ରାଜ୍ୟର ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୭୦୦ ଟଙ୍କାର ୟୁନିଫର୍ମ ଭତ୍ତା

ରାଜ୍ୟର ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ବାର୍ଷିକ ୫୭୦୦ ଟଙ୍କାର ୟୁନିଫର୍ମ ଭତ୍ତା । ତେବେ ରାଜ୍ୟର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ପୋଷାକ ଭତ୍ତା ପ୍ରଦାନ କରିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ବର୍ଷକୁ ଜଣେ କର୍ମଚାରୀଙ୍କୁ ପୋଷାକ ଓ ଅନ୍ୟ ଆନୁସଙ୍ଗିକ ଜିନିଷ କିଣିବାକୁ ୫୭୦୦ ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସେପଟେ ଗୃହ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ଅଗ୍ନିଶମ ସେବା ନିର୍ଦ୍ଦେଶାଳୟ ଅଧୀନରେ କାର‌୍ୟ୍ୟରତ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଫିଲଟର ସେକ୍ସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର ଓ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର, ହେଲପର ଫାୟାରମ୍ୟାନ ଏଣିକି ବାର୍ଷିକ ୫୭୦୦ଟଙ୍କା ଭତ୍ତା ୟୁନିଫର୍ମ ବାବଦରେ ପାଇବେ ।ସେହିପରି ଅଗ୍ରଣୀ ଫାୟାରମ୍ୟାନ୍ , ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକଙ୍କୁ ବାର୍ଷିକ ୫୮୦୦ଟଙ୍କା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବାର୍ଷିକ ୨ହଜାର ଟଙ୍କା ୟୁନିଫର୍ମ ଭତ୍ତା ମିଳିବ । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଭତ୍ତା ନିମନ୍ତେ ବଜେଟରେ ୨.୦୦୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତାବ ରହିଛି । ଏହି ଭତ୍ତା ପ୍ରତିବର୍ଷ ଜୁଲାଇ ମାସରେ ମଞ୍ଜୁର କରାଯିବ । ଯେଉଁ କର୍ମଚାରୀମାନଙ୍କର ଜୁଲାଇ ମାସ ସୁଦ୍ଧା ଅବସର ନେବାକୁ ଆଉ ୬ମାସ ବାକି ଥିବ ସେମାନେ ଏହି ଭତ୍ତା ସମ୍ପୃକ୍ତ ବର୍ଷ ପାଇଁ ପାଇବେ ନାହିଁ । ଏହି ୟୁନିଫର୍ମରେ ସମାନତା ପାଇଁ ଅଗ୍ନିଶମ ନିର୍ଦ୍ଦେଶାଳୟ ସମସ୍ତ ଅଫିସର ଓ କର୍ମଚାରୀଙ୍କ ପାଇଁ ନିର୍ଦ୍ଧାରିତ ବିସ୍ତୃତ ଡ୍ରେସ କୋଡ୍ ଜାରି କରିବ । ଏହି ୟୁନିଫର୍ମ ଭତ୍ତାକୁ କର୍ମଚାରୀମାନେ କେବଳ ଏହି ୟୁନିଫର୍ମ ନିମନ୍ତେ ଉପଯୋଗ କରିବେ ବୋଲି ଏକ ଲିଖିତ ରାଜିନାମା ଦେବେ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଧରିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

5 × four =