ଆଉ ମିଳିବନି ୫ ଟଙ୍କିଆ ମିଠା

କ୍ଷୀର ମୂଲ୍ୟ ବଢିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଆଉ ସପ୍ତାହକ ଭିତରେ ଛେନା ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ତେଣୁ ଏହାକୁ ଦୃଷ୍ଟିରେ ରଖି ମିଠା ବ୍ୟବସାୟୀ ମାନେ ମଧ୍ୟ ଦାମ୍‌ ବଢାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । କିଛି ଦିନ ଭିତରେ ମିଠା ବଜାରରେ ନୂଆ ମୂଲ୍ୟ ଧାର୍ଯ୍ୟ ହୋଇପାରେ । ତେଣୁ ମିଠାମୂଲ୍ୟ ଅତିକମ୍‌ରେ ୭ଟଙ୍କାରୁ ଆରମ୍ଭ ହେବ ବୋଲି ଜଣାପଡିଛି ।

କଟକୀ ମିଠା ବେଶ ଲୋକପ୍ରିୟ । ସହରରେ ୫୦ବର୍ଷରୁ ଅଧିକ ସମୟ ଧରି ମିଠା ଦୋକାନ ମଧ୍ୟ ରହିଛି । ସହରରେ ଏବେ ବି ପ୍ରାୟ ମିଠା ଦୋକାନରେ ୫ ଟଙ୍କାରେ ମିଠା ମିଳୁଛି । ବିଶେଷ କରି ରସଗୋଲା ଓ ଛେନାଗଜା ଆଦି ୫ଟଙ୍କାରେ ମିଳୁଛି । କିନ୍ତୁ ଆଉ କିଛି ଦିନ ଭିତରେ ୫ ଟଙ୍କିଆ ମିଠା ମିଳିବା ଏକପ୍ରକାର ବନ୍ଦ ହୋଇଯିବ । ବିଭିନ୍ନ କାରଣ ଦର୍ଶାଇ ନିକଟରେ କ୍ଷୀର ମୂଲ୍ୟ ବୃଦ୍ଧି ପାଇଛି । ଓମ୍‌ଫେଡର୍‌ ୨ ଟଙ୍କା ବଢିଥିବା ବେଳେ ପ୍ରଗତି, ମିଲ୍‌କ ମୁ ଆଦି କ୍ଷୀରର ଦାମ୍‌ ମଧ୍ୟ ବଢିିଛି । ଏହାକୁ ନେଇ କ୍ଷୀରଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟୀ ଚିନ୍ତାରେ ପଡିଛନ୍ତି । ମିଠା ପାଇଁ ଆସୁଥିବା ଛେନା କିଲୋ ପ୍ରାୟ ୧୬୦ ରୁ ୧୮୦ ଟଙ୍କା ରହିଥିବା ବେଳେ ଏଥିରେ କିଛିଟା ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । ସେହିପରି ପନିର୍‌ କିଲୋ ଏବେ ୨୪୦ରୁ ୨୬୦ ଟଙ୍କାରେ ବିକ୍ରି ହେଉଛି ।

ସେହିପରି ଖୁଆ ଓ ଅନ୍ୟ ସାମଗ୍ରୀ ମଧ୍ୟ ଯଥାସମ୍ଭବ ବଢିବ ବୋଲି ଜଣାପଡିଛି । ମିଠା ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଲେ ଛେନା କିଲୋପ୍ରତି ୧୦ ଟଙ୍କା ବଢିଥାଏ । ତେଣୁ କ୍ଷୀର ବଢିଥିବା ବେଳେ ଛେନା ମୂଲ୍ୟ ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ କଟକ ଦୁଗ୍ଧଜାତୀୟ ବ୍ୟବସାୟୀ ସଂଘ ସଭାପତି ପ୍ରଦୀପ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କ୍ଷୀର ମୂଲ୍ୟ ବୃଦ୍ଧି ପାଇସାରିଛି । ଆଗକୁ ଛେନା ଓ ଦୁଗ୍ଧଜାତୀୟ ସାମଗ୍ରୀର ମୂଲ୍ୟ ବଢାଇବାକୁ ଚିନ୍ତା କରୁଛୁ । ଖୁବ୍‌ ଶୀଘ୍ର ଏ ଦିଗରେ ବୈଠକ କରି ନିଷ୍ପତ୍ତି ନେବୁ । ସେହିପରି ପାହାଳ ମିଠା ବ୍ୟବସାୟୀ ସଂଘ ସଭାପତି ଅକ୍ଷୟ ଲେଙ୍କା କହିଛନ୍ତି, କ୍ଷୀର ମୂଲ୍ୟ ବୃଦ୍ଧି ପାଇଲେ ଛେନା ମୂଲ୍ୟ ବଢିଥାଏ । ତେଣୁ ଛେନା ମୂଲ୍ୟ ବଢିଲେ ଆମେ ମିଠା ଦର ବଢାଇବାକୁ ବାଧ୍ୟ ହେବୁ ।

Share

Leave a Reply

Your email address will not be published. Required fields are marked *

three × 5 =