ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଲୋକାର୍ପିତ ହେଲା ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ । ଶଙ୍ଖ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ନବୀନ । ପ୍ରତ୍ୟେକ ଜିଲ୍ଲାରୁ ଦଳର ଛାମୁଆ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।

ଶଙ୍ଖ ଭବନର ଉଦଘାଟନ କରିବା ସହ ନବୀନ କହିଛନ୍ତି, ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି । ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀ ମାନଙ୍କ ଅବଦାନ ରହିଛି । ୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ନୂଆ ଆରମ୍ଭ ହୋଇଥିଲା । ବିଜୁ ଆଦର୍ଶ ଓ ସ୍ୱାଭିମାନର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା । ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି । ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ବିଜୟର ଶଙ୍ଖ ବାଜି ଚାଲିଛି । ଏହି ଶଙ୍ଖ ଭବନ ହେବ ଓଡ଼ିଶାବାସୀଙ୍କ ପ୍ରିୟ ଭବନ । ଓଡ଼ିଶାର ଅତୀତ ଓ ଭବିଷ୍ୟତକୁ ଯୋଡିବ ଏହି ଶଙ୍ଖ ଭବନ । ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ ।ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ,ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ ଶଙ୍ଖ ଭବନ । ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

୩ ମହଲା ବିଶିଷ୍ଟ ବିଜେଡିର ନବ ନିର୍ମିତ କାର୍ଯ୍ୟାଳୟରେ ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ସେହିଭଳି ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପାଇଁ କାର୍ଯ୍ୟାଳୟ ଥିବା ବେଳେ ଏକ ବଡ ଅଡିଟୋରିୟମ ରହିଛି । ସେହିଭଳି ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି । ଗତ ୨୦୨୧ ରଥଯାତ୍ରା ବେଳେ ଶଙ୍ଖ ଭବନ ପାଇଁ ଶୁଭ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

13 − ten =