ଏକମାତ୍ର ଜିଲ୍ଲା ଯେଉଁଠି ବିଜୁଳି, ଲୁହା, କୋଇଲା ଉତ୍ପାଦନ ହେଉଛି

ଅନୁଗୁଳ () ଅନୁଗୁଳ ଜିଲ୍ଲାରେ ଯେତିକି ସମ୍ଭାବନା ଅଛି କେବଳ ଭାରତ ନୁହେଁ ବିଶ୍ବର ଅର୍ଥନୀତିରେ ଏହି ଜିଲ୍ଲା ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ବୋଲି ଅନୁଗୁଳ ଚାମ୍ବର ଅଫ କମର୍ସର ୪୮ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ଅଳ୍ପ କେଇ ଏକର ଜମି ଅଧିଗ୍ରହଣ ବିବାଦ ସିଙ୍ଗୁରକୁ ବିଶ୍ବ ମାନଚିତ୍ରରେ ବିତର୍କିତ ଅଂଚଳ କଲା । ମାତ୍ର କେବଳ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଶିଳ୍ପ ଓ ଖଣି ପାଇଁ ୫୦ ହଜାର ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଛି । ତାଙ୍କ ଜ୍ଞାତ ସାରରେ ଭାରତର କୌଣସି ବି ଜିଲ୍ଲାରେ ଏତେ ମାତ୍ରାରେ ଜମି ଅଧିଗ୍ରହଣ ହୋଇ ନାହିଁ । କୋଲ ଇଣ୍ଡିଆ, ନାଲକୋ, ଏନଟିପିସି, ଭୂଷଣ, ଜିନ୍ଦଲ ଓ ବିଭିନ୍ନ ଜଳସେଚନ ପ୍ରକଳ୍ପରେ ଏହି ଜମି ଅଧିଗ୍ରହଣ ହୋଇଛି । କେବଳ ଏବେ ଖୋଲା ଥିବା ଓ ବନ୍ଦ ପଡିଥିବା ଓପନ କାଷ୍ଟ ମାଇନ୍ସରେ ୩୦ ହଜାର ଏକର ଜମି ଅଧିଗ୍ରହଣ ହୋଇଛି ।

କେବଳ ଅନୁଗୁଳ ଜିଲ୍ଲାରେ ଆଜି ଦିନରେ ୧୦୦ ନିୟୁତ ଟନ କୋଇଲା ଖନନ ହୋଇଛି । ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ, ୧ ନିୟୁତ ଟନରୁ ଅଧିକ ଆଲୁମିନିୟମ ଓ ୧୦ ହଜାର ମେଗାବାଟରୁ ଅଧିକ ବିଜୁଳି ଉତ୍ପାଦନ ହୋଇଛି । ଏନଟିପିସି , ନାଲକୋ, ଏମସିଏଲ ଓ ତାଳଚେର ସାର କାରଖାନାର ପୁନରୁଦ୍ଧାର ମୋଟରେ ୫୦ ହଜାର କୋଟି ଟଙ୍କାର ପୁଂଜିନିବେଶ ଆଗାମୀ କିଛି ବର୍ଷ ମଧ୍ୟରେ ହେଉଛି । ଏହି ଶିଳ୍ପ ହେଲେ ଇଂଜିନିୟରିଂ କଲେଜ, ଆଇଟିଆଇ,ଡିପ୍ଲୋମା ଓ ମଜଦୂର କାମ ସ୍ଥାନୀୟ କଂଟ୍ରାକ୍ଟର, ଟ୍ରକ ହୋଟେଲ ଟ୍ୟାକ୍ସି, ଅଟୋ, ଛୋଟ ଛୋଟ ଉତ୍ପାଦନ କାମରେ ସ୍ଥାନୀୟ ଲୋକ ମାନଙ୍କର ଯାହା ଭାଗିଦାରୀ ରହୁଛି ।

