ମୋଦିଙ୍କ ପାଇଁ 2019 ସହଜ ହେବନି

ବିଜେପିକୁ ଟକ୍କର ଦେବେ ଆଞ୍ଚଳିକ ଦଳ

ନୂଆଦିଲ୍ଲୀ () ୨୦୧୯ରେ ପୁଣି ଥରେ କେନ୍ଦ୍ରରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ସାହା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ସେପଟେ ଦଳର ଗଡ ଦୋହଲିଗଲାଣି । ପୁଣି ଥରେ ଉପର୍ନିବାଚନରେ ମାତ ଖାଇଛି ବିଜେପି । ଉପର୍ନିବାଚନରେ ଗୋଟିଏ ପରେ ଗୋଟିଏ ଆସନ ବିଜେପି ହାତରୁ ଖସୁଛି ।

ଏହି ଉପର୍ନିବାଚନର ଫଳାଫଳ ସଂକେତ ଦେଉଛି ଯେ, ୨୦୧୯ରେ ସରକାର ଗଠନ ବିଜେପି ପାଇଁ ଏତେ ସହଜ ହେବନି । ସାରା ଦେଶକୁ ଗୈରିକ କରିବାକୁ ବିଜେପିର ଅଭିଯାନରେ ବିରୋଧୀ ମେଣ୍ଟ ବ୍ରେକ ଲଗାଇବେ । ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ଯେଉଁ ସ୍ବପ୍ନ ଦେଖୁଛି ସେଥିରେ ଆଞ୍ଚଳିକ ଦଳ ଗୁଡ଼ିକ ବାଧା ସୃଷ୍ଟି କରିବେ । ଅଥାର୍ତ ୨୦୧୯ରେ ବିଜେପି ବିରୋଧୀ ଯଦି ଏକାଠି ହୁଅନ୍ତି ତେବେ ବିଜେପି ପାଇଁ ପୁଣିଥରେ ସରକାରକୁ ଆସିବା କଷ୍ଟକର ହୋଇପାରେ ।

ଆଜି ପ୍ରକାଶିତ ୪ଟି ଲୋକସଭା ଓ ୧୦ ବିଧାନସଭା ଉପନିର୍ବାଚନ ଫଳାଫଳ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ବିରୋଧୀ ଏକାଠି ହେଲେ ମୋଦିଙ୍କୁ ହରାଇବା କଷ୍ଟ ହେବନି । ଏଥିସହିତ ପୁଣିଥରେ ଉତ୍ତରପ୍ରଦେଶରେ ଯୋଗୀ ଓ ଶାହାଙ୍କ ଯୋଡିକୁ ବଡ଼ ଝଟକା ଲାଗଛି । ବିଜେପି ହାତରୁ କୈରାନା ଲୋକସଭା ଆସନ ଓ ନୂରପୁର ବିଧାନସଭା ଆସନକୁ ଛଡାଇ ନେଇଛନ୍ତି ବିରୋଧୀ । ପୂର୍ବରୁ ଗୋରଖପୁର, ଫୁଲପୁର ଉପର୍ନିବାଚନରେ ବିଜେପି ହାରିଯିବା ପରେ ସାରା ଦେଶର ନଜର ଥିଲା ୟୁପିର କୈରାନା ଲୋକସଭା ଆସନ ଉପରେ । ବିଜେପି ସାଂସଦ ହୁକୁମ ସିଂହଙ୍କ ମୃତ୍ୟୁ ପରେ ଏହି ସିଟ୍ ଖାଲି ପଡ଼ିଥିଲା । ମୁହାଁମୁହିଁ ଲଢେଇ ହୋଇଥିଲା ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ତାବାସୁମ୍ ହାସନ ଓ ବିଜେପିର ମ୍ରିଗଙ୍କା ସିଂହଙ୍କ ମଧ୍ୟରେ । ଏସପି ସମେତ ପୂରା ବିରୋଧୀ ଦଳ, ତାବାସୁମଙ୍କୁ ଜିତାଇବା ଲାଗି ଦମ୍ ଲଗାଇ ଦେଇଥିଲେ । ବିରୋଧୀ ଦଳର ଏହି ରଣନୀତି ସଫଳ ହୋଇଥିଲା ଆଉ ୫୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ତାବାସୁମ୍ ।

