ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା; ଆଜି ବସିବ ବୈଠକ

ଆଜି ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ବସିବ । ଦିନ ସାଢେ ୧୦ ଟା ସମୟରେ ଲୋକସଭା ଭବନରେ ବସିବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ପୂର୍ବରୁ କେବଳ ଅକ୍ଟୋବରରୁ ନଭେମ୍ବର ଭିତରେ ବାତ୍ୟା ଆସୁଥିଲା । ହେଲେ ଗତ କିଛି ବର୍ଷରୁ ଫନୀ, ୟଶ ଓ ଅମ୍ପାନ ପରି ବାତ୍ୟା ମେ’ ମାସ ଖରା ଦିନେ ଆସି ରାଜ୍ୟରେ ତାଣ୍ଡବ ସୃଷ୍ଟିକରିଥିଲେ । ଏହାକୁ ନେଇ ପ୍ରତି ବର୍ଷ ଖରା ଦିନେ ବି ବାତ୍ୟା ମୁକାବିଲା ପାଇଁ ବୈଠକ ବସୁଛି । ଏନେଇ ସମସ୍ତ ତଥ୍ୟ ଓ ଦସ୍ତାବିଜ ନେଇ ବୈଠକରେ ଯୋଗ ଦେବାକୁ ସବୁ ସରକାରୀ ବିଭାଗକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବାତ୍ୟା ସତର୍କତା, ଓଡ୍ରାଫ, ଏନଡିଆରଏଫ୍‌, ଅଗ୍ନିଶମ ବିଭାଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେବ ।

ସେହିପରି ବିକଳ୍ପ ଟେଲିକମ୍ ବ୍ୟବସ୍ଥା, ପାଣିପାଗ ଆକଳନ, ପ୍ରାଣୀ ସମ୍ପଦ ପାଇଁ ଖାଦ୍ୟ, ବହୁମୁଖି ଆଶ୍ରୟସ୍ଥଳୀ ଉପରେ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ରାସ୍ତା ମରାମତି, ବିଦ୍ୟୁତ ପୁନଃସଂଯୋଗୀକରଣ, ରାସ୍ତା ସଫଳ, ଚାଷ ସୁରକ୍ଷା ପାଇଁ କଣ୍ଟିିଜେନସି ପ୍ଲାନ ସମେତ ବାତ୍ୟା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବି ବୈଠକରେ ଖସଡ଼ା ପ୍ରସ୍ତୁତ ହେବ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟରେ ଜିରୋ କାଜୁଆଲଟିକୁ ସବୁବେଳେ ଗୁରୁତ୍ୱ ଦେଇଛନ୍ତି । ‘ସବୁ ଜୀବନ ମୂଲ୍ୟବାନ୍‌’- ଏହି ଏଜେଣ୍ଡାରେ କାମ କରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଚଳିତବର୍ଷ ପ୍ରାକ୍ ପଦକ୍ଷେପ କ’ଣ ରହିିବ ତାହା ବୈଠକରୁ ସ୍ପଷ୍ଟ ହେବ ।

Share

Leave a Reply

Your email address will not be published. Required fields are marked *

two × four =