ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମସି: ମୁଖ୍ୟମନ୍ତ୍ରୀ

ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ ଓଏମସି । ଏହା ସହ ଓଡ଼ିଶା ଖଣି ନିଗମ ଅନ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେପଟେ ଲୋକସଭା ଭବନରେ ଓଏମସିର ୬୭ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏପରି କହିଥିବାର ଦେଖିବାକୁ ମିଳିଛି । ତେବେ ଓଏମସି ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବାରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିଛି । ଆଗାମୀ ଦିନରେ ଏହା ନୂତନ ଶିଖରରେ ପହଞ୍ଚିବା ସହ ଏକ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ ହେବ । କରୋନା ମହାମାରୀ ବେଳେ ଓଏମସିର ସହଯୋଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଅବସରରେ ଓଏମସି କୋଇଡାଠାରେ ସ୍କିଲ ଏକାଡେମୀ ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହିତ ଏବଂ ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଖଣି ନିଗମ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ୨୦୮ କୋଟି ଟଙ୍କା ବ୍ୟୟ କରିବ । ଏହି ଅନୁଷ୍ଠାନଗୁଡ଼ିକ ପରିଚାଳନା କରିବା ପାଇଁ ନିଗମ ପକ୍ଷରୁ ବାର୍ଷିକ ୩୦ କୋଟି ଟଙ୍କା ବ୍ୟୟ କରାଯିବ । ଓଏମସିର ଏହି ପଦକ୍ଷେପ ଶିକ୍ଷାର ବିକାଶ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଂଶପାଣି, ଉଞ୍ଚାବାଲି ଏବଂ ଖଣ୍ଡବନ୍ଧ ଲୁହାପଥର ଖଣି ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏଥିସହ ୨ଟି ଆଇଟି ମଡ୍ୟୁଲ କମ୍ପ୍ଲଆନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ଲିଟିଗେଶନ ମ୍ୟାନେଜମେଣ୍ଟ ସିଷ୍ଟମର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହା ଛଡ଼ା ମୁଖ୍ୟମନ୍ତ୍ରୀ ୩୯ ଜଣ କନିଷ୍ଠ ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନଙ୍କୁ ମଧ୍ୟ ନିଯୁକ୍ତି ପତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇସ୍ପାତ ଓ ଖଣି ମନ୍ତ୍ରୀ ଫ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଏମସିର ବିକାଶ ହେଉଛି । ଓଏମସି ଦ୍ୱାରା ହେଉଥିବା ଖଣି ଆଖପାଖ ଅଞ୍ଚଳର ବିକାଶ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓଏମସି ପକ୍ଷରୁ ଏହାର ୬୭ ତମ ପ୍ରତିଷ୍ଠା ଦିବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନେକ ଶିକ୍ଷାଭିତ୍ତିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 − 8 =