ଦିନ ୧୧ ଟା ରୁ ୩ ଟା ଗଡିବନି ବସ୍

ହିଟଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା । ଦିନ ୧୧ଟାରୁ ୩ଟା ଯାଏ ଗଡ଼ିବନି ବସ୍ । ବସରେ ରହିବ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ । ବସଷ୍ଟପରେ ରହିବ ବିଶ୍ରାମଗାର, ଖୋଲିବ ଜଳଛତ୍ର । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ । ପରିବହନ ବିଭାଗ କରିବ ଏନଫୋର୍ସମେଣ୍ଟ । ଜିଲ୍ଲାସ୍ତରୀୟ କଣ୍ଟ୍ରେଲ ରୁମ୍ ଖୋଲିବ ।
ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପରେ ବଢ଼ିବ ତାତି । ଗରମରେ ଆଉଟୁ ପାଉଟୁ ହେବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ପାରା ଡେଇଁବ ୪୦ ଉପରକୁ । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢ଼ିବ ତାପମାତ୍ରା । ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ତାରିଖରେ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୭ ତାରିଖ ପାଇଁ ୬ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୁତ ହେବ । ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।
ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ବେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଗତବର୍ଷ ମାର୍ଚ୍ ମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଚଳିତବର୍ଷ ପଶ୍ଚିମା ଝଡ ପାଇଁ ସ୍ଥିତି ବଦଳିଛି ।

Share

Leave a Reply

Your email address will not be published. Required fields are marked *

2 × two =