3.41 ଲକ୍ଷ ଅଯୋଗ୍ୟ ପାଇଛନ୍ତି କାଳିଆ ସହାୟତା

ସରକାରୀ ଚାକିରିଆ, ପେନସନଭୋଗୀ, ନାବାଳକ ଓ ବଡ ଚାଷୀ ବି ପାଇଛନ୍ତି

ସରକାରୀ ଚାକିରିଆଙ୍କ ଦରମାରୁ ଏହି ରାଶି ଉଦ୍ଧାର ହେବ

ଭୁବନେଶ୍ବର () କାଳିଆ ଯୋଜନାରେ ସହୟତା ପାଇଥିବା ତାଲିକାରୁ ବାହାରିଛନ୍ତି 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ସେ ମଧ୍ୟରେ ୨୦ହଜାର ସରକାରୀ ଚାକିରିଆ ଓ ପେନ୍‍ସନଭୋଗୀ କାଳିଆ ଯୋଜନାରେ ୫୦୦୦ ଟଙ୍କା କରି ସହାୟତା ରାଶି ନେଇଯାଇଛନ୍ତି । ସରକାର ଏବେ ସେମାନଙ୍କ ଦରମା ଓ ପେନ୍‍ସନରୁ ଏହି ଟଙ୍କା କାଟିବା ପାଇଁ ଯୋଜନା ଚଳାଇଥିବା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସୂଚନା ଦେଇଛନ୍ତି ।

କାଳିଆ ଯୋଜନାରେ ହିତାଧିକାରୀମାନଙ୍କ ଯାଞ୍ଚ ପ୍ରକ୍ରିୟା ସଂକ୍ରାନ୍ତରେ ସୂଚନା ଦେଇ ଡକ୍ଟର ସାହୁ କହିଛନ୍ତି ଯେ କେବଳ ୨୦ହଜାର ସରକାରୀ ଚାକିରିଆ କିମ୍ବା ପେନ୍‍ସନଭୋଗୀ ନୁହନ୍ତି ୧୨ହଜାର ବଡ ଚାଷୀ ଓ ୯ହଜାର ନାବାଳକ ନାବାଳିକାଙ୍କ ଖାତାକୁ ବି କାଳିଆ ଟଙ୍କା ଯାଇଛି । ବଡଚାଷୀମାନେ ଯେଭଳି ଟଙ୍କା ଫେରାଇବେ ସେଥିପାଇଁ ସେମାନଙ୍କୁ ପ୍ରବର୍ତ୍ତାଯିବ, କାରଣ ସେମାନେ ପିଏମ୍‍ କିଷାନ ଯୋଜନାରେ ଅର୍ନ୍ତଭୁକ୍ତ ହୋଇପାରିବେ ।

୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହେବା ପରେ ୨୦୧୯ ମେ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର/ନାମମାତ୍ର/ପ୍ରକୃତ ଚାଷୀ (ଭାଗଚାଷୀ) ଚିହ୍ନଟ କରାଯାଇ ସେମାନଙ୍କ ବ୍ୟାଙ୍କ ଆକଉଣ୍ଟକୁ ଅନଲାଇନରେ ୫୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଅନଲାଇନ ମାଧ୍ୟମରେ ୫୦୦୦ ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସର୍ବମୋଟ ୫୧ ଲକ୍ଷ ୫ ହଜାର ୨୯୦ ଜଣ କୃଷକ, ଭାଗଚାଷୀ, ଭୂମିହୀନ କୃଷି ପରିବାର ୨୦୧୯ ମେ 29 ତାରିଖ ସୁଦ୍ଧା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଇଥିଲେ ।

