‘ମୋ ସ୍କୁଲ୍ ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ତାରିଖରେ ଏହାର ୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ । ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ‘ମୋ ସ୍କୁଲ୍ ଅଭିଯାନ’ର ୩୬ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି ଏସ୍‌.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଚଳିତବର୍ଷଠାରୁ ସର୍ଭିସ୍ ଭଲ୍ୟୁଣ୍ଟିୟରିଂକୁ ସର୍ବାଧିକ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ନିଆଯାଇଛି । ସେବା ପ୍ରଦାନ ମାଧ୍ୟମରେ ‘ମୋ ସ୍କୁଲ୍‌’ ସହ ଯେପରି ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯିବ । ନିଜର ଦକ୍ଷତା, ଜ୍ଞାନକୌଶଳ ଓ ଅଭିଜ୍ଞତା ଅନୁଯାୟୀ ସେମାନେ ଭବିଷ୍ୟତ ପିଢ଼ିଙ୍କୁ ମାର୍ଗଦର୍ଶନ କରିବେ ।

ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବେ ଓ ଭବିଷ୍ୟତ ପାଇଁ ଉଚିତ୍ ଦିଗ୍‌ଦର୍ଶନ ଦେବେ । ‘ମୋ ସ୍କୁଲ୍‌’ ତତ୍ତ୍ୱାବଧାନରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଏବଂ ‘ମୋ ସ୍କୁଲ୍‌’ ଜିଲ୍ଲାସ୍ତରୀୟ କମିଟି ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେହିଭଳି ୫ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ରେ ‘ମୋ ସ୍କୁଲ୍‌’ ଅଂଶଗ୍ରହଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବ । ‘ମିଟ୍ ଦ ପର୍ସନାଲିଟି’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନଙ୍କ ସହ ଭାବର ଆଦାନପ୍ରଦାନ କରିବାକୁ ସୁଯୋଗ ଦିଆଯିବ । ‘ମୋ ସ୍କୁଲ୍‌’ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୯ଟି ଜିଲ୍ଲାର ମୋଟ ୭୬୯ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୨ ମାସ ମଧ୍ୟରେ ୨୦,୩୭୦ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୧୧ କୋଟି ୪୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍‌ଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୨୪୮ କୋଟି ୨୫ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ôଥକ ସହାୟତାକୁ ମିଶାଇ ମୋଟ ୭୬୯ କୋଟି ୭୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି, ଯାହାକି ୩୪୬୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ବିନିଯୋଗ ହେବ ।

ବାଲେଶ୍ୱରରେ ସର୍ବାଧିକ ୫ କୋଟି ୪୮ ଲକ୍ଷ, କଟକରେ ୬୭ ଲକ୍ଷ, ଭଦ୍ରକରେ ୩୯ ଲକ୍ଷ ୭୯ ହଜାର, ମୟୂରଭଞ୍ଜରେ ୩୩ ଲକ୍ଷ ୩୦ ହଜାର ଏବଂ କେନ୍ଦ୍ରାପଡ଼ାରେ ୨୪ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୫ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲ୍‌ଗୁଡ଼ିକୁ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ଉପଲବ୍ଧ ଭିତ୍ତିଭୂମିର ଉପଯୁକ୍ତ ବ୍ୟବହାର ନିମନ୍ତେ ୯୦ ଦିନିଆ ‘ଇନ୍‌ଫ୍ରାଷ୍ଟ୍ରକଚର ଷ୍ଟାବିଲାଇଜେଶନ ପ୍ରୋଗ୍ରାମ’ ଆରମ୍ଭ ହୋଇଛି । ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି କରାଯାଇଥିବା ଅତ୍ୟାଧୁନିକ ସୁବିଧାସୁଯୋଗ ଯେପରି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିବ ସେ ନେଇ ନଭେମ୍ବର ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ସ୍କୁଲ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ୩ୟ ପର୍ଯ୍ୟାୟ ହାଇସ୍କୁଲ୍ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସ୍କୁଲ୍‌ଗୁଡ଼ିକରେ ବେସ୍‌ଲାଇନ୍ ସର୍ଭେ କରାଯିବା ସହ ପ୍ରଧାନଶିକ୍ଷକମାନଙ୍କ ସହ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ରୂପାନ୍ତରିତ ସ୍କୁଲ୍‌ଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ହସ୍ତାନ୍ତର କରାଯିବ । ଏଥିଲାଗି ଏସ୍‌ଏଚ୍‌ଜିଗୁଡ଼ିକୁ ସେବା ପ୍ରଦାନକାରୀ ଭାବରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବ ‘ମୋ ସ୍କୁଲ୍‌’ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପର୍ଯ୍ୟାୟକ୍ରମେ ଦାୟିତ୍ୱରେ ରହୁଥିବା ସମସ୍ତ ଏସ୍‌ଏଚ୍‌ଜି ଏବଂ ଗୋଷ୍ଠୀ ସଦସ୍ୟାମାନଙ୍କୁ ଏନେଇ ପ୍ରଶିକ୍ଷିତ କରିବାକୁ କୁହାଯାଇଛି ।

‘ମୋ ସ୍କୁଲ୍‌’ ମାଧ୍ୟମରେ ରାଜ୍ୟର ୩୦୦ ହାଇସ୍କୁଲ୍‌ରେ କାର୍ଯ୍ୟକାରୀ ହେଉଥିବା ‘ଆସ୍ପିରେଶନାଲ ପ୍ରୋଗ୍ରାମ’ ଅଧୀନରେ କୋଡିଂ, ଏକବିଂଶ ଶତାବ୍ଦୀ ଜ୍ଞାନକୌଶଳ, ପ୍ରକଳ୍ପ ସମ୍ବନ୍ଧୀୟ ଶିକ୍ଷା ଏବଂ ସ୍କୁଲ୍ ଏକ୍ସଲେନ୍ସ ପ୍ରୋଗ୍ରାମକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମାଧ୍ୟମରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ôଥକ ଉପଦେଷ୍ଟା, ନିର୍ଦ୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ ଆଣ୍ଡଏସ୍‌ସିଇଆରଟି ଏବଂ ମୋ ସ୍କୁଲ୍ ଅଭିଯାନ ମୁଖ୍ୟ ପରିଚାଳନା ଅଧିକାରୀ, ମୋ ସ୍କୁଲ୍ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 + 17 =