ସେହିପରି ବିଜେପି ହାତରୁ ନୂରପୁର ଆସନକୁ ଛଡ଼ାଇ ନେଇଛି ସମାଜବାଦୀ ପାର୍ଟି । ବିଜେପି ବିଧାୟକ ଲୋକେନ୍ଦର ସିଂହଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ ଉପର୍ନିବାଚନ ହୋଇଥିଲା । ବିଜେପି ପ୍ରାର୍ଥୀ ଆଭାନୀ ସିଂହଙ୍କୁ ୬୦୦୦ରୁ ଅଧିକ ଭୋଟରେ ହରାଇଛନ୍ତି ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମୁଲ ହାସନ । ଉତ୍ତରପ୍ରଦେଶର ଏହି ଦୁଇ ଆସନରେ ମୃତ ଲୋକ ପ୍ରତିନିଧିଙ୍କ ଝିଅ ଓ ପତ୍ନୀ ନିିର୍ବାଚନ ଲଢୁଥିଲେ । ଅନୁକମ୍ପା ସତ୍ୱେ ବିରୋଧୀ ଶକ୍ତି ଏକ ହୋଇଯିବାରୁ ପରାଜୟର ସ୍ବାଦ ଚାଖିଛି ବିଜେପି ।

୪ଟି ଲୋକସଭା ଓ ୧୦ଟି ବିଧାନସଭା ଉପ-ନିର୍ବାଚନରେ ବିଜେପିକୁ ମାତ୍ର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନ ମିଳିଛି । ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା-ଗୋଣ୍ଡିଆ ଲୋକସଭା ଆସନରେ ଉପର୍ନିବାଚନ ହୋଇଥିଲା । ପାଲଘର ଆସନ ବିଜେପି ଖାତାକୁ ଯାଇଥିବା ବେଳେ ଭଣ୍ଡାରା-ଗୋଣ୍ଡିଆ ଆସନକୁ ଛଡାଇ ନେଇଛି ଏନସିପି । ଅନ୍ୟପଟେ ନାଗାଲାଣ୍ଡ ଲୋକସଭା ଆସନରେ ଆଗରେ ରହିଛି ଏନଡିପିପି । ଏହି ମେଂଟ ଭିତରେ ରହିଛି ବିଜେପି ।

ଆଉ ଏକ ବଡ଼ କଥା ହେଉଛି ବିହାରରେ ଏନଡିଏ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଡୁ ମୁହଁ ଫେରାଇ ନେଇଛନ୍ତି ଭୋଟର । ଜୋକିହାଟ୍ ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀଙ୍କୁ ବିପୁଳ ବିଜୟ ମିଳିଛି । ଆଉ ଏହାସହ ବିଜେପିକୁ ବିହାରରେ ଲାଗିଛି ଶକ୍ତ ଝଟକା । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ବିଜେପିକୁ ଲାଗିଛି ଝଟକା । ସିଲି ଓ ଗୋମିଆ ବିଧାନସଭା ଆସନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟର ବାନା ଉଡାଇଛନ୍ତି ।

ତେବେ ଉତ୍ତରାଖଣ୍ଡରେ ମିଳିଛି ବିଜେପିକୁ ସଫଳତା । ଥରାଲି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ । କିନ୍ତୁ ପଶ୍ଚିମବଙ୍ଗରେ ହୋଇଥିବା ଉପନିର୍ବାଚନରେ ମାତ ଖାଇଛି ବିଜେପି । ପଶ୍ଚିମବଙ୍ଗର ମାହେସ୍ତାଲା ବିଧାନସଭା ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ତୃଣମୂଳ କଂଗ୍ରେସ ପ୍ରାର୍ଥୀ । କେରଳର ଚେଙ୍ଗାନୁର ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ସିପିଏମ୍ ପ୍ରାର୍ଥୀ ।

୧୦ଟି ବିଧାନସଭାରୁ ତିନିଟି ଯାଇଛି କଂଗ୍ରେସ ସପକ୍ଷରେ । କର୍ଣ୍ଣାଟକର ରାଜାରାଜେଶ୍ବରୀ ନଗର ବିଧାନସଭା ଆସନ ଯାଇଛି କଂଗ୍ରେସ ଖାତାକୁ । ପାଖାପାଖି ୭୦ ହଜାର ଭୋଟରେ ହାରିଛି ବିଜେପି । ଏହି ଆସନକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସର ଗଡ଼ ଥିବା ଏହି ଆସନକୁ ହାତେଇବା ପାଇଁ ପୂରା ଜୋର ଲଗାଇ ଦେଇଥିଲା ବିଜେପି । କିନ୍ତୁ କଂଗ୍ରେସର ରଣନୀତି ଆଗରେ ଫିକା ପଡ଼ିଯାଇଥିଲା ବିଜେପିର ·ଲ । ସେହିପରି ପଂଜାବର ସାହକୋଟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ବଡ଼ ବିଜୟ । ସେହିଭଳି ମେଘାଳୟର ଅମ୍ପାତି ବିଧାନସଭା ଆସନରେ ମଧ୍ୟ ବିଜୟର ବାନା ଉଡାଇଛି କଂଗ୍ରେସ । ଏହି ବିଜୟ ସହ ବିଜେପିକୁ କଡା ଟକ୍କର ଦେଇଛି କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

five × 2 =