ଆଜିଠୁ ୧୪ ଦିନ ମାସ୍କ ଅଭିଯାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କି, କରୋନା ପାଇଁ ବର୍ଷେରୁ ଅଧିକ ସମୟ ହେଲା ସାରା ବିଶ୍ୱ ଏକ ଅସାଧାରଣ ପରିସ୍ଥିତି ଦେଇ ଗତି କରୁଛି । ମାନବ ଇତିହାସରେ ଏଭଳି ସଂକଟ ନିକଟ ଅତୀତରେ କେବେ ବି ଆସିନଥିଲା । କୋଭିଡ୍ ସଂକ୍ରମଣର ପ୍ରଥମ ଲହର ସମୟରେ ଜନସାଧାରଣ ତଥା ପଞ୍ଚାୟତ ପ୍ରତିନିଧିଙ୍କ ସହଯୋଗ ଏବଂ କୋଭିଡ୍ ଯୋଦ୍ଧା ଅସୀମ ତ୍ୟାଗ ଓ ସେବା ଯୋଗୁଁ ଆମେ ଅନେକ ଜୀବନ ରକ୍ଷା କରିପାରିଥିଲେ । ଆମ ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ କମ୍ ଥିଲା ।

ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଏଥିପାଇଁ ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ମିଶି ମାସ୍କ ଅଭିଯାନ ଆରମ୍ଭ କରିବା । ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡର ପ୍ରଥମ ଲହର ସମୟରେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା । ଏହାବ୍ୟତୀତ ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ ମଧ୍ୟ କରିବାକୁ ପଡ଼ିଥିଲା । ଲକଡାଉନରେ ସାଧାରଣ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବ୍ୟବସାୟ କ୍ଷତିରେ ଚାଲିଥିଲା | ଗରିବ ଲୋକଙ୍କ ରୋଜଗାର ଉପରେ ଏହା ବିଶେଷ ଭାବରେ ପ୍ରଭାବ ପକାଇଥିଲା । ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଏହା ବହୁତ ଶୀଘ୍ର ବ୍ୟାପୁଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ୍ ଆରମ୍ଭ ହେଲାଣି ।

ମାସ୍କ ଠିକ୍ ଭାବରେ ନପିନ୍ଧି ବାହାରକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ଲାଗି ପୋଲିସ ଓ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଆଦାୟ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଟିକା ନେଇଥିବା ଲୋକ ନନେଇ ଥିବା ଲୋକ ମାସ୍କ ପିନ୍ଧନ୍ତୁ । ତାହେଲେ ଯାଇ ଆମେ ଲକଡାଉନକୁ ରୋକି ପାରିବା । ଜୀବନ ସହ ଜୀବିକାକୁ ଆଗେଇ ନେବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ଏବେ କରୋନାର ଦ୍ୱିତୀୟ ଲହର ଦେଶରେ ଚାଲିଥିବା ବେଳେ ଅନ୍ୟ କେତେକ ଦେଶର ତୃତୀୟ ଲହର ଆସିଛି । ମାସ୍କକୁ ଜୀବନର ସାଥି କରିପାରିଲେ ଆମେ କରୋନାକୁ ହରାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ତେବେ ଯାଇ ଆମେ କରୋନାଠାରୁ ଜିତି ପାରିବା । ମାଆମାନଙ୍କୁ ମୋର ବିଶେଷ ଅନୁରୋଧ ଯିଏ ବି ଘରୁ ବାହାରକୁ ଗଲେ ଆପଣ ସେମାନଙ୍କୁ ମାସ୍କ ପିନ୍ଧିବା ଉପରେ ଧ୍ୟାନ ଦିଅନ୍ତୁ । ମାଆମାନେ ସତର୍କ ହେଲେ ଘରକୁ କରୋନା ଆସିପାରିବ ନାହିଁ । ସରକାର ବାହାରେ ଜଗିଛନ୍ତି, ମାଆମାନେ ଘରେ ଜଗନ୍ତୁ ।

Share

Leave a Reply

Your email address will not be published. Required fields are marked *

three × 1 =