ଆସନ୍ତାକାଲି ଆଇଏଏସ୍‍ ପଦୋନ୍ନତି ନିଷ୍ପତ୍ତି

ଭୁବନେଶ୍ବର, 30/05 (ନିପ୍ର) : ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ୯ଟି ଆଇଏଏସ୍‍ ପଦବୀ ଲାଗି ଆସନ୍ତା କାଲି ନିଷ୍ପତ୍ତି ହେବ । କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‍ସି) ଏଥିପାଇଁ ନୂଆଦିଲ୍ଲୀ ଠାରେ ବୈଠକ ଡାକିଥିବା ବେଳେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେବେ ।

ରାଜ୍ୟରେ ଥିବା ଆଇଏଏସ୍‍ ପଦବୀ ମଧ୍ୟରୁ ୭୨ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହୋଇଥାଏ । ୨୦୧୭ ମସିହା ସକାଶେ ଖାଲି ପଡ଼ିଥିବା ୯ଟି ପଦବୀ ଲାଗି ନାମ ତାଲିକା ପଠାଇବାକୁ କୁହାଯାଇଥିଲା । ଗୋଟିଏ ପଦବୀ ଲାଗି ୩ ଜଣ ଓଏଏସ୍‍ ଅଫିସରଙ୍କ ନାମ ପଠାଇବାକୁ ପଡ଼ୁଥିବା ବେଳେ ୯ଟି ପଦବୀ ଲାଗି ୨୭ ଜଣଙ୍କ ନାମ ଚଳିତମାସରେ ପଠାଯାଇଥିଲା ।

ନିୟମ ଅନୁଯାୟୀ ଉପଜିଲ୍ଲାପାଳ ଓ ତଦୁର୍ଦ୍ଧ ପାହ୍ୟାରେ ଅତିକମ୍‍ରେ ୮ ବର୍ଷ କାମ କରିଥିବା ଓ ବରିଷ୍ଠତା ତାଲିକାର ଉପରେ ଥିବା ଓଏଏସ୍‍ ଅଫିସରମାନଙ୍କ ନାମ ୟୁପିଏସ୍‍ସିକୁ ଦିଆଯାଇଛି । ପଦୋନ୍ନତି ପାଇବାକୁ ଥିବା ଏହି ଅଫିସରମାନଙ୍କ ନାମ ତାଲିକା

ପ୍ରସ୍ତୁତ ସମୟରେ ସେମାନଙ୍କର ଗୁପ୍ତ ଚରିତ୍ର ପଞ୍ଜିକା (ସିସିଆର୍‍)କୁ ଅନୁଧ୍ୟାନ କରାଯିବା ସହିତ ସେମାନଙ୍କ ଉପରେ କୌଣସି ଦଣ୍ଡବିଧାନ, ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଭିଜିଲାନ୍ସ ଓ ଅନ୍ୟ ଫୌଜାଦାରୀ ମାମଲା ରହିଛି କି ନାହିଁ ତାହାକୁ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଥାନ୍ତି ।

ରାଜ୍ୟ ସରକାରଙ୍କ ତାଲିକା କେନ୍ଦ୍ରୀୟ ଆୟୋଗଙ୍କ ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ଚୟନ କମିଟି ଏଥିରୁ ୯ ଜଣଙ୍କ ନାମ ଚୂଡ଼ାନ୍ତ କରିବେ । ଏହି ତାଲିକା ଆୟୋଗକୁ ହସ୍ତାନ୍ତର କରାଯିବା ପରେ ତାହା ପୁନର୍ବାର ରାଜ୍ୟ ସରକାରଙ୍କ ନିକଟକୁ ଆସିବ ।

ଚୂଡ଼ାନ୍ତ ହୋଇଥିବା ନାମ ତାଲିକା ଉପରେ ରାଜ୍ୟ ସରକାର ସମ୍ମତି ପ୍ରକାଶ କରିବା ପରେ ତାହା ପୁଣିଥରେ ଆୟୋଗଙ୍କ ନିକଟକୁ ଯିବ ଏବଂ ଆୟୋଗ ତାହାକୁ କାର୍ମିକ ମନ୍ତ୍ରାଳୟକୁ ପଠାଇବେ । ସେଠାରୁ ପଦୋନ୍ନତି ପାଇଥିବା ଆଇଏଏସ୍‍ ଅଫିସରମାନଙ୍କ ନାମ ରାଜ୍ୟ ସରକାରଙ୍କ ନିକଟକୁ ଆସିବା ପରେ ବିଧିବଦ୍ଧ ଭାବେ ନାମ ତାଲିକା ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବ ।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ପାଇଁ ମୋଟ୍‍ ୨୩୭ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍‍ ପଦବୀ ଥିବା ବେଳେ ସେଥିରୁ ୧୬୫ଟି ପ୍ରତ୍ୟକ୍ଷ ନିଯୁକ୍ତି ଓ ୭୨ଟି ପଦୋନ୍ନତି ଭିତ୍ତିରେ ପୂରଣ କରାଯାଇଥାଏ । ଏବେ ଓଡ଼ିଶାରେ ୧୭୫ ଜଣ ଆଇଏଏସ୍‍ ଅଫିସର କାର୍ଯ୍ୟରତ ଅଛନ୍ତି । ଓଡ଼ିଶା କ୍ୟାଡର୍‍ ଆଇଏଏସଙ୍କ ମଧ୍ୟରୁ ୨୨ ଜଣ ଡେପୁଟେସନ୍‍ରେ ଯାଇଛନ୍ତି ଓ ୪୦ଟି ପଦବୀ ଖାଲି ପଡ଼ିଛି ।

Share

Leave a Reply

Your email address will not be published. Required fields are marked *

14 − eleven =