କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ମାମଲା,୪ ଦିନିଆ ରିମାଣ୍ଡରେ ବାବୁରାମ

ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି କ୍ଷେପଣାସ୍ତ୍ର ଘାଟିର କେଉଁ କେଉଁ ଗୋପନୀୟ ତଥ୍ୟ ଦେଇଛନ୍ତି ? ଗୁପ୍ତ ସ୍ଥାନରେ ରଖି ଜେରା ଚଳାଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ରାଓଲପିଣ୍ଡିର ସଂପୃକ୍ତ ଯୁବତୀଙ୍କ ସହ କେମିତି ଓ କେବେଠାରୁ ସମ୍ପର୍କରେ ଆସିଥିଲେ ? ସୋସିଆଲ୍‌ ମିଡିଆର କେଉଁ ସାଉଟରେ ପରିଚୟ ଓ ସମ୍ପର୍କ ହୋଇଥିଲା ? ସେହିପରି ବାବୁରାମଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ ଚାଲିଛି ।

ପାକିସ୍ତାନୀ ସୁନ୍ଦରୀ ଗୁପ୍ତ ତଥ୍ୟ ଦେବାକୁ କେତେ ଟଙ୍କା ନେଇଛନ୍ତି ? ବର୍ଷେ ଭିତରେ ତାଙ୍କ ଆକାଉଣ୍ଟକୁ ଆସିଛି କେତେ ଟଙ୍କା ? ପାକିସ୍ତାନର ରାଓଲପିଣ୍ଡିରୁ ତାଙ୍କ ନିକଟକୁ ଟଙ୍କା ଆସିଛି କି ନାହିଁ ? ଅଧିକ ଖୋଳତାଡ ଜାରି ରହିଛି । ବାବୁରାମଙ୍କର ଆକ୍ସିସ ଓ ଷ୍ଟେଟ ବ୍ୟାଙ୍କରେ ଅଛି ଦୁଇଟି ଆକାଉଣ୍ଟ । ବ୍ୟାଙ୍କରେ କେତେ ଟଙ୍କା ଅଛି ତଥ୍ୟ ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ତାଙ୍କର ଓ ପରିବାର ନାଁରେ ଥିବା ସମ୍ପତ୍ତି ତାଲିକା ପାଇଁ ଜଳେଶ୍ୱର ତହସିଲଦାରଙ୍କୁ କୁହାଯାଇଛି ।

ଏହାବ୍ୟତୀତ ବାବୁରାମଙ୍କର ଆର୍ଥିକ ସ୍ଥିତିକୁ ଯାଞ୍ଚ ପାଇଁ ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟକୁ ଅନୁରୋଧ କରାଯିବ ବୋଲି ବାଲେଶ୍ୱର ଏସପି କହିଛନ୍ତି । କ୍ଷେପଣାସ୍ତ୍ର ଘାଟିରୁ ପ୍ରତିରକ୍ଷା ସମ୍ପର୍କିତ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଥିବାରୁ ଜାତୀୟ ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିଛି । ସେଥିପାଇଁ ଚାନ୍ଦିପୁର ଆସି ଖୋଳତାଡ କରିପାରେ ଏନଆଇଏ ଟିମ୍‌ । ସେହପିରି ସମ୍ବେଦନଶୀଳ ମାମଲା ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଦିଆଯାଇପାରେ ତଦନ୍ତ ଦାୟିତ୍ୱ ।

Share

Leave a Reply

Your email address will not be published. Required fields are marked *

thirteen + five =