ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ

ଆଜିଠାରୁ ଆରମ୍ଭ ହୋଇଛି ସଂସଦର ବର୍ଷାକାଳୀନ ଅଧିବେଶନ। ଅଧିବେଶନରେ ବିଜେଡି ଓଡ଼ିଶାର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉଠାଇବ । ଏ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସଂସଦୀୟ ବୋର୍ଡ ବୈଠକରେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରାଧିକାର, କୋଇଲା ରୟାଲିଟି, ବଳକା ଉଷୁନା ଚାଉଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଭୟ ଗୃହରେ ଉଠାଇବ ବିଜେଡି। ୨୦୨୧-୨୨ ଖରିଫ ବର୍ଷର ବଳକା ୫ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଣ, ୫୮ ପ୍ରତିଶତ ଗ୍ରେଡରୁ ନିମ୍ନ ଖଣିଜ ଓ ଧାତବ୍ୟ ଦ୍ରବ୍ୟ ଉପରୁ ରପ୍ତାନୀ ଶୁଳ୍କ ପ୍ରତ୍ୟାହାର, ଫନି ପ୍ରଭାବିତ ଲୋକଙ୍କ ପାଇଁ ସ୍ବତନ୍ତ୍ର ଭାବେ ୧ଲକ୍ଷ ୮୪ ହଜାର ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଣ ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବେ ବିଜେଡି ସାଂସଦ।

ସେହିପରି ଆବାସ ପ୍ଲସରେ ସାମିଲ ହୋଇଥିବା ୫ଲକ୍ଷ ୯ ହଜାର ହିତାଧିକାରୀଙ୍କୁ ସାମିଲ କରିବା ନେଇ ମଧ୍ୟ ଦାବି କରାଯିବ । ଏଥିସହ ଆୟକର ପରିସରରୁ DMF ଟ୍ରଷ୍ଟକୁ ବାଦ ଦେବା, ସ୍ବାମୀନାଥନ କମିଟି ସୁପାରିଶ ଅନୁସାରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା, ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ସମ୍ବିଧାନରେ ସଂଶୋଧନ, ରାଜ୍ୟର ବିଧାନ ପରିଷଦ ଗଠନକୁ ସ୍ବୀକୃତି ସହ ସମ୍ବିଧାନର ଅଷ୍ଟମ ପରିଛେଦ ହୋ ଭାଷାକୁ ସାମିଲ କରିବା ପ୍ରସଙ୍ଗ ମଧ୍ୟ ଜୋରଦାର ଭାବେ ଉଠାଇବେ ବିଜେଡି ସାଂସଦ ।
ଏଥର ରାଜ୍ୟସଭାକୁ ଦଳର ତିନି ନେତା ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶିଙ୍କ ଲାଗି ଏହା ପ୍ରଥମ ଅଧିବେଶନ।

Share

Leave a Reply

Your email address will not be published. Required fields are marked *

seventeen − 16 =