ଏହି ଯୋଜନାରେ ସ୍ବଚ୍ଛତା ଓ ଏଥିରେ ସଂଶ୍ଲିଷ୍ଟ ସମସ୍ତ ହିତଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ହିତାଧିକାରୀ ତାଲିକା ପ୍ରତି ଗ୍ରାମପଂଚାୟତ କାର୍ଯ୍ୟାଳୟ ଏବଂ ୱେବ ପୋର୍ଟାଲରେ ୦୬ ଅଗଷ୍ଟ ୨୦୧୯ ଦିନ ପ୍ରକାଶ କରାଯାଇଥିଲା । ହିତାଧିକାରୀମାନଙ୍କ ପ୍ରକୃତ ଯୋଗ୍ୟତା ତଦାରଖ କରିବା ସହ ବାକି ରହିଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଗୋଟି ଦରାଖାସ୍ତ (୨୨ ଲକ୍ଷ ୨୭ ହଜାର ୮୪୨ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ ୧୭ ଏକ୍ଷ ୯୩ ହଜାର ୮୭୧ ଭୁମିହୀନ କୃଷି ପରିବାର) ତଥ୍ୟ ଯାଞ୍ଚ କରିବା ପାଇଁ ୦୬ ଅଗଷ୍ଟ ୨୦୧୯ ଠାରୁ ୩୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ମଧ୍ୟ ସମୟ ଧାର୍ଯ୍ୟ କରାଯାଇଥିଲା ।

ଏତତ ବ୍ୟତୀତ ଯେଉଁ ଗ୍ରମପଂଚାୟତ ମାନଙ୍କରେ କୃଷି ପରିବାର ସଂଖ୍ୟା ତୁଳନାରେ କମ ସଂଖ୍ୟକ ହିତାଧିକାରୀ ଚୟନ ହୋଇଛନ୍ତି, ସେହି ପଂଚାୟତମାନଙ୍କରୁ କ୍ଷୁଦ୍ର, ନାମମାତ୍ର ଚାଷୀ, ଭୂମିହୀନ କୃଷି ପରିବାରଙ୍କ ଠାରୁ ପଂଚାୟତ ସ୍ତରରେ ଦରଖାସ୍ତ ଗ୍ରହଣ କରାଯାଇଥିଲା । ସେହିପରି ଅନ୍ୟ ପଂଚାୟତର ଯୋଗ୍ୟ ହିତାଧିକାରୀମାନଙ୍କୁ ସିଧାସଳଖ ସେବା କେନ୍ଦ୍ର ଜରିଆରେ ଅନଲାଇନ ଦରଖାସ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଯାଂଚ ପରେ ଜଣାଗଲା ଯେ କିଛି ହିତାଧିକାରୀମାନେ ବିଭିନ୍ନ କାରଣରୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରାୟ ୧୨ ହଜାର ବଡଚାଷୀ କାଳିଆ ସହାୟତା ପାଇଛନ୍ତି । ସେହି ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଇଥିବା ସହୟତା ଅର୍ଥ ଫେରସ୍ତ କରିବାକୁ ପ୍ରମର୍ତ୍ତାଯିବ । କାରଣ ସେମାନେ ପିଏମ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।

ସେହିଭଳି ପ୍ରାୟ ୯୦୦୦ ନାବାଳକ, ନାବାଳିକା କାଳିଆ ଯୋଜନାରେ ସହାୟତ ପାଇଛନ୍ତି । ଯେହେତୁ ସେମାନଙ୍କ ପରିବାର ମୁଖ୍ୟମାନେ ସହାୟତା ରାଶି ପାଇଛନ୍ତି, ସେହି ପରିବାରମାନଙ୍କୁ କିସ୍ତି ସହାୟତା ରାଶିରେ ବ୍ୟବସ୍ଥିତ କରାଯିବ । ପ୍ରାୟ ୨୦୦୦୦ ସରକାରୀ ଚାକିରିଆ ବା ପେନସନ ଭୋଗୀ ଯେଉଁମାନେ କି କାଳିଆ ସହାୟତା ପାଇଛନ୍ତି ସେମାନଙ୍କୁ ଏହି ରାଶି ଫେରସ୍ତ କରିବାକୁ କୁହାଯିବ । ଅନ୍ୟଥା ସେମାନଙ୍କ ବେତନ ବା ପେନସନରୁ ଏହି ରାଶି ଭରଣା କରାଯିବାର ବ୍ୟବସ୍ଥା କରାଯିବ ।

