ପ୍ରାଚୀନ ନଗରର  ଧ୍ବଂସାବଶେଷ ଆବିଷ୍କୃତ

ପୁରୀ () ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଗଡଝିଙ୍କିରିଆ ଗ୍ରାମରୁ ଆବିଷ୍କୃତ ହୋଇଛି ପ୍ରାୟ 2 ହଜାର ବର୍ଷ ପୂର୍ବର ପ୍ରାଚୀନ ନଗରର ଧ୍ବଂସାବଶେଷ । ବିଗତ ଦିନରେ ଚାଲୁଥିବା ସର୍ବେକ୍ଷଣରୁ ଏମିତି କିଛି ପ୍ରାଚୀନ କିର୍ତ୍ତୀରାଜୀ ଲୋକଲୋଚନକୁ ଆସିଛି । ଏହି ଗଡଝିଙ୍କିରିଆ ଗ୍ରାମରେ ଗତ ଏକ ମାସ ହେଲା ସର୍ବେକ୍ଷଣ କାର୍ଯ୍ୟ ଚାଲିଥିଲା। ଐତିହାସିକ ତଥା ପ୍ରତ୍ନତତ୍ତ୍ବବିତ ଡକ୍ଟର ଅତୁଲ କୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ଏହି ସର୍ବେକ୍ଷଣ କାର୍ଯ୍ୟ ହୋଇଥିଲା ।

ଗାଁର ବସନ୍ତ କୁମାର ପାତ୍ର, ଶତ୍ରୁଘ୍ନ ପାତ୍ର ଓ ପ୍ରଫୁଲ୍ଲ ପାତ୍ର ଗଡରୁ ମିଳିଥିବା କିଛି ସାମଗ୍ରୀ ସଂପର୍କରେ ଡକ୍ଟର ପ୍ରଧାନଙ୍କୁ ଅବଗତ କରିଥିଲେ  । ପରେ ଡକ୍ଟର ପ୍ରଧାନ ଗୋପ କଲେଜର ଇତିହାସ ବିଭାଗର ଅଧ୍ୟାପକ ମହେନ୍ଦ୍ର କୁମାରଙ୍କ ସହାୟତାରେ ଏହି ଗ୍ରାମକୁ ବୈଜ୍ଞାନିକ ପଦ୍ଧତ୍ତିରେ ସର୍ବେକ୍ଷଣ କରିଥିଲେ  । ଏହି ଗଡ 84 ଏକର ପରିବେଷ୍ଟିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଏହାକୁ ସ୍ଥାନୀୟ ଲୋକେ ଭିତରଗଡ ବୋଲି କହିଥାନ୍ତି । ସର୍ବେକ୍ଷଣରୁ ପ୍ରଚୁର ମାତ୍ରାରେ କଳା, ଲାଲ, ଗେରୁଆ, ଚକଲେଟ ରଙ୍ଗର ମାଟି ପାତ୍ର, ମାଳି, ମୋହର, ଶିଳବଟା, କୁମ୍ଭାର ବ୍ୟବହୃତ ସାମଗ୍ରୀ, ସ୍କିନ ରବର, ପ୍ରାଚୀନ ଇଟା, ତମ୍ବା, ଲୌହ ଏବଂ ଅନ୍ୟାନ ପ୍ରତ୍ନତତ୍ତ୍ବିକ ସାମଗ୍ରୀ ଉଦ୍ଧାର କରାଯାଇଛି ।

ଆବିଷ୍କୃତ ସମସ୍ତ ପ୍ରତ୍ନତାତ୍ତ୍ବିକ ସାମଗ୍ରୀର ପରିକ୍ଷଣ ପରେ ଏହା ପ୍ରାୟ ଦୁଇ ହଜାର ବର୍ଷ ତଳର ବୋଲି ଡକ୍ଟର ପ୍ରଧାନ ଦାବି କରିଛନ୍ତି । ମାତ୍ର ଭିତରଗଡର କିଛି ଭାଗକୁ ଚାଷ ଜମିରେ ପରିଣତ କରାଯାଇଥିବାରୁ ପ୍ରଚୁର ମାତ୍ରରେ ପ୍ରତ୍ନତାତ୍ତ୍ବିକ ଅବଶେଷ ମାଟି ଭିତରେ ରହିଯାଇଛି । ପ୍ରଶାସନ ଏହି ଦିଗରେ ଦୃଷ୍ଟ ଦେଇ ଏହି ପ୍ରାଚୀନ ସ୍ଥଳକୁ ସଂରକ୍ଷିତ କରିବାକୁ ସାଧାରଣରେ ଦାବି ହେଉଛି ।

Share

Leave a Reply

Your email address will not be published. Required fields are marked *

2 − one =