ଅନୁଗୁଳ ବୋଧ ହୁଏ ଦେଶର ଗୋଟିଏ ଜିଲ୍ଲା ଯେଉଁଠି ବିଜୁଳି, ଲୁହା, ଆଲୁମିନିୟମ ଉତ୍ପାଦନ ସହ କୋଇଲାରୁ ଗ୍ୟାସ ଓ ଅନ୍ୟାନ୍ୟ ସ୍ବଚ୍ଛ ଉର୍ଜା ଉତ୍ପାଦନ ସହ ପେଟ୍ରୋକେମିକାଲ ଦୁନିଆର ସବୁ କଂଚା ମାଲ ଉପଲବ୍ଧ ହେବ । ଜିନ୍ଦଲର କୋଇଲାରୁ ଗ୍ୟାସ ପରେ ତାଳଚେର ସାର କାରଖାନାରୁ କୋଇଲାରୁ ଗ୍ୟାସ ଓ ଅନ୍ୟାନ୍ୟ ଉର୍ଜା ଉତ୍ପାଦନ ପାଇଁ ପ୍ରସ୍ତୁତି ଚାଲିଛି ଓ ତାଙ୍କର ଇଚ୍ଛା ଖୋଦ ପ୍ରଧାନମନ୍ତ୍ରୀ ଆସି ଏହି ପ୍ରକଳ୍ପର ଭୂମି ପୂଜା କରନ୍ତୁ ।

ଜିଲ୍ଲାର ଲୋକମାନଙ୍କୁ ଭାବିବାକୁ ପଡିବ ଏତିକିରେ ସୀମିତ ରହିବା ନା ଏହାର ଉପର ସ୍ତରକୁ ଯାଇ ନୂଆ କଥା ଚିନ୍ତା କରିବା । ନାଲକୋରୁ ବାହାରୁଥିବା ଆଲୁମିନିୟମରୁ ଅଟୋ ପାର୍ଟ ଓ ଏୟାର ବସର ଅଂଶ ଅନୁଗୁଳର ଲୋକ କାହିଁକି ତିଆରି କରି ପାରିବେ ନାହିଁ ।

ମାଲ୍ୟଗିରି ଓଡିଶାର ବଡ ପାହାଡ ଏହି ଜିଲ୍ଲାରେ ଅଛି । ସାତକୋଶିଆ ଗଣ୍ଡ, ଟିକରପଡା ଏହି ଜିଲ୍ଲାରେ । ଏ ଗୁଡିକୁ ଅନ୍ତରରାଷ୍ଟ୍ରୀୟ ସ୍ତରର ପର୍ଯ୍ୟଟନ କେନ୍ଦ୍ର କାହିଁକି କରା ଯାଇ ପାରିବ ନାହିଁ । ଜିଲ୍ଲାର କୃଷି ଉତ୍ପାଦକୁ ପ୍ରକ୍ରିୟାକରଣ କରି ମୂଲ୍ୟ ଯୁକ୍ତ କରି ଆଗକୁ କାହିଁକି ବଢା ଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଏଡିସିସି ନେତୃତ୍ବରେ ଉକ୍ରଳ ଚାମ୍ବର୍ସ ଅଫ କମର୍ସର ପୃଷ୍ଠପୋଷକତାରେ ଜିଲ୍ଲାରେ କାର୍ଯ୍ୟରତ ରାଷ୍ଟ୍ରାୟତ ଓ ବେସରକାରୀ ଶିଳ୍ପାନୁଷ୍ଠାନ ଓ ଏହା ସହ ଜଡିତ ବିଭିନ୍ନ ସଂସ୍ଥା ଓ ଏମାନଙ୍କ ଯୋଗାଯୋଗରେ ଥିବା ଦେଶର ନୂଆ ମଡେଲ ଓ ଷ୍ଟାର୍ଟ ଅପ ଚଲାଉଥିବା ବ୍ୟକ୍ତି ଓ ସଂସ୍ଥାକୁ ନେଇ ଆଗାମୀ କିଛି ମାସ ମଧ୍ୟରେ ଦୁଇ- ତିନି ଦିନର ଆଲୋଚନାଚକ୍ର ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅନୁଗୁଳର ପିଲାକୁ ଉଦ୍ୟମୀ କରିବା ପାଇଁ ପ୍ରଚେଷ୍ଟା କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine − 2 =