ପୁଅ ନାଁରେ କଳଙ୍କ

ରାୟଗଡା—ଜନ୍ମ ଦେଇଥିବା ମା’କୁ ରୋଜଗାରୀଆ ପୁଅ କିପରି ହତାଦର କରି ଭିକାରୁଣୀ ଭଳି ଦୁଆର ମୁହଁରୁ ଫେରାଇ ଦିଅନ୍ତି ତାର ଏକ ନିଛକ ଚିତ୍ର ଦେଖିବାକୁ ମିଳିଛି । ଦୁନିଆର ଆଲୋକ ଦେଖାଇଥିବା ମା’ ଯେ ଦିନେ ନିଜ ରକ୍ତର ପୁଅ ଠାରୁ ଏଭଳି ଅବହେଳାର ଶିକାର ହେବ ତାହା ନଦେଖିଲେ ବା ନଶୁଣିଲେ କେହି ବିଶ୍ୱାସ କରିବେ ନାହିଁ ।ପାଠ ପଢାଇ ମଣିଷ କରିଥିବା ପୁଅ ପାଖକୁ ଟିକେ ଆଶ୍ରା ପାଇଁ ଦୌଡି ଆସିଥିବା ମା’ କୁ ଦେଖି ପୁଅ କବାଟ କିଳି ଦେବା ଓ ମା’ କାନ୍ଦିକାନ୍ଦି ନିଜ ଦୁଃଖ ବଖାଣିବା ଏକ ହୃଦୟ ବିଦାରକ ଦୃଶ୍ୟ ସୃଷ୍ଟି କରିଥିଲା ।
ବୟଷ୍କ ମହିଳା ଜଣକ କହିବା ମୁତାବକ ପେଟ କାଟି ଲାଳନ ପାଳନ କରି ଦୁଇ ପୁଅକୁ ବଡ଼ କରିଥିଲି । ଆଶା ଥିଲା ବଡ଼ ମଣିଷ ହୋଇ ବୁଢ଼ା କାଳରେ ମୋ ଆସରା ପାଲଟିବେ । କିନ୍ତୁ ମୋ ଆଶା ଆଶାରେ ରହିଗଲା ବୋଲି କହି ବାହୁନି ବାହୁନି କାନ୍ଦି ପକାଇଲେ ମହିଳା । ରାୟଗଡ଼ା ଜିଲ୍ଲାର ଗୁଡ଼ିଆବନ୍ଧ ଗାଁର କ୍ରୀଷ୍ଣାବେଣୀ ସ୍ୱାମୀଙ୍କ ଦେହାନ୍ତ ପରେ ନିଜ ଗାଁରେ ରହି ଆସୁଥିଲେ । ତାଙ୍କ ବଡ଼ ପୁଅ ଏସ.ତାବିଟେୟା ରାୟଗଡ଼ା ସହର ଇନ୍ଦ୍ରାନଗର ଅଞ୍ଚଳରେ ରହୁଛନ୍ତି । କ୍ରୀଷ୍ଣାବେଣୀଙ୍କ ସାନ ପୁଅ କହିବା ମୁତାବକ ଗୋଟିଏ ହେଟେଲରେ କାମ କରି ମାତ୍ର ପାଞ୍ଚ ହଜାର ଟଙ୍କାରେ ନିଜର ୫ ପ୍ରାଣୀ ପରିବାରକୁ ଚଳାଇ ଆସୁଥିଲେ । କିଛି ମାସ ପୂର୍ବେ ତାଙ୍କ ସାନ ପୁଅ ମା’ର ବୃଦ୍ଧାବସ୍ଥା ଦେଖି ଗାଁରୁ ଆଣି ସହରରେ ନିଜ ନିକଟରେ ରଖିଥିଲେ । ପରେ ତାଙ୍କ ବଡ଼ ପୁଅ ନିକଟକୁ ଯିବା ପାଇଁ ଜିଦ୍ କରି ଅଟୋରେ ବସି ବଡ଼ ପୁଅ ଘରେ ପହଁଚିଥିଲେ ମା’ । ସାନ ପୁଅ ସାଥୀରେ ଥିଲେ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ଅପଡ଼ ଯୋଗୁଁ ବଡ଼ ଭାଇ ଘରଠି ଛାଡ଼ି ଦେଇ ଚାଲି ଆସିଥିଲେ । ତେବେ ବଡ଼ ପୁଅ ଘର ମୁଖ୍ୟ ଫାଟକକୁ ବାରମ୍ବାର ବାଡେଇଥିଲେ । କିଛି ସମୟପରେ ବଡ଼ ପୁଅ ଆସି କବାଟ ଖୋଲିବା ବଦଳରେ ମା’କୁ ଦେଖି ପୁଣି କବାଟ ବନ୍ଦ କରି ଚାଲିଗଲା । ଏହାପରେ ବୃଦ୍ଧା ମା’ ଜଣକ ଡାକି ଡାକି ଖରାରେ ଥକି ପଡ଼ି କବାଟ ଆଗରେ ଶୋଇପଡିଥିଲେ । ପରେ ସ୍ଥାନୀୟ ବାସିନ୍ଦା ପୁଲିସକୁ ସୂଚନା ଦେବାପରେ ବୃଦ୍ଧା ଜଣକ ଉଦ୍ଧାର ହୋଇଥିଲେ । ସୂଚନା ଅନୁସାରେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତି ଭାଗ ହେବା ସହ ମା’ର ଲାଳନ ପାଳନ ନେଇ ଦୁଇ ଜଣଙ୍କ ମଧ୍ୟରେ ଭାଗବଣ୍ଟା ହୋଇଛି । ଏପରିକି ଉଭୟ ପୁଅ ୬ ମାସ ଲେଖାଏଁ ମା’କୁ ନିଜ ପାଖରେ ରଖିବାକୁ କାଗଜ ପତ୍ରରେ ଚୁକ୍ତିନାମା କରାଯାଇଥିଲା । ହେଲେ ମା’ର ବଡ଼ ପୁଅ ପାଖରେ ରହିବାକୁ ଇଚ୍ଛା ହେଲା ପରେ ମଧ୍ୟ ବଡ଼ ପୁଅ ତାକୁ ଦେଖି କବାଟ କିଳିଦେଇ ଚାଲିଗଲା । ପରିବାରରେ ବୃଦ୍ଧ ପିତାମାତାଙ୍କ ପ୍ରତି ଅବହେଳାକୁ ନେଇ ବିଭିନ୍ନ ଆଇନ ରହିଛି କିନ୍ତୁ ସମସ୍ୟାର ସମାଧାନରେ ସୁଧାର ଆସିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

20 + three =