ଏଥିସହିତ ପ୍ରାୟ ୩ ଲକ୍ଷ ହିତାଧିକାରୀ, ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ କାଳିଆ ସହାୟତା ପାଇଛନ୍ତି । ସେମାନଙ୍କ କ୍ଷେତ୍ରରେ ପରିବାରର ଜଣଙ୍କୁ ସହାୟତା ପାଇଁ ଯୋଗ୍ୟବ ବିବେଚନା କରି ଅନ୍ୟ ମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ । ଅର୍ଥାତ ଗୋଟିଏ ପରିବାରରୁ ୩ ଜଣ ସହାୟତା ପାଇଥିଲେ ପରବର୍ତ୍ତୀ କିସ୍ତିରେ ଜଣଙ୍କୁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ଅର୍ଥ ବ୍ୟବସ୍ଥିତ କରାଯିବ ।

ଯଦି କୌଣସି ଯୋଗ୍ୟ ହିତାଧିକାରୀ ମାନେ ଅନୁଭବ କରନ୍ତି ଯେ ସେମାନେ ଭୁଲକ୍ରମେ ଯୋଗ୍ୟ ବିବେଚିତ ତାଲିକାରୁ ବାଦ ପଡିଯାଇଛନ୍ତି ତେବେ ସେମାନେ ସମସ୍ତ ଦସ୍ତାବିଜ ସହ ୱେବସାଇଟ kalia.co.in ମାଧ୍ୟମରେ ଆବେଦନ କରିପାରିବେ । ସେହି ଦରଖାସ୍ତ ଗୁଡିକ ଯାଂଚ କରାଯାଇ ସେମାନଙ୍କୁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ ।

ସେପ୍ଟେମ୍ବର ୨୦୧୯ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ,ଖରିଫ ୨୦୧୯ ପାଇଁ କାଳିଆ ସହାୟତା ପାଇପାରିବେ । କୌଣସି ଯୋଗ୍ୟ ହିତାଧିକାରୀ ସ୍ବେଚ୍ଛାକୃତ ଭାବରେ ପାଇଥିବା କାଳିଆ ସହାୟତା ଫେରସ୍ତ କରିବାକୁ ଚାହୁଁଥିଲେ କିମ୍ବା କୋଣସି ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତାରାଶି ନିମ୍ନଲିଖିତ ଆକଉଣ୍ଟରେ ଫେରସ୍ତ ପାଇପାରିବେ । ଏଥିପାଇଁ ଆକାଉଣ୍ଟ ନାମ – Voluntary refund of kalia assistance, ଆକାଉଣ୍ଟ ନମ୍ବର- ୩୮୪୭୪୫୦୦୭୬୨, IFSC CODE -SBIN0010236

କାଳିଆ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଉଥରେ ଯାଂଚ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କାଳିଆ ସହାୟତା ଫେରସ୍ତ ପାଇଁ ପ୍ରବର୍ତ୍ତା ଯାଇ ଉତ୍ସାହିତ ବାଧ୍ୟ କରାଯିବ । ବାକିଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତର ତଥ୍ୟ ଯାଂଚ ହୋଇସାରିଛି ଏବଂ ତନ୍ମଧ୍ୟରୁ କେତେବାଦ ପଡିବେ ତାହାର ପ୍ରକ୍ରିୟା ମଧ୍ୟ କ୍ଷେତ୍ରୀୟ ସ୍ତରରେ ଶେଷ ହୋଇଛି । ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପି-ପାସ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, SFSS, SECC ଓ HRMS ରେ ଥିବା ଡାଟାବେସ ଆଧାରରେ ଯାଂଚ କରି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି । ଏହି ହିତାଧିକାରୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଠିକ ଅଛି । ଏହି ଯୋଗ୍ୟ ବିବେଚିତ ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ପରିବାର ମାନଙ୍କୁ ସେପ୍ଟେମ୍ବର ୨୦୧୯ରେ କାଳିଆ ସହାୟତା ରାଶି ପ୍ରଦାନ କରାଯିବ । ଏଥିସହିତ ହିତାଧିକାରୀ ମାନଙ୍କ ଦରଖାସ୍ତ ଯାଂଚ ପ୍ରକ୍ରିୟା ଚାଲୁ ରହିଛି ଏବଂ ହିତାଧିକାରୀ ମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ମଧ୍ୟ ଏହି ବର୍ଷ ୨୦୧୯ରେ କାଳିଆ ସହାୟତା ରାଶି ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

3 × two =