଓଗଡ଼ ଓ ରାଉରକେଲାର ପ୍ଲାଂଟ ସାଇଡ଼୍, ସୁନ୍ଦର ଗଡ଼ର ସଦର ଥାନା, କେନ୍ଦୁଝରର ସଦର ଥାନା ।
Share

Leave a Reply

Your email address will not be published. Required fields are marked *

three × five =