ତାତିରୁ ମିଳିବ ଆଶ୍ୱସ୍ତି: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି

ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ତା ସାଙ୍ଗକୁ ଗୁଲିମୁଲି । ତେବେ ଆଗକୁ ମଧ୍ୟ ଏହିଭଳି ଗରମ ଲାଗି ରହିବ । ଆଗାମୀ ଦୁଇ ଦିନ ଗ୍ରୀଷ୍ମ ଲହରୀ ବହିବ । ମଙ୍ଗଳବାର ଓ ବୁଧବାର ଅସମ୍ଭାଳ ତାତି ହେବ । ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ତାତି ଅନୁଭୂତ ହେବ । ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି ।

ସେପଟେ ତାମିଲନାଡୁ ପାଖରେ ମୌସୁମୀ ଅଟକି ରହିଛି । ଏହା ସୁପ୍ତ ହୋଇରହିଛି । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୌସୁମୀ ସକ୍ରିୟ ହେବାର ଆଶା ଦେଖାଦେଇଛି ।

ସୋମବାର ୧୩ ଜିଲ୍ଲାର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା । ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ ହୋଇଥିଲା ।
ମଙ୍ଗଳବାର ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ତାତି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅସୁସ୍ଥ ଓ ବୃଦ୍ଧ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବୁଧବାର ମଧ୍ୟ ଗୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏହି ୪ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

୭ ଓ ୮ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାଜ୍ୟରେ ମୌସୁମୀ ପହଞ୍ଚିବାକୁ ଆହୁରି ବିଳମ୍ବ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × two =