ସଜେଇ ହେଲେଣି ଲିଙ୍ଗରାଜ

ପ୍ରତିବର୍ଷ ପରି ଏଥର ମଧ୍ୟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଭଜନ ସମାରୋହ ଆୟୋଜନ କରାଯାଇଛି। ଏହି ୩୪ ତମ ଜାତୀୟସ୍ତରୀୟ ଭଜନ ସମାରୋହରେ ପୁଣି ଯୋଗେ ଦେବେ ଭାରତର ଖ୍ୟାତନାମା ଭଜନ ଗାୟିକା କଣ୍ଠଶିଳ୍ପୀ ଅନୁରାଧା ପୌଡ୍‌ୱାଲ୍‌। ତାଙ୍କ ସହିତ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ୍ ସୁପ୍ରିୟୋ ଓ ବେଲା ସୁଲାଖେ ମଧ୍ୟ ସାମିଲ୍‌ ହେବେ। ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ଟିମ୍‌ ସହ ଓଡ଼ିଶାର ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଣ୍ଠଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭଜନ ଗାଇବାର ସୁଯୋଗ ପାଇବେ। ଆଜି ଶ୍ରୀଲିଙ୍ଗରାଜ ଲାଇବ୍ରେରି ହଲ୍‌ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଆୟୋଜକ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଏହି ସୂଚନା ଦେଇଛନ୍ତି। ମହାଶିବରାତ୍ରୀ ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର୍‌ ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ଆଦି କାର୍ଯ୍ୟକ୍ରମ ଦିନ ତମାମ୍‌ ଚାଲିବ। ସନ୍ଧ୍ୟା ୭ ଘଟିକାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ଭଜନ ସମାରୋହ ଚାଲିବ। ଏହି ଉତ୍ସବରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଛି। ତେବେ ଏହି ସମ୍ମିଳନୀ‌ରେ ବିଧାୟକ ଶ୍ରୀ ରାଉତରାୟ ସ୍ଥାୟୀ ଭଜନ ମଣ୍ଡପ ନିର୍ମାଣ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ଜାହିର୍‌ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ।

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳକୁ ସଜାଇବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସିଂହଦ୍ବାରକୁ ଅଧିକ ଆକର୍ଷଣୀୟ କରିବାକୁ ବଡ଼ ଯୋଜନା କରାଯାଇଛି। ମନ୍ଦିର ରଙ୍ଗ କାମ ସରିଛି। ସିଂହଦ୍ବାରକୁ ଫୁଲରେ ସଜେଇ ଦିଆଯିବ। ଏଥର ପଡ଼ୋଶୀ ରାଜ୍ୟର ଫୁଲରେ ସିଂହଦ୍ବାରକୁ ସଜେଇ ଆକର୍ଷଣୀୟ କରାଯିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଭୁବନେଶ୍ବର ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ସିଂହଦ୍ବାରକୁ ସଜେଇ ଦିଆଯିବ ବୋଲି ସଂଘର ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି। ଏଏସ୍‌ଆଇ ପକ୍ଷରୁ ସିଂହଦ୍ବାର ପିତଳ କବାଟକୁ ସଫା କରାଯାଇଛି ଏବଂ ମନ୍ଦିରର ପ୍ରବେଶ ପଥ ଗୁମୁଟକୁ ରଙ୍ଗ କରାଯାଇଛି। ସେହିପରି ମନ୍ଦିର ଗର୍ଭଗୃହକୁ ରଙ୍ଗ କରାଯିବା ସହ ସେଠ‌ାରେ ସୁନ୍ଦର ଚାନ୍ଦୁଆ ବନ୍ଧାଯାଇଛି।

Share

Leave a Reply

Your email address will not be published. Required fields are marked *

eleven + 4 =