ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ (ଓସା)ର ୫୩ତମ ସମ୍ମିଳନୀ

ଭୁବନେଶ୍ୱର/କାଲିଫର୍ଣ୍ଣିଆ: ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ଦିଗଦର୍ଶନରେ ଆଗେଇ ଚାଲିଥିବା ରାଜ୍ୟ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ସେମାନଙ୍କର ବୌଦ୍ଧିକ ଯୋଗଦାନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ। ତେଣୁ, ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସ (ଓସା)ର ସଦସ୍ୟମାନଙ୍କୁ ଏହି ମହତ୍ତର ଅଭିଯାନରେ ସାମିଲ ହେବା ପାଇଁ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଆହ୍ଵାନ ଦେଇଛନ୍ତି।
ମଙ୍ଗଳବାର ଦିନ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ (ଓସା) ପକ୍ଷରୁ ଏହାର ୫୩ତମ ସମ୍ମିଳନୀ ଆୟୋଜିତ ହୋଇଛି। ଆମେରିକାର କାଲିଫର୍ଣ୍ଣିଆ, ସାକ୍ରାମେଣ୍ଟୋଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚଶିକ୍ଷାର ଧାରାକୁ ଆଉ ଏକ ଉଚ୍ଚତାକୁ ନେବା ପ୍ରସଙ୍ଗରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଏଥିରେ ଯୋଗଦେଇ ଓସାର ସଦସ୍ୟମାନେ କିଭଳି ମୋ କଲେଜ ଅଭିଯାନର ଏକ ଅଂଶ ହୋଇପାରିବେ, ସେ ବିଷୟରେ କହିଥିଲେ।
“ମୋ କଲେଜ ଏକ ଏଭଳି ପ୍ଲାଟଫର୍ମ, ଯାହା ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିପାରୁଛି। ଏହାଦ୍ୱାରା ପୁରାତନ ଛାତ୍ରଛାତ୍ରୀ କଲେଜ ଦିନର ସ୍ମୃତିକୁ ଫେରି ପାଇବା ସହିତ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ କିଛି ଅବଦାନ ଦେଇ ଏହାର ସାମଗ୍ରିକ ବିକାଶର ସାଥୀ ହୋଇପାରୁଛନ୍ତି। ତେବେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ। ସେମାନେ ଇଚ୍ଛାକଲେ ନିଜ ଶିକ୍ଷାନୁଷ୍ଠାନକୁ ଆସି ବୌଦ୍ଧିକ କିମ୍ବା ଅନ୍ୟ ଯେକୌଣସି ଉପାୟରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇପାରିବେ। ଏହା ସେମାନଙ୍କୁ ଏକ ଭିନ୍ନ ଆନନ୍ଦ ଓ ଆତ୍ମସନ୍ତୋଷ ଆଣିଦେବ’’, ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ (ଓସା)ର ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ଶ୍ରୀ ଆକାଶ ଦାସନାୟକ।
ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ (ଓସା) ‘ମୋ କଲେଜ’ ଅଭିଯାନ ଅଧୀନରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ସହ ଯୋଡ଼ିହୋଇ ଛାତ୍ରଛାତ୍ରୀମାନଙ୍କ ସହ ଅଭିଜ୍ଞତା ବିନିମୟ କରିପାରିବ। ଗବେଷଣା ଦିଗରେ ସେମାନଙ୍କୁ ବାଟ ଦେଖାଇପାରିବ। ଫଳରେ ଏହା ଆମ ରାଜ୍ୟର ଉଚ୍ଚଶିକ୍ଷାର ସ୍ତରକୁ ଆଉ ପାଦେ ଆଗକୁ ନେଇପାରିବ।
ସେହିପରି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ କହିଥିଲେ, ‘‘ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ଏବେ ଏକ ନୂଆ ଦିଗକୁ ଯାଉଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ କଲେଜ ସହ ଯୋଡ଼ି ଏହି ଧାରାକୁ ଆଉ ଏକ ସୋପାନକୁ ନେବାରେ ଏକ ଅଭିନବ ପ୍ଲାଟଫର୍ମ ସାଜିଛି ‘ମୋ କଲେଜ’ ଅଭିଯାନ। ତେଣୁ ଆମେରିକା ଓ ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନେ ଏହି ଅଭିଯାନ ସହିତ ଯୋଡ଼ି ହୁଅନ୍ତୁ।’’
ଆଗାମୀ ଦିନରେ ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଏହାର ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ‘ମୋ କଲେଜ’ ଅଭିଯାନ ଏବଂ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ (ଓସା) ମିଳିତ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଏବଂ ଭର୍ଚୁଆଲ ମୋଡରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାଶା, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ସମ୍ବଲପୁର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ମହାଦେଓ ଜୈସଓ୍ୱାଲ, ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ବେହେରା, ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ଡକ୍ଟର ଅଜୟ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ସେହିପରି ସମ୍ମିଳନୀର ଦ୍ୱିତୀୟ ପର୍ଯ୍ୟାୟରେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର (ୟୁସି, ଡେଭିସ୍‌) ପ୍ରଫେସର ପ୍ରଶାନ୍ତ ମହାପାତ୍ର, ନିୟୁ ଜର୍ସି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକନୋଲଜି (ଏନଜେଆଇଟି)ର ପ୍ରଫେସର ଦୁର୍ଗା ମିଶ୍ର, ଟଫ୍ଟସ୍ ୟୁନିଭର୍ସିଟିର ପ୍ରଫେସର ଅବନି ପାତ୍ର ଏବଂ ଗୁଗଲର ପ୍ରଣବ ଖଇତାନ୍‌ ସାମିଲ ହୋଇଥିଲେ। ଏଥିରେ ଓଡ଼ିଶାର ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିଭଳି ସୁଯୋଗ ରହିଛି, ସେ ବିଷୟରେ ଆଲୋଚନା ହୋଇଥିଲା। ଡକ୍ଟର ସୁକାନ୍ତ ମହାପାତ୍ର ଏରିକସନ ଏହାର ସଂଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସୋସାଇଟି ଅଫ୍‌ ଦ ଆମେରିକାସ (ଓସା)ର ସଦସ୍ୟମାନଙ୍କ ମଧ୍ୟରେ ଏନଜେ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିର ପ୍ରଫେସର ଦୁର୍ଗା ମିଶ୍ର, ଡକ୍ଟର ଅଜୟ ମହାନ୍ତି, ଆମେରିକାର ଏୟାରଫୋର୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଡକ୍ଟର ଅନିଲ ପଟ୍ଟନାୟକ, ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ଚିତ୍ତ ବରାଳ, ଟଫ୍ଟସ୍ ୟୁନିଭର୍ସିଟିର ପ୍ରଫେସର ଅବନୀ ପାତ୍ର, ଜନ୍ସ ହପକିନ୍ସ ୟୁନିଭର୍ସିଟିର ଡକ୍ଟର ମନୋଜ ମିଶ୍ର, ଲୋଓ୍ଵା ଷ୍ଟେଟ୍ ୟୁନିଭିର୍ସିଟିର ପ୍ରଫେସର ମନଜିତ ମିଶ୍ର, ଭିଷୟ ସିଲିକୋନିକ୍ସର ଡକ୍ଟର ଦେବ ନାରାୟଣ ପଟ୍ଟନାୟକ ଏବଂ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଡେଭିସର ପ୍ରଫେସର ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

sixteen + nineteen =