ଖୁବ ଶୀଘ୍ର ଓଡିଶା ହେବ ଟ୍ରିଲିୟନ ଡଲାର ଅର୍ଥନୀତି : ମୁଖ୍ୟମନ୍ତ୍ରୀ

ବିକାଶ ଆମର ଲକ୍ଷ୍ୟ । ଶିଳ୍ପାୟନକୁ ଆମର ସର୍ବାଧିକ ଫୋକସ । ଖୁବଶୀଘ୍ର ଓଡ଼ିଶା ଟ୍ରିଲିୟନ ଡଲାର ଅର୍ଥନୀତି ହେବ । ଓଡ଼ିଶା ହିଁ ହେବ ଦକ୍ଷିଣ ପୂର୍ବ ଏସିଆ ଓ ପୂର୍ବ ଭାରତ ବିକାଶର ମୁଖଶାଳା । ଏପରି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଓଡ଼ିଶା ଗଢିବାକୁ ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ଖଟାଇବା ପାଇଁ ଆହ୍ୱାନ ଦେଇଛନ୍ତି । ବିକଶିତ ଓଡ଼ିଶାର ବନ୍ଧୁ ସାଜିବାକୁ ସେ ଶିଳ୍ପପତିଙ୍କୁ କହିଛନ୍ତି । ମେକ ଇନ୍ ଓଡ଼ିଶା କନକ୍ଲେଭର ଦେଶ ଓ ବିଦେଶର ଶିଳ୍ପପତିମାନଙ୍କୁ ଏହି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣକୁ ଶିଳ୍ପପତିମାନଙ୍କୁ ସ୍ୱାଗତ କରି ନବୀନ କହିଛନ୍ତି,ଓଡ଼ିଶା ଏବେ ନୂଆ ସମ୍ଭାବନାର ରାଜ୍ୟ ପାଲଟିଛି । ବୃହତ ନିବେଶ ପାଇଁ ଓଡ଼ିଶା ଏବେ ପ୍ରଥମ ପସନ୍ଦ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ରୂପାନ୍ତରଣ ଆଣିଛୁ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମୃଦ୍ଧ ଓଡ଼ିଶା-ବିକଶିତ ଓଡ଼ିଶା ସ୍ୱପ୍ନକୁ ସଫଳ କରିବା ପାଇଁ ରାଜ୍ୟବାସୀ ତାଙ୍କୁ ଭରସା କରିଛନ୍ତି । କ୍ରମାଗତ ଭାବେ ବିଜେଡିକୁ ମିଳିଛି ଶାସନ ଡୋରୀ । ଏକ ସ୍ଥିର ସରକାର ହୋଉଛି ବିକାଶର ସବୁଠାରୁ ବଡ଼ ଉପାଦାନ । ନବୀନ ଆହୁରି କହିଲେ, ଆମ ସରକାରର କେନ୍ଦ୍ରବିନ୍ଦୁରେ ସବୁବେଳେ ରହିଛନ୍ତି ସାଧାରଣ ଲୋକ । ଆମର ଲୋକଙ୍କ ଜୀବନ ଧାରଣମାନରେ ଉନ୍ନତି ପାଇଁ ଏବଂ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିହବାର ସୁଯୋଗ ଦେବାକୁ ମୋ ସରକାର ଓ ୫-ଟି ମଡେଲ ଆପଣାଯାଇଛି, ଯାହା କି ବିଶ୍ୱସ୍ତରରେ ନୂଆ ବେଞ୍ଚମାର୍କ୍ । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କର ସଶକ୍ତିକରଣ ହୋଇଛି । ରାଜ୍ୟରୁ ୫୦ ପ୍ରତିଶତ ଦାରିଦ୍ର୍ୟ ହଟାଇବା ସହ ଚାଷୀଙ୍କ ଆୟକୁ ଦୁଇଗୁଣା କରାଯାଇଛି ।

ହାତଗଣତି ରାଜସ୍ୱ ବଳକା ରାଜ୍ୟ ମଧ୍ୟରେ ଓଡ଼ିଶା ଆଗରେ । ବିକାଶର ନୂଆ ଧାରାକୁ ଆପଣାଇବାକୁ ଆମେ ଶିଳ୍ପକୁ ସର୍ବାଗ୍ରେ ରଖିଛୁ । ଆମ ରାଜ୍ୟରେ ନିବେଶକାରୀଙ୍କୁ ସବୁ ପ୍ରକାର ସହାୟତା ଯୋଗାଇବୁ ସରକାର ସଙ୍କଳ୍ପବଦ୍ଧ । ଏଥିପାଇଁ ଆମେ ନୂଆ ଶିଳ୍ପନୀତି ଆଣିଛୁ ବୋଲି ନବୀନ କହିଛନ୍ତି । ଏଥିରେ ସହଯୋଗ ଓ ପ୍ରୋତ୍ସାହନ ଦେଶରେ ସବୁଠୁ ଆଗରେ । ପର୍ଯ୍ୟଟନ , ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଅକ୍ଷୟଶକ୍ତି କ୍ଷେତ୍ରରେ ମଧ୍ୟ ନିବେଶ ବଢାଇବାକୁ ଆମେ ଅନୁକୂଳ ନୀତି ଆଣିଛୁ । ଓଡ଼ିଶାରେ ପ୍ରାକୃତିକ ଖଣିଜ ପଦାର୍ଥର ଅଭାବ ନାହିଁ । ରେଳ ଲାଇନ, ବିମାନ ବନ୍ଦରରୁ ଆରମ୍ଭ କରି ବନ୍ଦର ଯାଏଁ ସବୁକୁଛି ସୁବିଧା ରହିଛି । ଦକ୍ଷ ମାନବ ସମ୍ଭଳ ଗଢି ତୋଳିବାକୁ ସ୍କିଲ୍ଜ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛୁ ।

ପୁଞ୍ଜିପତିଙ୍କୁ ସୁହାଇଲା ଭଳି ସମସ୍ତ ଅନୁକୂଳ ଶିଳ୍ପାୟନ ପରିବେଶ ଓଡ଼ିଶାରେ ଅଛି । ନିବେଶକମାନେ ବିନା ଦ୍ୱିଧାରେ ଓଡ଼ିଶା ଆସି ନିବେଶ କରନ୍ତୁ ଓ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାରୀ ହୁଅନ୍ତୁ ବୋଲି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଅପିଲକୁ ଦେଶର ବିଶିଷ୍ଟ ଶିଳ୍ପପତିମାନେ ବେଶ୍ ସମର୍ଥନ ମଧ୍ୟ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × four =